ଖପୁରି-ହାଡ଼ ସହ ଚୁଡ଼ି ଓ ପାଉଁଜି ଜବତ; ହତ୍ୟା ପରେ ପୋଡ଼ି ଦିଆଯାଇଥିବା ସନ୍ଦେହ

୨୦୧୪ରେ ବି ମିଳିଥିଲା ମହିଳାଙ୍କ ଦରପୋଡ଼ା ଶବ

ସଇନ୍ତଳା: ବଲାଙ୍ଗୀର ଜିଲ୍ଲା ସଇନ୍ତଳା ଥାନା ଅନ୍ତର୍ଗତ ନବୀନ ଛକ ନିକଟ ଚାଷଜମିରେ ପୋଡ଼ିଯାଇଥିବା ପାଳଗଦା ମଧ୍ୟରୁ ନର କଙ୍କାଳ ମିଳିଛି। ସେଠାରୁ ଖପୁରି, ହାଡ଼, ୧୪ଗୋଟି ଚୁଡ଼ି ଏବଂ ପାଉଁଜି ପୁଲିସ ଜବତ କରିଛି । ଏନେଇ ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ୨୦୧୪ ମସିହାରେ ଏ ଅଞ୍ଚଳରୁ ଜ‌ଣେ ମହିଳାଙ୍କ ଦରପୋଡ଼ା ଶବ ମିଳିଥିଲା । ଏହି ଘଟଣାର ୬ ବର୍ଷ ପରେ ପୁଣି ଜଣେ ମହିଳାଙ୍କ ହାଡ଼, ଚୁଡ଼ି, ପାଉଁଜି ମିଳିଥିବାରୁ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି ।

ପୁଲିସ ସୂତ୍ରରୁ ପ୍ରକାଶ ଯେ, ସଇନ୍ତଳା ନବୀନ ଛକ ନିକଟରେ ଥିବା ବିବିନା ଗ୍ରାମର ସଂଜୟ  ରାହସ ଓରଫ ମୁନା ତାଙ୍କ ଚାଷଜମିରେ ସେ ମୁଗ ଚାଷ କରିଛନ୍ତି। ସୋମବାର ସେ ଜମିକୁ ମୁଗ ଫସଲ ଦେଖିବାକୁ ଯାଇଥିଲେ। ସେଠାରେ ଥିବା ତାଙ୍କ ପାଳଗଦା ପୋଡ଼ିଯାଇଥିବା ଏବଂ ଏକ ନରକଙ୍କାଳ ଥିବା ଦେଖି ବିବିନା ସରପଞ୍ଚ ନିର୍ମଳ ହରପାଲଙ୍କୁ କହିଥିଲେ। ସରପଞ୍ଚ ପୁଲିସକୁ ଜଣାଇବା ପାଇଁ କହିବାରୁ ମଙ୍ଗଳବାର ପୂର୍ବାହ୍ନରେ ସଂଜୟ ସଇନ୍ତଳା ଥାନାକୁ ଆସି ଘଟଣା ସମ୍ପର୍କରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଘଟଣାକୁ ଗୁରୁତ୍ବର ସହ ନେଇ ତଦନ୍ତ ଆରମ୍ଭ କରିଥିଲା। ଟିଟିଲାଗଡ଼ ଏସଡିପିଓ ସୁରେନ୍ଦ୍ରନାଥ ଶତପଥୀ, ଏସଆଇ ପ୍ରସନ୍ନ ନାୟକ, ହାବିଲଦାର ଭୁବନେଶ୍ବର ଭୋଇ ଓ ବଲାଙ୍ଗୀର ସାଇଣ୍ଟିଫିକ ଦଳ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ କରିଥିଲେ। ଘଟଣାସ୍ଥଳରୁ ପୋଡ଼ିଯାଇଥିବା ଖପୁରି, କିଛି ହାଡ଼, ୧୪ଗୋଟି ଚୁଡ଼ି ଓ ପାଉଁଜି ଜବତ କରିଥିଲେ। ଯୋଜନାବଦ୍ଧ ଭାବେ ମହିଳାଙ୍କୁ ହତ୍ୟା କରିବା ପରେ ଏଠାରେ ପୋଡ଼ି ଦିଆଯାଇଛି ବୋଲି ପୁଲିସ ସନ୍ଦେହ କରି ତଦନ୍ତ କରୁଛି।

ଏନେଇ ଥାନା କେସ ନଂ.୬୦/୨୧ ଅନୁସାରେ ଏକ ହତ୍ୟା ମାମଲା ରୁଜୁ କରାଯାଇଛି। ଏସପି କୁଶଳକର ନିତିନ ଡୁଗୁଡୁ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଏହି ଘଟଣା ଅତିକମରେ ମାସେ ତଳର ହୋଇଥିବା ସନ୍ଦେହ କରାଯାଉଛି। ଏଠାରେ ପ୍ରକାଶ ଥାଉକି ୨୦୧୪ ମସିହାରେ ଠିକ ଏହି ସମୟରେ ଜାତୀୟ ରାଜପଥ-୨୬ ବରଗାଁ ଛକ ନିକଟରେ ଏକ ଚାଷ ଜମିରୁ ଜଣେ ମହିଳାଙ୍କ ଦରପୋଡ଼ା ମୃତଦେହ ଉଦ୍ଧାର ହୋଇଥିଲା। ସଂପୃକ୍ତ ଘଟଣାର ଅପରାଧୀ ବର୍ତମାନ ସୁଦ୍ଧା ଧରା ପଡ଼ି ନାହିଁ। ୬ ବର୍ଷ ପରେ ଏବେ ସେଭଳି ଘଟଣାର ପୁନରାବୃତ୍ତି ପୁଲିସକୁ ଅପରାଧୀମାନଙ୍କର ଖୋଲା ଚ୍ୟାଲେଞ୍ଜ ବୋଲି ଚର୍ଚ୍ଚା ହେଉଛି। ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରି ଅପରାଧୀକୁ ତୁରନ୍ତ ଧରିବା ସହ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ସରପଞ୍ଚ ଶ୍ରୀ ହରପାଲ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର