ନବରଙ୍ଗପୁର : ପାପଡାହାଣ୍ଡି ଥାନା ଅନ୍ତର୍ଗତ କାଙ୍ଗୁ ମାଝୀଗୁଡା ନିକଟରେ ଅର୍ଥ ଲଗାଣକାରୀ ସଂସ୍ଥା ଏଲ ଆଣ୍ଡ ଟି ଫାଇନାନସ୍ର ଜଣେ କର୍ମଚାରୀଙ୍କଠାରୁ ୧ ଲକ୍ଷ ୮୪ ହଜାର ୯ ଶହ ଟଙ୍କା ଲୁଟ୍ ମାମଲାରେ ଆଜି ଜଣେ ଅଭିଯୁକ୍ତ ସନ୍ତୋଷ କଚିମକୁ ମାନ୍ୟବର ଅଦାଲତ ୫ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ପୂର୍ବରୁ ଏହି ମାମଲାରେ ବିପୁଲ ବାଗଙ୍କୁ ଜେଲ ଦଣ୍ଡ ହୋଇଥିବା ବେଳେ ଅନ୍ୟତମ ଅଭିଯୁକ୍ତ ରୁପଧର ଭତ୍ରା ସାକ୍ଷ୍ୟ ପ୍ରମାଣ ଅଭାବରୁ ଖଲାସ ହୋଇଥିଲେ। ଗତ ସେପ୍ଟେମ୍ବର ମାସରେ ମାମଲାର ଶୁଣାଣି ବେଳେ ସନ୍ତୋଷ କଚିମ ଅନୁପସ୍ଥିତ ରହିଥିଲେ। ଗତକାଲି ପୁଲିସ ସନ୍ତୋଷ ଗିରଫ କରିବା ପରେ ଆଜି କୋର୍ଟରେ ହାଜର କରିଥିଲା। ଅଦାଲତ ୫ ବର୍ଷ ଜେଲଦଣ୍ଡାଦେଶ ଦେଇଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଘଟଣା ଅନୁଯାୟୀ ଗତ ୨୦୧୬ ଏପ୍ରିଲ ୭ରେ ସଂସ୍ଥାର କର୍ମଚାରୀ କୃପାଧର ପଟ୍ଟନାୟକ ଲୋକଙ୍କ ଠାରୁ ଋଣଅର୍ଥ ଆଦାୟ କରି ନବରଙ୍ଗପୁର ଫେରୁଥିବା ସମୟରେ ପାପଡାହାଣ୍ଡି ଥାନା ଅନ୍ତର୍ଗତ କାଙ୍ଗୁମାଝିଗୁଡା ନିକଟରେ ଦୁର୍ବୃତ୍ତମାନେ ୧ ଲକ୍ଷ ୮୪ ହଜାର ୯ଶହ ଟଙ୍କା ଲୁଟି ନେଇଥିଲେ। ପାପଡାହାଣ୍ଡି ଥାନା ପକ୍ଷରୁ କେସ ନଂ ୬୨/୧୬ ରେ ମାମଲା ରୁଜୁ କରି ତଦନ୍ତ କରାଯାଇଥିଲା। ପୁଲିସ ଏହି ମାମଲାରେ ୩ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଅଭିଯୁକ୍ତମାନେ ଜାମିନରେ ଯାଇଥିଲେ। ତେବେ ଅଦାଲତରେ ଗତ ସେପ୍ଟେମ୍ବର ମାସରେ ଶୁଣାଣି ବେଳେ ସନ୍ତୋଷ କଚିମ ହାଜର ନହୋଇ ଫେରାର ହୋଇଯାଇଥିଲେ। ଆଜି ମାନ୍ୟବର ମୁଖ୍ୟ ବିଚାର ବିଭାଗୀୟ ବିଚାର ପତି ରାଜ କିଶୋର ମହାପାତ୍ର ୧୦ ଜଣ ସାକ୍ଷ ପ୍ରମାଣକୁ ବିଚାର କରି ଅଭିଯୁକ୍ତ ସନ୍ତୋଷ କାଚିମକୁ ୫ ବର୍ଷ ସଶ୍ରମ କାରାଦଣ୍ଡ ଶୁଣାଇଛନ୍ତି। ଅତିରିକ୍ତ ସରକାରୀ ଓକିଲ ସନ୍ତୋଷ କୁମାର ମିଶ୍ର ଏହି ମାମଲା ପରିଚାଳନା କରିଥିଲେ।