ଭଦ୍ରକ ମେଡିକାଲ ଟ୍ରମା ୟୁନିଟ୍: ରୋଗୀ ଆସୁଛନ୍ତି, ସେବା ଯୋଗାଇବାକୁ ଡାକ୍ତର ନାହାନ୍ତି

ଭଦ୍ରକ : ଭଦ୍ରକ ଜିଲ୍ଲାକୁ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ନବୀନ ସରକାର ଅଣଦେଖା କରୁଛନ୍ତି। ଜିଲ୍ଲାବସୀ ୧୦ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ଭଦ୍ରକରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବି କରି ଆସୁଥିବା ବେଳେ ରାଜ୍ୟ ସରକାର ଅନ୍ୟ ଜିଲ୍ଲାମାନଙ୍କରେ ମେଡିକାଲ କଲେଜ ଖୋଲୁଥିବା ବେଳେ ଭଦ୍ରକରେ ମେଡିକାଲ କଲେଜ ପ୍ରତିଷ୍ଠା ନେଇ ମୁହଁମୋଡି ଦେଲେ। ଭଦ୍ରକର ୪ ଶଯ୍ୟା ବିଶିଷ୍ଟ ନୂତନ ଜିଲ୍ଲା ମେଡିକାଲର ରୂପ ରେଖକୁ ମଧ୍ୟ ବଦଳାଇ ଦେଇ ମୁଖ୍ୟମନ୍ତ୍ରୀ ୩ ଶହ ଶଯ୍ୟାର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଗେଲପୁରରେ ପ୍ରତିଷ୍ଠା କରାଯିବ ବୋଲି ଘୋଷଣା କରିବା ଭଦ୍ରକ ଜିଲ୍ଲାବାସୀଙ୍କୁ ଢେର୍ ବାଧିଛି। କେବଳ ମେଡିକାଲ କଲେଜର କଥା ନୁହେଁ। ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳରେ ଆବଶ୍ୟକ ଡାକ୍ତର ନଥିବାରୁ ରୋଗୀ ସେବା ବାଧାପ୍ରାପ୍ତ ହେଉଛି। ଯେଉଁଥିପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ରୋଗୀ ମୁହଁ ଫେରାଇ ଘରୋଇ ଚିକିତ୍ସାଳୟକୁ ପଳାଉଛନ୍ତି। ଏ ଜିଲ୍ଲାକୁ ସ୍ୱାସ୍ଥ୍ୟ ମନ୍ତ୍ରୀ, ୫ ଟି ସୁଚିବଙ୍କ ଗସ୍ତ ପରେ ମଧ୍ୟ ଭଦ୍ରକ ମେଡିକାଲର ଅବସ୍ଥା ସୁଧାର ହେଲା ନାହିଁ। ବରଂ ୫ଟି ସଚିବ ଭଦ୍ରକ ମେଡିକାଲ ପରିଦର୍ଶନରେ ଆସିବା ପରେ ଯେତେ ଠିକା କର୍ମଚାରୀ ଥିଲେ। ସେମାନଙ୍କୁ ସବୁ ଛଟେଇ କରି ଦିଆଗଲା।

ମୂଳ ପ୍ରସଙ୍ଗଟି ହେଉଛି, ମୁଖ୍ୟ ଚିକତ୍ସାଳୟରେ ରୋଗୀମାନଙ୍କୁ ସେବା ଯୋଗାଇ ଦେବାକୁ ଆବଶ୍ୟକ ଡାକ୍ତର ନାହାନ୍ତି। ଖାଲିଥିବା ଡାକ୍ତର ପଦବୀ ପୂରଣ ହୋଇ ପାରୁ ନାହିଁ। ପ୍ରତିଦିନ ୫ ଶହରୁ ୧୨ ଶହ ରୋଗୀ ମେଡିକାଲକୁ ଆସୁଛନ୍ତି। ସେମାନଙ୍କୁ ଉପଯୁକ୍ତ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ବିଫଳ ହୋଇଛି। ଅଲଟ୍ରାସାଉଣ୍ଡ ମେସିନ ନଥିବାରୁ ରୋଗୀମାନେ ବାହାରୁ ଅଲଟ୍ରାସାଉଣ୍ଡ କରି ଖର୍ଚ୍ଚାନ୍ତ ହେଉଥିବା ବେଳେ ଏବେ ଆନାସ୍ତେସିଆ ଡାକ୍ତର ନଥିବାରୁ ଗାଇନିଂ ଓ ସର୍ଜାରୀ ୱାର୍ଡର ରୋଗୀମାନେ ହଇରାଣ ହେଉଛନ୍ତି। ସେହିପରି ନିଶ୍ଚେତକ ବିଭାଗର ଡାକ୍ତର ଭଦ୍ରକରୁ ଅନ୍ୟତ୍ର ବଦଳି ହେବା ପରେ ଆଉ ନୂଆ ଡାକ୍ତର ଆସି ନାହାନ୍ତି। ସେହିପରି ଅସ୍ଥିଶଲ୍ୟ ବିଭାଗରେ କୌଣସି ରୋଗୀଙ୍କର ଅସ୍ତ୍ରୋପଚାର କରାଯାଇ ପାରୁ ନାହିଁ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅନ୍ୟ ୱାର୍ଡ କଥା ନକହିବା ଭଲ। ଏଠାରେ ଥିବା ଟ୍ରମା କେନ୍ଦ୍ର ମଧ୍ୟ ଚରମ ଅବହେଳାରେ ଚାଲିଛି। ନାମକୁ କେବଳ ଟ୍ରମା କେନ୍ଦ୍ର ଖୋଲାଯାଇଥିବା ବେଳେ ଏଠି ଆବଶ୍ୟକ ଡାକ୍ତର ନାହାନ୍ତି କି ରୋଗୀଙ୍କ ପାଇଁ ଅବଶ୍ୟକ ଶଯ୍ୟା ନାହିଁ। ଯେଉଁଥି ପାଇଁ ରୋଗୀମାନଙ୍କୁ ତଳେ ଶୋଇ ଚିକିତ୍ସିତ ହେବାକୁ ପଡୁଛି।

ମିଳିଥିବା ସୂଚନାରୁ ପ୍ରକାଶ ଯେ, ଭଦ୍ରକ ଟ୍ରମା ୟୁନିଟ୍ ପାଇଁ ୨ ଜଣ ନିଶ୍ଚେତ ଡାକ୍ତର ରହିବା ପାଇଁ ନିର୍ଦ୍ଦେଶ ଥିବା ବେଳେ ଏଠାରେ ଜଣେ ହେଲେ ମଧ୍ୟ ନିଶ୍ଚେତକ ଡାକ୍ତର ନାହାନ୍ତି। ଯେଉଁଥି ପାଇଁ କୌଣସି ରୋଗୀ ଦୁର୍ଘଟଣାଗ୍ରସ୍ତ ହୋଇ ଭଦ୍ରକ ମେଡିକାଲର ଟ୍ରମା ୟୁନିଟରେ ଭର୍ତ୍ତି ହେଲେ ତାଙ୍କର ଅସ୍ତ୍ରୋପଚାର କରାଯାଇପାରୁ ନାହିଁ। ଏପରି ରୋଗୀଙ୍କୁ ତୁରନ୍ତ କଟକ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଉଛି। ବହୁ ଗରିବ ରୋଗୀ ଯେଉଁମାନେ କଟକ ଯାଇ ପାରୁ ନାହାନ୍ତି, ସେମାନଙ୍କ କ୍ଷେତ୍ରରେ ବହୁ ସମସ୍ୟା ସୃଷ୍ଟି ହେଉଛି। କେବଳ ନିଶ୍ଚେତକ ଡାକ୍ତର ନଥିବାରୁ ଏଭଳି ସମସ୍ୟା ସୃଷ୍ଟି ହେଉଥିବା ବେଳେ ପ୍ରତିଦିନ ଭଦ୍ରକ ଟ୍ରମା ୟୁନିଟକୁ ୨୦ରୁ ଉର୍ଦ୍ଧ୍ବ ରୋଗୀ ଆସୁଥିବା ବେଳେ ସେମାନଙ୍କୁ ଉପଯୁକ୍ତ ସେବା ଯୋଗାଇ ଦିଆଯାଇ ପାରୁ ନାହିଁ। ସେହିପରି ଟ୍ରମା ୟୁନିଟରେ ଅସ୍ଥିଶଲ୍ୟ ବିଭାଗର ୨ଟି ଡାକ୍ତର ପଦବୀ ଥିବା ବେଳେ କେହି ଡାକ୍ତର ନାହାନ୍ତି। ସର୍ଜରୀ ବିଭାଗରେ ୩ ଜଣ ଡାକ୍ତର ରହିବା ସ୍ଥାନରେ ୨ ଜଣ ଡାକ୍ତର ରହିଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ଡାକ୍ତର ଅବସର ପରେ ଠିକାରେ ରହି ରୋଗୀଙ୍କୁ ସେବା ଯୋଗାଉଛନ୍ତି। ସେହିପରି ଏଠାରେ ୩ ଜଣ ସିନିୟର ଆଇସିୟୁ ମେଡିକାଲ ଅଫିସର ରହିବା କଥା। ମାତ୍ର କେହି ଜଣେ ହେଲେ ଡାକ୍ତର ନାହାନ୍ତି କି ଏଠାରେ ଆଇସିୟୁର ସୁବିଧା ନାହିଁ। ଡାକ୍ତର ସମସ୍ୟା ଟ୍ରମା ୟୁନିଟକୁ ଅଚଳ କରି ରଖିଥିବା ବେଳେ ଷ୍ଟାଫ୍ ନର୍ସ, ଫାର୍ମାସିଷ୍ଟ ଓ ଅନ୍ୟାନ୍ୟ ପଦବୀରେ ଆବଶ୍ୟକ କର୍ମଚାରୀ ନଥିବା ବେଳେ ଠିକା କର୍ମଚାରୀଙ୍କୁ ଗତ ୩ ମାସ ହେଲା ଛଟେଇ କରାଯିବା ପରେ ଟ୍ରମା ୟୁନିଟ୍ କେବଳ ନାମକୁ ମାତ୍ର ଚାଲିଛି। ଆବଶ୍ୟକ ବେଡ ନଥିବାରୁ ରୋଗୀମାନେ ତଳେ ଶୋଇ ଚିକିତ୍ସିତ ହେଉଛନ୍ତି। ଭଦ୍ରକ ଟ୍ରମା ୟୁନିଟରେ ୧୦ଟି ବେଡ ରହିଥିବା ବେଳେ ଏଇ କେନ୍ଦ୍ରରେ ସର୍ଜରୀ ୱାର୍ଡରେ ୨୦ ଟି ଶଯ୍ୟା, ଅସ୍ଥିଶଲ୍ୟରେ ୮ଟି ଶଯ୍ୟା ଏମିତି ମୋଟ ୩୮ଟି ଶଯ୍ୟାରେ ଚାଲିଛି ଏଇ କେନ୍ଦ୍ର। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଭଦ୍ରକ ଜିଲ୍ଲାର ଟ୍ରମା କେନ୍ଦ୍ରର ଅଚଳାବସ୍ଥା ପ୍ରତି ଦୃଷ୍ଟି ଦେବା ସହ ଜିଲ୍ଲାରେ ଖାଲିପଡିଥିବା ଡାକ୍ତର ପଦବୀ ପୂରଣ କରାଯିବା ଉପରେ ଗୁରୁତ୍ବ ଦେବାର ଆବଶ୍ୟକତା ରହିଛି।

ସମ୍ବନ୍ଧିତ ଖବର