୩ବର୍ଷ ହେଲା ଚେକ୍‌ ଡ୍ୟାମ ଭାଙ୍ଗିପଡିଛି:ମରାମତି ଦାବି

ନବରଙ୍ଗପୁର: ନବରଙ୍ଗପୁର ବ୍ଲକ ବିକ୍ରମପୁର ପଞ୍ଚାୟତ ଅନ୍ତର୍ଗତ ଡଙ୍ଗରୀଗୁଡା ଗାଁ ନିକଟସ୍ଥ କଡିଆମୁଣ୍ଡା ନାଳରେ ଥିବା ଚେକ୍‌ ଡ୍ୟାମ ୩ବର୍ଷ ତଳେ ଭାଙ୍ଗି ଯାଇଥିଲା। ଏହାପରେ ଆଉ ମରାମତି ହୋଇପାରୁ ନଥିବାରୁ ଶହ ଶହ ଏକର ଜମିକୁ ଜଳସେଚିତ ହୋଇପାରୁ ନଥିବା ଚାଷୀ ଅଭିଯୋଗ କରିଛନ୍ତି। ଭାଲୁଡଙ୍ଗରୀ ଠାରୁ ବାହାରିଥିବା କଡିଆମୁଣ୍ଡା ନାଳ ଗୁନ୍‌ଥାଟ ନଦୀରେ ମିଶୁଛି। ତେଣୁ ବର୍ଷା ଦିନେ ଏହି ନାଳରେ ଜଳସ୍ତର ବୃଦ୍ଧି ପାଉଥିବା ଜଣାପଡୁଛି। ଡଙ୍ଗରୀଗୁଡା-ଦେଉଳା ଗାଁ ରାସ୍ତା ମଧ୍ୟରେ ଥିବା ଏହି ଚେକ୍‌ ଡ୍ୟାମ ବହୁ ବର୍ଷ ପୂର୍ବେ ପଥରରେ ନିର୍ମାଣ ହୋଇଥିଲା। ୩ବର୍ଷ ତଳେ ନାଳରେ ବର୍ଷା ପାଣି ଆସିବାରୁ ଚେକ୍‌ ଡ୍ୟାମ ଭୁଶୁଡି ପଡିଥିଲା। ତେଣୁ ଚାଷୀ ଚେକ୍‌ ଡ୍ୟାମର ଡାହାଣ ପାର୍ଶ୍ୱରେ ନଳା ପକାଇ ଡଙ୍ଗରୀଗୁଡା ଓ ଦେଉଳା ଗାଁର ଚାଷ ଜମିକୁ ଜଳସେଚନ ବ୍ୟବସ୍ଥା କରିଥିଲେ।

କିନ୍ତୁ ଚେକ ଡ୍ୟାମ୍‌ର ମରାମତି ହୋଇପାରୁ ନଥିବାରୁ ଉକ୍ତ ନଳା ପୋତି ହୋଇଯିବା ସହ ଚେକ୍‌ ଡ୍ୟାମରେ ପାଣି ଯାଇପାରୁ ନାହିଁ। ଫଳରେ ଜମିକୁ ଜଳସେଚିତ ହୋଇପାରୁ ନାହିଁ। ସେହିପରି ଏହି ଭଙ୍ଗା ଚେକ୍‌ ଡ୍ୟାମର ଉପରମୁଣ୍ଡରେ ୨ବର୍ଷ ତଳେ ମନରେଗା ଯୋଜନାରେ ଚେକ୍‌ ଡ୍ୟାମ ନିର୍ମାଣ ଆରମ୍ଭ କରାଯାଇଥିଲେ ମଧ୍ୟ ଶ୍ରମିକଙ୍କୁ ୨ ବର୍ଷ ହେଲା ମଜୁରି ମିଳିନଥିବାରୁ ତାହା ଅଧାପନ୍ତରିଆ ହୋଇ ରହିଛି ବୋଲି ଚାଷୀ ଅଭିଯୋଗ କରିଛନ୍ତି। ଏହି ଚେକ୍‌ ଡ୍ୟାମର ମରାମତି ପାଇଁ ଚାଷୀ ବହୁବାର ବିଭିନ୍ନ ପଦାଧିକାରୀଙ୍କ ନିକଟରେ ଗୁହାରି କଲେ ମଧ୍ୟ କେହି ପଦକ୍ଷେପ ଗ୍ରହଣ କରୁନଥିବା ଅଭିଯୋଗ କରିଛନ୍ତି। ତେଣୁ ଚାଷୀଙ୍କ ହିତ ଦୃଷ୍ଟିରୁ ବର୍ଷା ଦିନ ପୂର୍ବରୁ ଚେକ୍‌ ଡ୍ୟାମ ମରାମତି କରିବା ସହ ଅର୍ଧନିର୍ମିତ ଚେକ୍‌ ଡ୍ୟାମ ଶେଷ କରିବା ପାଇଁ ଚାଷୀ ଲକ୍ଷ୍ମୀ ନାଥ ହରିଜନ, ଗଣପତି ଭତ୍ରା, ପାଲକ ପୂଜାରୀ, ପଦମ ତନ୍ତି, ହରିହର ନାୟକ ପ୍ରମୁଖ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର