୬ବର୍ଷ ହେଲା ଅନ୍ଧାରରେ ଜାଗ୍ନିଗୁଡା ଗାଁ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ଚିରମା ପଞ୍ଚାୟତ ଅନ୍ତର୍ଗତ ଜାଗ୍ନିଗୁଡା ଗ୍ରାମବାସୀ ୬ବର୍ଷ ହେଲା ଅନ୍ଧାରରେ ବିତାଉଛନ୍ତି ଜୀବନ। ଜାଗ୍ନିଗୁଡା ଗାଁରେ ପ୍ରାୟ ଦେଢ଼ ଶହ ପରିବାରର ୫ଶହରୁ ଊର୍ଧ୍ୱ ଜନସାଧାରଣ ବାସ କରୁଛନ୍ତି। ଗାଁ ଚାରିପଟେ ବିଦ୍ୟୁତ ତାର ଯାଇଥିଲେ ହେଁ ଗାଁ ମଧ୍ୟକୁ ବିଦ୍ୟୁତ ସଂଯୋଗ ହୋଇପାରିନାହିଁ। ଗାଁ ଦେଇ ଯାଇଥିବା ଇନ୍ଦ୍ରାବତୀ ନଦୀ କୂଳରେ ଉଠାଜଳସେଚନ ପ୍ରକଳ୍ପ ପାଇଁ ବିଦ୍ୟୁତ ସଂଯୋଗ ହୋଇପାରିଛି ଅପରକ୍ଷେ ଗାଁରେ ବାସ କରୁଥିବା ଲୋକଙ୍‌କୁ ବିଦ୍ୟୁତରୁ ବଞ୍ଚିତ କରାଯାଇଛି। ପୂର୍ବରୁ ଜାଗ୍ନିଗୁଡା ଗାଁକୁ କୋରାପୁଟ ଜିଲ୍ଲାର କୋଟପାଡ ଦେଇ ବିଦ୍ୟୁତ ସଂଯୋଗ ହୋଇଥିଲା। ୬ ବର୍ଷ ତଳେ ଘୂର୍ଣ୍ଣିଝଡରେ ତାର ସବୁ ଛିଡିଯାଇଥିଲା। ସେହିଦିନ ଠାରୁ ଗାଁ ଲୋକେ ବିଦ୍ୟୁତ ଆଲୁଅ ଦେଖିପାରି ନାହାନ୍ତି। ଗ୍ରାମାଞ୍ଚଳକୁ ବିଦ୍ୟୁତ ସଂଯୋଗ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ରାଜୀବ ଗାନ୍ଧି ବିଦ୍ୟୁତ କରଣ ଯୋଜନା ଓ ବିଜୁ କୁଟିର ଯୋଜନା ପ୍ରଣୟନ ହୋଇଛି। ତେବେ ଏହି ଗାଁ ପାଇଁ ଉଭୟ ଯୋଜନା ଫେଲ ମାରିଛି। ବର୍ତମାନ ଗାଁରେ କେବଳ ବିଦ୍ୟୁତ ପୋଲ ମୁଣ୍ଡ ଟେକି ଠିଆ ହୋଇଛି। ଗାଁ ବିଦ୍ୟାଳୟ ନିକଟରେ ଛୋଟ ଟ୍ରାନସଫର୍ମର ଜୀବନ ପାଇବାକୁ ଅପେକ୍ଷା କରି ରହିଛି। ଗୋଟିଏ ହେଲେ ପୋଲକୁ ବିଦ୍ୟୁତ ତାର ସଂଯୋଗ ହୋଇପାରି ନାହିଁ।

୨ବର୍ଷ ପୂର୍ବେ ୧୦ ବିପିଏଲ ପରିବାରକୁ ବିଦ୍ୟୁତ ସଂଯୋଗ ପାଇଁ ମିଟର ସଂଯୋଗ ହୋଇଥିଲା। ବିଦ୍ୟୁତ ନଥିବା ସତ୍ୱେ ସରକାରୀ ରିପୋର୍ଟରେ ସବୁ ଠିକ୍‌ ଥିବା ଦର୍ଶାଗଲା। ତେଣୁ କିଛି ମାସ ଏହି ପରିବାରକୁ ବିଦ୍ୟୁତ ନଥାଇ ବିଲ୍‌ ମିଳିଲା। ଉକ୍ତ ପରିବାର ମାନେ ଅଭିଯୋଗ କରିଲା ପରେ ସେହିଦିନ ଠାରୁ ବିଦ୍ୟୁତ୍‌ ବିଲ୍‌ ଆସୁନାହିଁ। ଏପଟେ ସରକାର ଗାଁ ଲୋକଙ୍କୁ ବିଦ୍ୟୁତ ଆଲୁଅ ଦେବା ପାଇଁ ଏବଂ ଷ୍ଟ୍ରିଟ୍‌ ଲାଇଟ ବ୍ୟବସ୍ଥା କରିବା ପାଇଁ ପଞ୍ଚାୟତକୁ ପାଣ୍ଠି ପ୍ରଦାନ କରିଛନ୍ତି। ଏହି ଗାଁ କୁ ବିଦ୍ୟୁତ ଯାଇନଥିବାରୁ ପଞ୍ଚାୟତକୁ ଆସିଥିବା ଷ୍ଟ୍ରିଟ ଲାଇଟ ପାଣ୍ଠିି ଖର୍ଚ୍ଚ ହୋଇପାରି ନାହିଁ। ଏହି ଗାଁକୁ ବିଦ୍ୟୁତ ସଂଯୋଗ କରିବା ପାଇଁ କୋଷାଗୁମୁଡା ପଞ୍ଚାୟତ ସମିତି ବୈଠକ ଓ ଜିଲ୍ଳାପରିଷଦ ବୈଠକରେ ବହୁ ବାର ଦାବି ହୋଇଛି। ଏହା ବ୍ୟତୀତ ଗାଁ ଲୋକେ ବିଧାୟକଙ୍କ ଠାରୁ ଆରମ୍ଭ କରି ସାଉଥକୋ କାର୍ଯ୍ୟାଳୟରେ ବହୁ ବାର ଦାବି କରିଛନ୍ତି। ତଥାପି ଲୋକଙ୍କୁ କୌଣସି ସୁଫଳ ମିଳିନାହିଁ। ବିଦ୍ୟୁତ ନଥିବାରୁ ପିଲାମାନେ ଡିବିରି ଆଲୁଅରେ ପାଠ ପଢ଼ିବା ପାଇଁ ବାଧ୍ୟ ହେଉଛନ୍ତି। ସରପଞ୍ଚ ପଦମ ମାଝୀ କହିଛନ୍ତି ତୁରନ୍ତ ଗାଁକୁ ବିଦ୍ୟୁତ ସଂଯୋଗ ଦେବା ପାଇଁ ବହୁ ସ୍ଥାନରେ ଦାବି କରାଯାଇଛି। ଏନେଇ ନବରଙ୍ଗପୁର ସାଉଥକୋ ନିର୍ବାହୀ ଯନ୍ତ୍ରୀଙ୍କ ସହ ଯୋଗାଯୋଗ କରିବାରୁ ଜିଲ୍ଲାରେ ୨୦ ପ୍ରତିଶତ ଗାଁରେ ବିଦ୍ୟୁତ ସଂଯୋଗ ନାହିଁ। ଅକ୍ଟୋବର ମାସ ଶେଷ ସୁଦ୍ଧା ସବୁ ଗାଁକୁ ବିଦ୍ୟୁତ ସଂଯୋଗ କରାଯିବ ବୋଲି କହିଛନ୍ତି। ବିଧାୟକ ତଥା ଜିଲ୍ଲା ଯୋଜନାବୋର୍ଡ ଅଧ୍ୟକ୍ଷ ମନୋହର ରନ୍ଧାରୀଙ୍କ ସହ ଯୋଗାଯୋଗ କରିବାରୁ ଏହି ଗାଁକୁ ବିଦ୍ୟୁତ ସଂଯୋଗ ପାଇଁ ସାଉଥକୋକୁ ତାଗିଦ କରାଯାଇ ପଦକ୍ଷେପ ନିଆଯାଇଛି। ମାସେ ମଧ୍ୟରେ ବିଦ୍ୟୁତ ସଂଯୋଗ ପାଇଁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର