ସାମୁଦ୍ରିକ ଥାନା ନିକଟରେ ପୂର୍ବତନ ସରପଞ୍ଚଙ୍କୁ ଗୁଳି କରି ହତ୍ୟା; ପୂର୍ବଶତ୍ରୁତାରୁ ଯୋଜନାବଦ୍ଧ ହତ୍ୟା ସନ୍ଦେହ

ବାଲେଶ୍ବର: ବାଲେଶ୍ବର ଜିଲ୍ଲା ଚାନ୍ଦିପୁର ବଳରାମଗଡ଼ି ସାମୁଦ୍ରିକ ଥାନା ନିକଟରେ ଆଜି ଅପରାହ୍ନରେ ଜଣେ ପୂର୍ବତନ ସରପଞ୍ଚ ତଥା ଟ୍ରଲର ମାଲିକଙ୍କୁ ହତ୍ୟା କରାଯାଇଛି। ୮/୯ ଜଣ ଦୁର୍ବୃତ୍ତ ବିଜୟ ପ୍ରଧାନ(୫୧)ଙ୍କୁ ବିଭିନ୍ନ ମାରଣାସ୍ତ୍ରରେ ଆକ୍ରମଣ କରିବା ସହ ଗୁଳି କରି ହତ୍ୟାକରିଥିବା ସୂଚନା ମିଳିଛି। ମୃତକଙ୍କ ଘର ସଦର ଥାନା ସିନ୍ଧିଆ ଅଞ୍ଚଳରେ ବୋଲି ଜଣାପଡ଼ିଛି।ହତ୍ୟାକାଣ୍ଡର ନିର୍ଦ୍ଦିଷ୍ଟ କାରଣ ଜଣାପଡ଼ି ନ ଥିଲେ ବି ପୂର୍ବଶତ୍ରୁତାରୁ ଏହା ଏକ ଯୋଜନାବଦ୍ଧ ହତ୍ୟା ବୋଲି ସନ୍ଦେହ କରାଯାଉଛି।

ସୂଚନାଯୋଗ୍ୟ, ବିଜୟ ପ୍ରଧାନ ଦୀପାତାରିଣୀ ଟ୍ରଲରରେ ଗତକାଲି ରାତି ୧୧ଟାରେ ମାଛ ଧରିବାକୁ ବାହାରିଥିଲେ। ପାଖାପାଖି ୧୫ କ୍ୟୁଣ୍ଟାଲ ମାଛଧରି ସେ ଆଜି ଫେରିଥିଲେ। ପ୍ରଧାନ  ଅପରାହ୍ଣ ୩ଟା ୫୮ରେ ଜେଟିରେ ପହଞ୍ଚିଥିଲେ। ଟ୍ରଲରରୁ କଣ୍ଟେନରକୁ ମାଛ ଲୋଡିଂ ହେଉଥିବା ସମୟରେ ୮/୯ ଜଣ ଯୁବକ ସେଠାରେ ପହଞ୍ଚି ମୁହଁରେ କପଡ଼ା ବାନ୍ଧି ହାତରେ ଖଣ୍ଡା, ଭୁଜାଲି ଓ ବନ୍ଧୁକ ଧରି ବିଜୟ ପ୍ରଧାନଙ୍କୁ ହଠାତ୍ ଆକ୍ରମଣ କରିଥିଲେ। ଜୀବନ ବଞ୍ଚାଇବାକୁ ସେ ଟ୍ରଲର ଭିତରକୁ ପଶି ଯାଇଥିଲେ। ମାତ୍ର ଦୁର୍ବୃତ୍ତମାନେ ଟ୍ରଲର ଭିତରେ ପଶି ତାଙ୍କୁ ହାଣିବା ସହ ୨ରାଉଣ୍ଡ ଗୁଳି ମାରି ଫେରାର ହୋଇଯାଇଥିଲେ।

ଘଟଣାସ୍ଥଳରେ ଦୁଇଟି ଖୋକା ପଡ଼ିଥିବା ମଧ୍ୟ ଦେଖିବାକୁ ମିଳିଛି । ଯିବାବେଳେ ୮/୯ ଜଣ ଯୁବକ କଣ୍ଟେନର କାଚକୁ ଖଣ୍ଡାରେ ହାଣିଥିବା ବି ଜଣାପଡ଼ିଛି। ତେବେ ୬ ଜଣ ବାଇକରେ ଫେରାର ହୋଇଯାଇଥିବା ବେଳେ ୩ ଜଣ ଡଙ୍ଗାରେ ପରିଖି ଅଞ୍ଚଳକୁ ଫେରାର ହୋଇଯାଇଥିବା ପ୍ରତ୍ୟକ୍ଷଦର୍ଶୀଙ୍କ ଠାରୁ ଜାଣିବାକୁ ମିଳିଛି। ଏହି ଘଟଣାର ସମ୍ପୂର୍ଣ୍ଣ ଦୃଶ୍ୟ ଜେଟିରେ ଲାଗିଥିବା ୬ଟି ସିସିଟିଭିରେ କଏଦ ହୋଇଛି।

ସମ୍ବନ୍ଧିତ ଖବର