ବଦଳିବ ବର୍ଜ୍ୟବସ୍ତୁ ପରିଚାଳନା:ନୂଆ ନିଯୁକ୍ତି ସହ ‌ରୋଜଗାର ବଢ଼ିବ

ନବରଙ୍ଗପୁର: ନବରଙ୍ଗପୁର ସହରରେ ବର୍ଜ୍ୟବସ୍ତୁ ପରିଚାଳନାରେ ସମସ୍ୟା ହେଉଛି। ଏହାକୁ ଦୃଷ୍ଟିରେ ରଖି ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାପାଳ ଡ.ଅଜିତ କୁମାର ମିଶ୍ର ଯୋଗଦେଇ ବଢ଼ି ଚାଲିଥିବା ବର୍ଯ୍ୟବସ୍ତୁର ପରିଚାଳନାକୁ ନେଇ ଚିନ୍ତା ପ୍ରକଟ କରିଥିଲେ। ସହରକୁ ସୁନ୍ଦର ଓ ସଫା ରଖିବା ପ୍ରତି ନାଗରିକର ଦାୟିତ୍ବ। ବର୍ଯ୍ୟବସ୍ତୁ ପରିଚାଳନା ଦିଗରେ ସଚେତନତା ନହେଲେ ଆଗାମୀ ଦିନରେ ପରିସ୍ଥିତି ଭୟଙ୍କର ହେବ। ଏଣୁ ନବରଙ୍ଗପୁର ସହରକୁ ଛତିଶଗଡର ଅମ୍ବିକାପୁର ସହର ଢ଼ାଞ୍ଚାରେ ବର୍ଯ୍ୟବସ୍ତୁ ପରିଚାଳନା କରିବା ପାଇଁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ ହୋଇଛି ବୋଲି କହିଥିଲେ। ଏହି ନୂତନ ପରିଚାଳନା ପ୍ରକ୍ରିୟା ଅନୁଯାୟୀ ନବରଙ୍ଗପୁର ସହରର ପ୍ରାୟ ୬ହଜାର ୫ଶହ ପରିବାରକୁ ଡଷ୍ଟବିନ ଦିଆଯିବ। ସେହି ଡଷ୍ଟବିନରେ କଠିନ ଓ ବିଘଟନ ଜନିତ ବର୍ଯ୍ୟବସ୍ତୁକୁ ଅଲଗା ଅଲଗା ପକାଇବେ। ଆବର୍ଜନା ସଂଗ୍ରହକାରୀ ଗାଡି ଅଲଗା ଅଲଗା ବର୍ଯ୍ୟବସ୍ତୁ ସଂଗ୍ରହ କରିବେ। ସହର ସ୍କୁଲ ଓ ମାର୍କେଟ ୟାର୍ଡ ଗୁଡିକରେ କମ୍ପଷ୍ଟ ପିଟ୍ ପାଇଁ ଜାଗା ଚିହ୍ନଟ କରାଯିବ। ବିଘଟନ ବର୍ଯ୍ୟବସ୍ତୁ ଗୁଡିକୁ କମ୍ପଷ୍ଟ ପିଟ୍‌ରେ ରଖାଯାଇ ସାର ତିଆରି କରାଯାଇ ଚାଷୀଙ୍କୁ ବିକ୍ରୟ କରାଯିବ। ଏହି କାର୍ଯ୍ୟକ୍ରମରେ ନୂତନ କର୍ମଚାରୀ ନିୟୋଜିତ ହେବେ। ସେହପରି କଠିନ ବର୍ଯ୍ୟବସ୍ତୁ ଗୁଡିକ ଆବର୍ଜନା ଗଦେଇ ସ୍ଥାନରେ ରଖାଯିବ। ସେଠାରେ ବି ବିଭିନ୍ନ କବାଡି ବ୍ୟବସାୟୀ ଏବଂ ପଲିଥିନ ଗୋଟାଉଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇ ଯାହା ଦରକାର ସେମାନେ ନେବେ। ଯେଉଁ ଜିନିଷ ବଳକା ରହିବ ସେହି ବର୍ଯ୍ୟବସ୍ତୁକୁ ୱେଷ୍ଟ ମେନେଜମେଣ୍ଟ ଦ୍ବାରା ରିସାଇକେଲିଂ କରି ମାଟି‌ ତଳେ ପୋତାଯିବ। ଯାହାଦ୍ବାରା ସହରରେ ଆବର୍ଜନା ଆଉ ଗଦା ହୋଇ ରହିବ ନାହିଁ। ଏହି କାମରେ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷରେ ରୋଜଗାର ବଢ଼ିବ। ସେହିପରି ପ୍ରତି ପରିବାର ଚାହିଁଲେ ସେମାନେ ନିଜ ଘର ବାରିପଟେ କମ୍ପ‌ଷ୍ଟ ପିଟ୍ କରିପାରିବେ। ଅମ୍ବିକାପୁର ସହରକୁ ଏହି ପ୍ରକ୍ରିୟାରେ ବର୍ଯ୍ୟବସ୍ତୁ ପରିଚାଳନା କରିବା ପାଇଁ ୨ବର୍ଷ ସମୟ ଲାଗିଥିଲା। କିନ୍ତୁ ନବରଙ୍ଗପୁର ସହରରେ ଏହା ସାରିବା ପାଇଁ ଗୋଟିଏ ମାସର ଲକ୍ଷ୍ୟ ସୀମା ଧାର୍ଯ୍ୟ କରାଯାଇଛି। ସହର ମଧ୍ୟରେ ବ୍ୟାପକ ସଚେତନତା କରିବା ପାଇଁ ୨୬୪ଟି ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ନିୟୋଜିତ କରାଯିବ। ଏହି କାର୍ଯ୍ୟରେ ସମସ୍ତ ନାଗରିକ ସହଯୋଗ ରହିଲେ ନବରଙ୍ଗପୁର ସହର ସୁନ୍ଦର ଓ ସ୍ବଚ୍ଛ ହୋଇପାରିବ ବୋଲି ଜିଲ୍ଲାପାଳ ନିବେଦନ କରିଥିଲେ।
ଡିଆରଡିଏ ପ୍ରକଳ୍ପ ନିର୍ଦେଶକ ରମାକାନ୍ତ ନାୟକ ଛତିଶଗଡର ଅମ୍ବିକାପୁର ସହରରେ କିଭଳି ବର୍ଯ୍ୟବସ୍ତୁ ପରିଚାଳନା ହେଉଛି ତାହା ପ୍ରଦର୍ଶିତ କରିଥିଲେ। ନବରଙ୍ଗପୁର ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ବିନୟ କୁମାର ପଟେଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରଶିକ୍ଷଣ ଶିବିରରେ ଉପଜିଲ୍ଲାପାଳ କରୁଣାକର ରାଇକା, ଉମରକୋଟ ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ତହସିଲଦାର ଧର୍ମରାଜ ମାଝୀ, ନବରଙ୍ଗପୁର ତହସିଲଦାର ଜ୍ୟୋତିରଂଜନ ସେଠୀ, ୨ଜଣ ସଫେଇ କର୍ମଚାରୀ ସଞ୍ଜୁ ହରିଜନ ଓ ଲକ୍ଷ୍ମଣ ହରିଜନ ପ୍ରମୁଖ ମଞ୍ଚାସୀନ ହୋଇଥିଲେ। ନବରଙ୍ଗପୁର ସହରରେ ଦିନକୁ ୯.୨୭ ମେଟ୍ରିକ ଟନ୍ ବର୍ଯ୍ୟବସ୍ତୁ ବାହାରୁଥବା ବେଳେ ସେଥିମଧ୍ୟରୁ ୬.୨୫ ମେଟ୍ରିକ ଟନ୍ କେବଳ ବିଘଟନ ବର୍ଯ୍ୟବସ୍ତୁ। ଯାହାକି କମ୍ପଷ୍ଟ ସାର ହୋଇପାରିବ। କେବଳ ୨ ମେଟ୍ରେିକ ଟନ ହିଁ କଠିନ ବର୍ଯ୍ୟବସ୍ତୁ ବାହାରୁଛି। ଏହି କାର୍ଯ୍ୟକ୍ରମରେ ପୌର ପରିଷଦର ଉପେନ୍ଦ୍ର ସାହୁ, ଜ୍ୟୋତି ପରିଚ୍ଛା, ଦେବାଶିଷ ପ୍ରହରାଜ, କେ.ନାଗେଶ୍ବର ରାଓ, ମନ୍ମଥ ତ୍ରିପାଠୀ, ଶ୍ରୀକାନ୍ତ ଦାସ, ରାମ ଶଙ୍କର ଦାସ ପ୍ରମୁଖ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର