ବାଇକ୍ ଚୋରକୁ ପୁଲିସ ଜିମା ଦେଲେ ବୁଚିଆଗୁଡ଼ା ଗ୍ରାମବାସୀ

ଡାବୁଗାଁ : ଯାତ୍ରାରେ ନାଟ ଚାଲୁଥିବା ସମୟରେ ଜଣେ ବ୍ୟକ୍ତି ବାଇକ୍ ଚୋରି କରି ଗ୍ରାମବାସୀଙ୍କ ହାତରେ ଧରା ପଡ଼ିଛି। ବ୍ୟକ୍ତି ଜଣକ କୋଡିଙ୍ଗା ଥାନା ଅନ୍ତର୍ଗତ କୁମ୍ଭାର ଗୁଡ଼ାର ମଧୁ ଭତରା (୪୦) ବୋଲି ଜଣା ପଡିଛି। ବାଇକ୍ ଚୋରକୁ ରାତି ସାରା ଗ୍ରାମରେ ଅଟକ ରଖି ଗ୍ରାମବାସୀମାନେ ଉକ୍ତ ବାଇକ୍ ଚୋର ମଧୁ ଭତରାକୁ ଆଜି ଡାବୁଗାଁ ପୁଲିସ ଜିମାରେ ଦେଇଛନ୍ତି। ଡାବୁଗାଁ ପୁଲିସ ଏ ନେଇ ଏକ ମାମଲା ରୁଜୁ କରି ବାଇକ୍ ଚୋରକୁ ଗିରଫ କରି ତଦନ୍ତ ଜାରି ରଖିଛି।

ସୂଚନା ଅନୁଯାୟୀ ଗତକାଲି ମଙ୍ଗଳବାର ରାତ୍ରରେ ଡାବୁଗାଁ ଥାନା ଅନ୍ତର୍ଗତ ବୁଚିଆଗୁଡ଼ାରେ ଆଦିବାସୀ ଯାତ୍ରା ଉଛଭ ଚାଲୁଥିଲା। ଡାବୁଗାଁ ଥାନା ସୀଙ୍ଗିଗୁଡ଼ାର ଗନ ଚାଏ ହରିଜନ ଯାତ୍ରା ଦେଖିବାକୁ ବୁଚିଆଗୁଡ଼ା ତା ବାଇକ୍ ନ ସିଜି ୦୮ ୭୯୯୬ ଯୋଗେ ଆସି ତା ସମ୍ପର୍କୀୟ ଘରେ ବାଇକ୍ ରଖି ନାଟ ଦେଖିବାକୁ ଚାଲି ଯାଇଥିଲା। ତେବେ ରାତ୍ର ପ୍ରାୟ ୨ ଘଣ୍ଟା ୩୦ ମିନିଟ୍‌ରେ କୋଡିଙ୍ଗା ଥାନା ଅନ୍ତର୍ଗତ କୁମ୍ଭାର ଗୁଡ଼ାର ମଧୁ ଭତରା ଗନ ଚାଏ ହରିଜନର ବାଇକ୍‌କୁ ତା ସମ୍ପର୍କୀୟ ଘରୁ ବାହାରକୁ କାଢି ରାସ୍ତା ଉପରକୁ ଆଣିଥିଲା। ଏହି ସମୟରେ ସୀଙ୍ଗିଗୁଡ଼ା ଗ୍ରାମର ନନ୍ଦ ମିର୍ଗାନ ଉକ୍ତ ବାଇକ୍ ଚୋରକୁ ଦେଖି ସନ୍ଦେହ ହେବାରୁ ତୁରନ୍ତ ଗ୍ରାମବାସୀଙ୍କୁ ଡାକିଥିଲା। ଗ୍ରାମବାସୀ ରାତ୍ର ହୋଇଥିବାରୁ ଉକ୍ତ ବାଇକ୍ ଚୋରକୁ ଗ୍ରାମରେ ଅଟକ ରଖିଥିଲେ। ଆଜି ସକାଳେ ଗନ ଚାଏ ହରିଜନ ଗ୍ରାମବାସୀ ମାନଙ୍କ ସହ ଡାବୁଗାଁ ଥାନାରେ ମଧୁ ଭତରାକୁ ଜିମାରେ ଦେବା ସହ ତା ନାମରେ ଏତଲା ଦେବା ପରେ ଡାବୁଗାଁ ପୁଲିସ କେଶ୍ ନ ୫୭/୨୦ ରେ ମାମଲା ରୁଜୁ କରି ମଧୁ ଭତରାକୁ ଗିରଫ କରିଥିଲା।ଏହାର ତଦନ୍ତ ପୁଲିସ ଏସ ଆଇ ଫକିର ମହନ ଖୋରା କରୁଥିବା ବେଳେ ଉକ୍ତ ବାଇକ୍ ଚୋର ସହ ଅନ୍ୟ କେଉଁମାନେ ସଂପୃକ୍ତି ଥାଇ ପାରନ୍ତି ବୋଲି ତଦନ୍ତ ଜାରି ରଖିଛନ୍ତି।

ସମ୍ବନ୍ଧିତ ଖବର