ନବବର୍ଷରେ ପର୍ଯ୍ୟଟନସ୍ଥଳୀରେ ପ୍ରବଳ ଭିଡ଼

ବିକାଶ ହେଉନଥିବାରୁ ପର୍ଯ୍ୟଟକ ମହଲରେ ଅସନ୍ତୋଷ

ତେନ୍ତୁଳିଖୁଣ୍ଟି: ନୂତନ ବର୍ଷକୁ ସ୍ବାଗତ ଓ ପୁରୁଣା ବର୍ଷକୁ ବିଦାୟ ଦେବା ପାଇଁ ତେନ୍ତୁଳିଖୁଣ୍ଟି ବ୍ଲକର ବିଭିନ୍ନ ପର୍ଯ୍ୟଟନସ୍ଥଳୀରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା। ଡିସେମ୍ବର ମାସ ଶେଷ ସପ୍ତାହରୁ ଘୁମରେଶ୍ବର, ରାଇସିଂଯୋଡି, ଡକରାଦୋରା ଭଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକଙ୍କ ଦ୍ବାରା ବଣଭୋଜିର ଆୟୋଜନ କରାଯାଇଥିଲା। ବିଶେଷ କରି ଜାନୁଆରି ୧ ଓ ୨ ତାରିଖରେ ଶହ ଶହ ସଂଖ୍ୟାରେ ପର୍ଯ୍ୟଟକଙ୍କ ସୁଅ ଛୁଟିଥିଲା। ପର୍ଯ୍ୟଟକ ଭୋଜିଭାତରେ ମସଗୁଲ ରହିବା ସହ ପର୍ଯ୍ୟଟନସ୍ଥଳୀର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ବେଶ୍‌ ଉପଭୋଗ କରିଥିଲେ। ନୂତନ ବର୍ଷକୁ ସ୍ମରଣୀୟ କରିବା ପାଇଁ ଅନେକ ପର୍ଯ୍ୟଟକ ସେଲ୍‌ଫି ଉଠାଇଥିଲେ। ଘୁମରେଶ୍ବର, ରାଇସିଂଯୋଡି, ଡକରା‌େଦାରା ଏବଂ ନୀଳକଣ୍ଠେଶ୍ବର ପୀଠ ତେନ୍ତୁଳିଖୁଣ୍ଟି ପଞ୍ଚାୟତର ଜଙ୍ଗଲ ଘେରା ମଧ୍ୟରେ ରହିଥିବାରୁ ଏଠାକାର ସୌନ୍ଦର୍ଯ୍ୟ ଅତି ରମଣୀୟ। ତେଣୁ ପର୍ଯ୍ୟଟକ ମାନେ ପ୍ରତିବର୍ଷ ଏହି ସ୍ଥାନକୁ ଚୟନ କରି ନବବର୍ଷ ପାଳନ କରିବାକୁ ଆସିଥାନ୍ତି। ତେନ୍ତୁଳିଖୁଣ୍ଟି ସଦର ମହକୁମାରୁ ୮ କିଲୋମିଟର ଦୂରରେ ରହିଛି ରାଇସିଂ ଯୋଡି ପର୍ଯ୍ୟଟନସ୍ଥଳୀ। ଏହା ଠାରୁ ମାତ୍ର ଏକ କିଲୋମିଟର ଦୂରରେ ରହିଛି ନୀଳକଣ୍ଠେଶ୍ବର ପୀଠ ଏବଂ ଘୁମରେଶ୍ବର ଜଳପ୍ରପାତ। ଘୁମରଠାରୁ ୫କିଲୋମିଟର ଦୂରରେ ତଥା ମୁଣ୍ଡାଗୁଡା ନିକଟରେ ରହିଛି ଡକରାଦୋରା ଜଳପ୍ରପାତ। ନିଘଞ୍ଚ ଜଙ୍ଗଲ, ସୁଉଚ୍ଚ ପାହାଡ, ଝରଣା ସହ ମନୋରମ ପ୍ରାକୃତିକ ସୌନ୍ଦର୍ଯ୍ୟ ପର୍ଯ୍ୟଟକଙ୍କୁ ବେଶ୍ ଆକୃଷ୍ଟ କରୁଛି। ଚଳିତ ବର୍ଷ ଏହି ସମସ୍ତ ପର୍ଯ୍ୟଟନସ୍ଥଳୀକୁ ଇନ୍ଦ୍ରାବତୀ, ଅଞ୍ଚଳଗୁମ୍ମା, ନବରଙ୍ଗପୁର, ବୋରିଗୁମ୍ମା, ଜୟପୁର, ଡାବୁଗା‌ଁ, ଉମରକୋଟ, ରାଇଘର ଅଞ୍ଚଳ ସମେତ ପଡୋଶୀ ଛତିଶଗଡ ରାଜ୍ୟରୁ ମଧ୍ୟ ପର୍ଯ୍ୟଟକଙ୍କ ସୁଅ ଛୁଟିଥିଲା। କିନ୍ତୁ ବିଡମ୍ବନାର ବିଷୟ ଏହି ସମସ୍ତ ପର୍ଯ୍ୟଟନସ୍ଥଳୀର ବିକାଶ ଦିଗରେ ପ୍ରଶାସନ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇନି। ତେନ୍ତୁଳିଖୁଣ୍ଟିରୁ ରାଇସିଂଯୋଡି ଓ ମଙ୍ଗରଦୋରା ପର୍ଯ୍ୟନ୍ତ ପ୍ରଧାନ ମନ୍ତ୍ରୀ ସଡକ ନିର୍ମାଣ ହୋଇଛି। କିନ୍ତୁ ‌ଡକରାଦୋରା ଓ ନୀଳକଣ୍ଠେଶ୍ବର ଶୈବ ପୀଠ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ହୋଇନଥିବାରୁ ଏହି ସ୍ଥାନକୁ ଯିବା ଆସିବାରେ ପର୍ଯ୍ୟଟକଙ୍କୁ ଉକ୍ତ କଠିନ ପରିଶ୍ରମ କରିବାକୁ ପଡୁଛି। ଏହି ସମସ୍ତ ପର୍ଯ୍ୟଟନସ୍ଥଳୀର ବିକାଶ ନିମନ୍ତେ ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଗଲେ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇଥାନ୍ତା ବୋଲି ସମାଜସେବୀ ବି. ପଲା ରାଓ, ପ୍ରଦ୍ୟୁମ୍ନ ଦାସ, ପ୍ରଦୀପ ଦାସ, ରବି ପାଣିଗ୍ରାହୀ, ଅଜୟ ହିଆଲ, ଚୁନୁ ପାତ୍ର, ନୁନୁ ପାତ୍ର, ଭିକିବାବୁ ପାତ୍ର, ପିଙ୍କୁ ସାହୁ, ଦାମୋଦର ଜାନୀ ପ୍ରମୁଖ ପ୍ରକାଶ କରିଛନ୍ତି ।

ସମ୍ବନ୍ଧିତ ଖବର