ଜିଲ୍ଲାରେ ପାନୀୟ ଜଳ ସମସ୍ୟା ଉତ୍କଟ

ବିଭାଗ କହୁଛି ଠିକଠାକ୍ ବାସ୍ତବରେ ଚୁଆ, ଝରଣା ପାଣି ପିଉଛନ୍ତି ଗ୍ରାମାଞ୍ଚଳବାସୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ହୋଇଥିବା ବେଳେ ସଂପୂର୍ଣ୍ଣ ଭାବେ ବଣ ପାହାଡ ଘେରରେ ରହିଛି। କେଉଁଠି ନଦୀ ବୋହିଯାଉଛି ତ ଆଉ କେଉଁଠି ପାଣିର ଦେଖା ମିଳୁ ନାହିଁ। ଏବେ ଜିଲ୍ଲାରେ ଜଳ ସଙ୍କଟ ଏକ ପ୍ରକାର ଉତ୍କଟ ରୂପ ନେଇଛି। ଜିଲ୍ଲାର ସାତୋଟି ଯାକ ବ୍ଲକରେ ଏକା ପ୍ରକାର ପରିସ୍ଥିତ ସୃଷ୍ଟି ହୋଇଛି। ଲୋକେ ପାଣି ପାଇଁ ମାଇଲ ମାଇଲ ବାଟ ଚାଲୁଥିବା ବେଳେ କେତେକ ସ୍ଥାନରେ ଲୋକେ ଚୁଆ ଓ ଝରଣା ପାଣି ଉପରେ ନିର୍ଭର କରୁଛନ୍ତି। ବର୍ତ୍ତମାନ ଗ୍ରୀଷ୍ଣ ପ୍ରବାହରେ ଜିଲ୍ଲାବାସୀ ସନ୍ତୁଳିତ ହେଉଥିବା ବେଳେ ପାନୀୟ ଜଳ ସଙ୍କଟ ଲୋକଙ୍କୁ ବେଡି ଉପରେ କରଡା ସଦୃଶ ହୋଇଛି। ଏନେଇ ବିଭାଗ କିନ୍ତୁ ସରକାରଙ୍କୁ ସବୁ ଠିକ ଚାଲିଥିବା ରିପୋର୍ଟ ପ୍ରଦାନ କରୁଛି। ବାସ୍ତବରେ କିନ୍ତୁ ଚିତ୍ର ସଂପୂର୍ଣ୍ଣ ଅଲଗା ରହିଛି।
ମାଲକାନଗିରି ଜିଲ୍ଲା ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ଅନୁସାରେ ଜିଲ୍ଲାରେ ୧୧ ହଜାର ୯୯୫ଟି ନଳକୂପ ରହିଛି। ସେଥିମଧ୍ୟରୁ ଚଳିତ ଗ୍ରୀଷ୍ମ ଋତୁ ଯୋଗୁଁ ୫୯୭ଟି ନଳକୂପ ଅଚଳ ଥିବା ବେଳେ ୫୫୩ଟି ନଳକୂପକୁ ସଚଳ କରାଯାଇଥିବା କୁହାଯାଇଛି। ତେବେ ୪୪ଟି ସଂପୂର୍ଣ୍ଣ ଅଚଳ ରହିଥିବା କୁହାଯାଇଛି। ସେହିପରି ପାଇପ ଜଳ ଯୋଗାଣ ପ୍ରକଳ୍ପ ୩୫୧ଟି ରହିଛି। ସେଥିମଧ୍ୟରୁ ୩୦ଟି ପ୍ରକଳ୍ପ ମାଧ୍ୟମରେ ଜଳ ଯୋଗାଣରେ ବାଧା ସୃଷ୍ଟି ହୋଇଥିବା ବେଳେ ୧୨ଟିର ମରାମତି କରାଯାଇଥିବା କୁହାଯାଇଛି। କିନ୍ତୁ ୧୮ଟି ପ୍ରକଳ୍ପର ମରାମତି ହୋଇପାରି ନାହିଁ। ଚିତ୍ରକୋଣ୍ଡା ବ୍ଲକରେ ୧୨୩୨ ନଳକୂପ ରହିଥିବା ବେଳେ ଚଳିତ ଗ୍ରୀଷ୍ମ ଋତୁରେ ୧୫୯ଟି ଅଚଳ ନଳକୂପ ମଧ୍ୟରୁ ୧୫୨ଟିକୁ ମରାମତି କରାଯାଇଥିବା କୁହାଯାଇଛି। ୫୮ଟି ପାଇପ ଜଳ ଯୋଗାଣ ପ୍ରକଳ୍ପ ରହିଥିବା ବେଳେ ୩ଟି ଖରାପ ଥିବାରୁ ଦୁଇଟିର ମରାମତି କରାଯାଇଥିବା କୁହାଯାଇଛି। କାଲିମେଳା ବ୍ଲକରେ ୨୬୮୭ଟି ନଳକୂପ ରହିଥିବା ବେଳେ ଚଳିତ ଗ୍ରୀଷ୍ମ ଋତୁରେ ୮୬ଟି ନଳକୂପ ଅଚଳ ଥିଲା। ସେଥିରୁ ୮୨ଟି ନଳକୂପକୁ ମରାମତି କରାଯାଇଥିବା କୁହାଯାଇଛି। ଏହି ବ୍ଲକରେ ୭୦ଟି ପାଇପ ଜଳ ଯୋଗାଣ ପ୍ରକଳ୍ପ ରହିଥିବା ବେଳେ ୧୦ଟି ଅଚଳ ପ୍ରକଳ୍ପ ମଧ୍ୟରୁ ୭ଟି ମରାମତି କରାଯାଇଥିବା କୁହାଯାଇଛି। ସେହିପରି ଖଇରପୁଟ ବ୍ଲକରେ ୧୨୪୩ଟି ନଳକୂପ ରହିଥିବା ବେଳେ ଚଳିତ ଗ୍ରୀଷ୍ମ ଋତୁରେ ଅଚଳ ହୋଇପଡିଥିବା ୧୪୦ଟି ନଳକୂପ ମଧ୍ୟରୁ ୧୩୩ଟି ନଳକୂପକୁ ମରାମତି କରାଯାଇଥିବା କୁହାଯାଇଛି। ସେହିପରି ୮୨ଟି ପାଇପ ଜଳ ଯୋଗାଣ ପ୍ରକଳ୍ପ ରହିଥିବା ବେଳେ ୨ଟି ଏବେ ବି ଖରା ହୋଇ ରହିଥିବା ବିଭାଗ କହିଛି। କୋରୁକୋଣ୍ଡା ବ୍ଲକରେ ୧୪୦୬ଟି ନଳକୂପ ରହିଥିବା ବେଳେ ୬୭ଟି ନଳକୂପ ଖରାପ ହୋଇ ପଡିରହିଛି। ସେଥିମଧ୍ୟରୁ ୫୫ଟି ମରାମତି କରାଯାଇଥିବା କୁହାଯାଇଛି। ସେହିପରି ୪୨ଟି ପାଇପ ଜଳ ଯୋଗାଣ ପ୍ରକଳ୍ପ ରହିଥିବା ବେଳେ ୮ଟି ଅଚଳ ହୋଇପଡିଥିଲା। ଗ୍ରାମବାସୀ ଅଭିଯୋଗ ପରେ ୩ଟି ସଚଳ ହୋଇଥିବା କୁହାଯାଇଛି। ମାଲକାନଗିରି ବ୍ଲକରେ ୨୨୬୨ଟି ନଳକୂପ ରହିଥିବା ବେଳେ ୫୮ଟି ନଳକୂପ ଖରାପ ଥିଲା। ବିଭାଗ ସେଥିରୁ ୫୫ଟି ନଳକୂପ ମରାମତି କରିଥିବା କହିଛି। ବ୍ଲକରେ ୫୦ଟି ପାଇପ ଜଳ ଯୋଗାଣ ପ୍ରକଳ୍ପ ରହିଥିବା ବେଳେ ୫ଟି ଏବେ ମଧ୍ୟ ଅଚଳ ହୋଇ ପଡିରହିଛି। ମାଥିଲି ବ୍ଲକରେ ୨୧୬୨ଟି ନଳକୂପ ରହିଥିବା ବେଳେ ୩୫ଟି ଅଚଳ ହୋଇ ପଡିରହିଥିଲା। ସେଥିମଧ୍ୟରୁ ୩୩ଟି ମରାମତି କରାଯାଇଥିବା ବିଭାଗ କହୁଛି। ଏହି ବ୍ଲକରେ ୪୦ଟି ପାଇପ ଜଳ ଯୋଗାଣ ପ୍ରକଳ୍ପ ରହିଥିବା ବେଳେ ୨ଟି ଏବେ ବି ଅଚଳ ହୋଇ ପଡିରହିଥିବା ବିଭାଗ କହୁଛି। ପଡିଆ ବ୍ଲକରେ ୧୦୦୩ଟି ନଳକୂପ ରହିଥିବା ବେଳେ ୫୨ଟି ନଳକୂପ ଅଚଳ ହୋଇ ପଡି ରହିଥିଲା। ତେବେ ବିଭାଗ ୪୩ଟିର ମରାମତି କରିଥିବା କହୁଛି। ସେହିପରି ବ୍ଲକରେ ୧୩ଟି ପାଇପ ଜଳ ପ୍ରକଳ୍ପ ରହିଥିବା ବେଳେ ସବୁ କର୍ଯ୍ୟକ୍ଷମ ଥିବା ବିଭାଗ କହୁଛି। ତେବେ ବିଭାଗ କେବଳ କାଗଜ କଲମରେ ସରକାରଙ୍କୁ ପ୍ରତି ସପ୍ତାହରେ ରିପୋର୍ଟ ପ୍ରଦାନ କରି ବସିଯାଉଥିବା ଅଭିଯୋଗ ହୋଇଛି। ଜିଲ୍ଲାର ବିଭିନ୍ନ ସ୍ଥାନରେ ଏବେ ବି ଲୋକେ ଚୁଆ ଓ ଝରଣା ପାଣି ଉପରେ ନିର୍ଭର କରୁଥିବା ବେଳେ ରିପୋର୍ଟରେ କେତେ ସତ୍ୟତା ରହିଛି ତାହା ତଦନ୍ତ କରାଯିବା ପାଇଁ ଦାବି ହୋଇଛି।

ସମ୍ବନ୍ଧିତ ଖବର