ଅନଶନକାରୀଙ୍କ ସହ ନରସିଂହଙ୍କ ଆଲୋଚନା

ତୃତୀୟ ଦିନରେ ପାରା ମେଡିକାଲ କର୍ମୀଙ୍କ ଆନ୍ଦୋଳନ

ବଲାଙ୍ଗୀର: ନାଗରିକର ମୌଳିକ ଅଧିକାରକୁ କୌଣସି ବ୍ୟକ୍ତି କିମ୍ବା ସରକାର ଛଡ଼ାଇ ନେଇ ପାରିବେ ନାହିଁ। ତେଣୁ ଅନଶନରେ ଥିବା ପାରା ମେଡ଼ିକାଲ କର୍ମଚାରୀମାନେ ନ୍ୟାୟ ସଙ୍ଗତ ଅଧିକାର ପାଇବାକୁ ହକ୍‌ଦାର। ବଲାଙ୍ଗୀର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଷ୍ଟ୍ରଗଲିଂ ୟୁଥ୍‌ ଓଡ଼ିଶା ନେତୃତ୍ୱରେ ଅନଶନ ଚଳାଇଥିବା ପାରା ମେଡ଼ିକାଲ କର୍ମଚାରୀଙ୍କ ଆନ୍ଦୋଳନ ସ୍ଥଳରେ ପହଞ୍ଚି ବଲାଙ୍ଗୀର ବିଧାୟକ ତଥା ବିରୋଧୀ ଦଳ ନେତା ନରସିଂହ ମିଶ୍ର ଏହା କହିଛନ୍ତି।
ଗତ ୩ ଦିନ ଧରି ସାରା ରାଜ୍ୟ ପାରା ମେଡ଼ିକାଲ କର୍ମଚାରୀମାନେ ତାଙ୍କ ଚାକିରି ସର୍ତ୍ତାବଳୀ ତଥା ଚାକିରିର ଅନିଶ୍ଚିତତାକୁ ନେଇ ଆନ୍ଦୋଳନ ଜାରି ରଖିଛନ୍ତି। ଗତ ନିର୍ବାଚନ ପୂର୍ବରୁ ସରକାରଙ୍କୁ ଯେତେବେଳେ ଦରକାର ଥିବା ପାରା ମେଡ଼ିକାଲ କର୍ମୀ ସେତେବେଳେ ସରକାରୀ ବିଜ୍ଞପ୍ତି ଜରିଆରେ ସେମାନଙ୍କୁ ଚୁକ୍ତିଭିକ୍ତିକ ନିଯୁକ୍ତି ପ୍ରଦାନ କରିଥିଲେ। ଆନ୍ଦୋଳନ କର୍ମୀଙ୍କ ଅଭିଯୋଗ ଅନୁସାରେ, ସରକାର ସେତେବେଳେ ସେମାନଙ୍କୁ ଅନ୍ୟାନ୍ୟ ଚିକ୍ତିଭିକ୍ତିକ ନିଯୁକ୍ତି ଭଳି ସେମାନଙ୍କୁ ୬ ବର୍ଷ ପରେ ଚାକିରିରେ ନିୟମିତ କରିବାର ଥିଲା ।

କିନ୍ତୁ ଦୁଃଖର କଥା ୨୦୧୩ ମସିହାରେ ୧୦ ହଜାର ୩୦୧ପଦବି ପାଇଁ ବିଜ୍ଞପ୍ତି ପ୍ରକାଶ କରିଥିବା ରାଜ୍ୟ ସରକାର ମାତ୍ର ଚତୁର୍ଥାଂଶ ନିଯୁକ୍ତି ଦେଇଥିଲେ । ପରବର୍ତ୍ତୀ ସମୟରେ ବର୍ତ୍ତମାନ ସରକାର ସେହି ପାରା ମେଡିକାଲ କର୍ମଚାରୀଙ୍କ ମଧ୍ୟରୁ ଅଳ୍ପ କର୍ମଚାରୀଙ୍କୁ ଜାତୀୟ ସ୍ୱାସ୍ଥ୍ୟ ମିସନ ଅଧୀନକୁ ନେଇ ଦରମା ପ୍ରଦାନ କରୁଛନ୍ତି । ବଳକା ରହିଥିବା ସିଂହ ଭାଗ ପାରା ମେଡ଼ିକାଲ କର୍ମୀଙ୍କ ଭାଗ୍ୟ କଣ ହେବ ସରକାରଙ୍କ ପାଖରେ ମଧ୍ୟ ଜବାବ ନାହିଁ। ରାଜ୍ୟ ସରକାର ନିଜେ ଏକ ଆଦର୍ଶ ନିଯୁକ୍ତି ସ୍ଥାନରେ ରାଜ୍ୟର ହଜାର ହଜାର ବେକାର ଯୁବକ ଯୁବତୀଙ୍କୁ ଚୁକ୍ତିଭିକ୍ତିକ ଚାକିରି ଦେଇ ତାଚ୍ଛଲ୍ୟ କରୁଛନ୍ତି । ବିରୋଧୀ ଦଳ ନେତା ଶ୍ରୀ ମିଶ୍ର ଆନ୍ଦୋଳନରତ କର୍ମୀଙ୍କ ସହ ନେତୃତ୍ୱ ନେଉଥିବା ଷ୍ଟ୍ରଗଲିଂ ୟୁଥ୍‌ର ଆକବର ଖାନ୍‌ଙ୍କଠାରୁ ତାଙ୍କ ସମସ୍ୟା ବାବଦରେ ଶୁଣିବା ପରେ ଆଗାମୀ ବିଧାନସଭା ଅଧିବେଶନରେ ସେ ସରକାରଙ୍କୁ ପ୍ରଶ୍ନ କରିବେ ବୋଲି ଆନ୍ଦୋଳନକାରୀଙ୍କୁ ପ୍ରତିଶୃ୍ରତି ଦେଇଥିଲେ। ଯଦି ଦରକାର ହୁଏ ବିଧାନସଭା ବାହାରେ ମଧ୍ୟ ବିଭାଗୀୟ ଅଧିକାରୀମାନଙ୍କୁ ଡ଼କାଇ ଆନ୍ଦୋଳନରତ କର୍ମୀଙ୍କ ନ୍ୟାର୍ଯ୍ୟ ଦାବି ଉପରେ ଆଲୋଚନା କରିବେ ବୋଲି ମତ ଦେଇଥିଲେ।

ସମ୍ବନ୍ଧିତ ଖବର