ପୁଲିସ-ଖଲାସି ଧସ୍ତାଧସ୍ତି, ରାସ୍ତାରୋକ

ଉମରକୋଟ: ନବରଙ୍ଗପୁର ଜିଲ୍ଲା ଉମରକୋଟ ଠାକୁରାଣୀ ଯାତ୍ରାର ଉଦ୍‌ଯାପନୀ ଶୋଭାଯାତ୍ରା ସମୟରେ ଗତକାଲି ସ୍ଥାନୀୟ ପୁଲିସ କିଛି ଖଲାସିଙ୍କୁ ମାଡ ମାରିଥିବା ଅଭିଯୋଗରେ ଆଜି ରାସ୍ତାରୋକ କରାଯାଇଛି। ଖଲାସି ମାନେ ଝରିଗାଁ ରୋଡ୍‌ ଛକରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ। ସହରର କିଛି ବୁଦ୍ଧିଜୀବୀଙ୍କ ହସ୍ତକ୍ଷେପ ପରେ ଅଧଘଣ୍ଟା ପରେ ରାସ୍ତାରୋକ ହଟିଥିଲା। ପରେ ପ୍ରଶାସନ, ବୁଦ୍ଧିଜୀବୀ ଓ ଖଲାସି ସଂଘ କର୍ମକର୍ତା ମଧ୍ୟରେ ଆଲୋଚନା ହୋଇଥିଲା। ଏହି ଘଟଣାକୁ ନେଇ ପୁଲିସ ଏସଡିପିଓ ଦୁଃଖ ପ୍ରକାଶ କରିବା ସହ ଆଗାମୀ ଦିନରେ ଏହାର ପୁନରାବୃତ୍ତି ହେବ ନାହିଁ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏନେଇ ଲିଖିତ ଅଭିଯୋଗ କରାଯିବା ପରେ ଅଭିଯୁକ୍ତ ପୁଲିସ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଏସ୍‌ପିଙ୍କ ସହ ଆଲୋଚନା କରିବି ବୋଲି ଏସଡିପିଓ ପ୍ରତିଶ୍ରୁତି ଦେଇଥିଲେ। ଏହି ପ୍ରସ୍ତାବରେ ଖଲାସି ମାନେ ରାଜି ହୋଇଥିଲେ।
ସୂଚନା ଅନୁଯାୟୀ, ଗତ ସୋମବାର ଦିନ ଉମରକୋଟର ମା’ ଜଗତଜନନୀଙ୍କ ଠାକୁରାଣୀ ଘଟଯାତ୍ରା ଶେଷ ହୋଇଥିଲା। ଗତକାଲି ସଂଧ୍ୟାରେ ଠାକୁରାଣୀଙ୍କୁ ମା’ ଘରୁ ଏକ ବିରାଟ ଶୋଭାଯାତ୍ରାରେ ଝରିଗାଁ ରୋଡ୍‌ ସ୍ଥିତ ଶାଶୁ ଘର ତଥା ନିଜ ମନ୍ଦିରକୁ ନିଆଯାଇଥିଲା।

ମା’ ମନ୍ଦିରରେ ପହଞ୍ଚିବା ପରେ ସ୍ଥାନୀୟ କିଛି ଖଲାସି ମନ୍ଦିର ନିକଟରେ ଡିଜେର ତାଳେତାଳେ ନାଚୁଥିଲେ। ତେବେ ଏଥିଯୋଗୁଁ ରାସ୍ତା ଅବରୋଧ ହେବା ଖବର ପାଇ ଉମରକୋଟ ଥାନା ଅଧିକାରୀ ଓ ପୁଲିସ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ରାସ୍ତା ଅବରୋଧ ହଟାଇବାକୁ କହିଥିଲେ। ଏଥିରେ ଖଲାସି ମାନେ ଉତ୍ତ୍ୟକ୍ତ ହେବା ସହ ଏହାକୁ ନେଇ ପୁଲିସ ଓ ଖଲାସିଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। କିଛି ଖଲାସିଙ୍କୁ ପୁଲିସ ମାଡ ମାରିଥିବା ଅଭିଯୋଗରେ ଆଜି ଖଲାସିଙ୍କ ପକ୍ଷରୁ ଝରିଗାଁ ରୋଡ୍‌ ଛକରେ ଟାୟାର ଜାଳି ରାସ୍ତା ଅବରୋଧ କରାଯାଇଥିଲା। ଏଥିଯୋଗୁଁ ରାଇଘର ଓ ନବରଙ୍ଗପୁର ମଧ୍ୟରେ ଯାନବାହନ ଚଳାଚଳ ଠପ୍‌ ହୋଇଯାଇଥିଲା। ଅଧଘଣ୍ଟା ଧରି ରାସ୍ତାରୋକ ହେବା ପରେ ସହରର କିଛି ବୁଦ୍ଧିଜୀବୀ ଘଟଣାସ୍ଥଳରେ ପହଞ୍ଚି ଖଲାସିଙ୍କୁ ବୁଝାଶୁଝା କରିବା ପରେ ରାସ୍ତାରୋକ ହଟିଥିଲା। ଏହାପରେ ସ୍ଥାନୀୟ ମା’ ମଙ୍ଗଳା ମନ୍ଦିରରେ ପ୍ରଶାସନ, ସ୍ଥାନୀୟ ବୁଦ୍ଧିଜୀବୀ ଓ ଖଲାସି ସଂଘର କର୍ମକର୍ତାଙ୍କ ଉପସ୍ଥିତିରେ ଘଟଣାର ସମାଧାନ ନିମନ୍ତେ ଆଲୋଚନା ହୋଇଥିଲା।

ଏହି ବୈଠକରେ ଖଲାସି ସଂଘ ସଭାପତି ଜିତୁ ଜେନା, ପୁଲିସ ଏସଡିପିଓ ହେମନ୍ତ କୁମାର ପାଢୀ, ତହସିଲଦାର ରୁନୁ ଲାକ୍ରା, ସମାଜସେବୀ ରାମ ନାୟକ, ସମାଜସେବୀ ସଂଜିତ ସୁବୁଦ୍ଧି, ଯାତ୍ରା କମିଟି ସଂପାଦକ ବାଳକୃଷ୍ଣ ପାତ୍ର, ବଲ୍ଲଭ ଶିରା ପ୍ରମୁଖ ଉପସ୍ଥିତ ଥିଲେ। ଏହି ଘଟଣାକୁ ନେଇ ପୁଲିସ ଏସଡିପିଓ ଦୁଃଖ ପ୍ରକାଶ କରିବା ସହ ଆଗାମୀ ଦିନରେ ଏହାର ପୁନରାବୃତ୍ତି ହେବ ନାହିଁ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଲିଖିତ ଅଭିଯୋଗ କଲେ ଅଭିଯୁକ୍ତ ପୁଲିସ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଏସ୍‌ପିଙ୍କ ସହ ଆଲୋଚନା କରିବି ବୋଲି ମଧ୍ୟ ଏସଡିପିଓ ଶ୍ରୀ ପାଢୀ ପ୍ରତିଶ୍ରୁତି ଦେଇଥିଲେ। ଏସଡିପିଓଙ୍କ ଏହି ପ୍ରସ୍ତାବରେ ଖଲାସି ମାନେ ରାଜି ହୋଇଥିଲେ।
ଏନେଇ ଉମରକୋଟ ଥାନା ଅଧିକାରୀ ବିରେନ୍ଦ୍ର କୁମାର ସେନାପତିଙ୍କୁ ପଚାରିବାରୁ ରାସ୍ତା ଅବରୋଧ ହୋଇଥିବା ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ରାସ୍ତା ଅବରୋଧ ନକରିବାକୁ କହିଥିଲି। ଏଥିରେ ଉତ୍ତ୍ୟକ୍ତ ହୋଇ ଖଲାସିମାନେ ମୋ ଆଡକୁ ମାଡି ଆସିବାରୁ ପୁଲିସ ଓ ସେମାନଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିବା କହିଛନ୍ତି। ତେବେ କୌଣସି ଖଲାସିଙ୍କୁ ମାଡ ମାରିନି। ନିଜ କର୍ତବ୍ୟକୁ ଶୃଙ୍ଖଳାର ସହ ସଂପାଦନ କରିଛି ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର