କାଳବୈଶାଖୀ ତାଣ୍ଡବ ଶହେରୁ ଊର୍ଧ୍ବ ଘର ନଷ୍ଟ

କୋଷାଗୁମୁଡା: ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକରେ ଆଜି କାଳବୈଶାଖୀ ତାଣ୍ଡବ ଦେଖିବାକୁ ମିଳିଛି। ପ୍ରବଳ ପବନ ସହ ବର୍ଷା ହେବାରୁ ଆଟିଗାଁ ଓ ଗୋଟିବେଡା ଗ୍ରାମର ବହୁ ଲୋକଙ୍କ ଘର ନଷ୍ଟ ହୋଇଯାଇଛି। ସୂଚନା ଅନୁଯାୟୀ ଆଜି ସନ୍ଧ୍ୟା ସାଢେ ୬ଟାରେ ଗୋଷାଗୁମୁଡା ବ୍ଲକର ବିଭିନ୍ନ ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ପ୍ରବଳ ବେଗରେ ପବନ ସହ ଘଡଘଡି ଓ ବର୍ଷା ହୋଇଥିଲା। ଫଳରେ ଆଟିଗାଁ ପଞ୍ଚାୟତ ସଦର ଓ ଗୋଟିବେଡା ଗ୍ରାମର ଧନସାଇ ଭତରା, ଚକ୍ରଧର ଭତରା, ହରିନାଥ ଭତରା, ମଣ୍ଡିଆ ଭତରା, ସୁକୁମନ ଭତରା, ଈଶ୍ବର ଗୌଡ, ବୁଦୁରାମ ଗୌଡ, ଲକମୁ ଭତରା, ଶିବ ଭତରା, ବନମାଳି ଭତରା, ଧନିରାମ ବଞ୍ଜାରା, ଗୋବର୍ଦ୍ଧନ ଭତରା, ଲକିଚନ୍ଦ୍ର ବଞ୍ଜାରା, ବୁଦୁରୁ ବଞ୍ଜାରା ଏବଂ ରଂଜିତ ନାୟକଙ୍କ ଘର ଛପର ସଂପୂର୍ଣ୍ଣ ଉଡିଯାଇଛି। ପ୍ରାୟ ଏକ ଘଣ୍ଟା ଧରି ପ୍ରବଳ ବର୍ଷା ହେବାରୁ ଘରର ଆସବାପତ୍ର, ସହ ଧାନ, ଚାଉଳ ସବୁ ନଷ୍ଟ ହୋଇଯାଇଥିବା ଦେଖିବାକୁ ମିଳିଛି। ବିଦ୍ୟୁତ ଖୁଣ୍ଟ ଭାଙ୍ଗିବା ସହ ଗଛ ଭାଙ୍ଗି ଲୋକଙ୍କ ଘର ଉପରେ ପଡିଯିବାରୁ ଘର ଗୁଡିକ ନଷ୍ଟ ହୋଇଯାଇଛି। ଗୋଟିବେଡାରେ ବହୁ ଘରର ଟିଣ ଛପର ଉଡି ଯାଇଥିବା ବେଳେ ଅନେକଙ୍କ ଘର ଉପରେ ଗଛ ପଡିଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର