ନକ୍ସଲ ହିଂସା: ଲ୍ୟାଣ୍ଡମାଇନରେ ଗାଡି ଉଡାଇଲେ, ସରପଂଚଙ୍କ ସମେତ ୩ ଜଣଙ୍କୁ ହତ୍ୟା କଲେ

ମାଲକାନଗିରି: ନକ୍ସଲମାନେ ସରକାରଙ୍କ ଜନମଙ୍ଗଳକାରୀ ଯୋଜନାକୁ ଗ୍ରହଣ କରି ନାହାନ୍ତି। ଓଡ଼ିଶା ସୀମାରେ ପୁଣି ଥରେ ନକ୍ସଲ ହିଂସା ଦେଖିବାକୁ ମିଳିଛି। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ବିଜାପୁର ଓ ଦନ୍ତେଓ୍ଵାଡା ଜିଲ୍ଲାରେ ନକ୍ସଲ ମାତିଛନ୍ତି। ସୀମାନ୍ତରେ ଅଳ୍ପ ସମୟ ମଧ୍ୟରେ ନକ୍ସଲମାନେ ୩ଟି ସ୍ଥାନରେ ହିଂସାକାଣ୍ଡ ଘଟାଇଛନ୍ତି। ବିଜାପୁର ଜିଲ୍ଲା ଗାଂଗଲୁର ଥାନା ଅଂଚଳରେ ଦୁଇ ଜଣ ଗ୍ରାମବାସୀଙ୍କୁ ପୁଲିସ ଇନଫର୍ମର ଦର୍ଶାଇ ନକ୍ସଲ ହତ୍ୟା କରିଥିବା ବେଳେ ଅନ୍ୟ ଏକ ଘଟଣାରେ ସରପଂଚଙ୍କ ସ୍ୱାମୀଙ୍କୁ ଜୀବନ ନେଇଛନ୍ତି। ସେହିପରି ନକ୍ସଲମାନେ ଏକ ସୁମୋ ଗାଡ଼ିକୁ ଲ୍ୟାଣ୍ଡମାଇନ୍‌ ଲଗାଇ ଉଡାଇ ଦେଇଛନ୍ତି।

ଦନ୍ତେଓ୍ଵାଡା ଜିଲ୍ଲାର ହାନ୍ଦାବାଡା ଗ୍ରାମରେ ନକ୍ସଲମାନେ ସରପଞ୍ଚଙ୍କ ସ୍ୱାମୀକୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି। ମୃତ ବ୍ୟକ୍ତିଙ୍କ ନାମ ହେଲା ସନ୍ତୋଷ କଶ୍ୟପ।

ଅନ୍ୟ ଏକ ଘଟଣା ବାସାଗୁଡା ଥାନା ଅଂଚଳରେ ଘଟିଛି। ବାସାଗୁଡା ଠାରୁ ତରେମ ମଧ୍ୟରେ ନକ୍ସଲ ଏକ ଜଂଗଲିଆ ରାସ୍ତାରେ ସୁରକ୍ଷାକର୍ମୀଙ୍କ ଗାଡି ଭାବି ଏକ ସୁମୋ ଗାଡିକୁ ଟାର୍ଗେଟ କରି ବିସ୍ଫୋରଣ କରିଥିଲେ। ଏଥିରେ ସୁମୋ ଗାଡିରେ ବସିଥିବା ଦୁଇ ଜଣ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ସେମାନେ ହେଲେ ମହମ୍ମଦ ଇକବାଲ ଏବଂ ବଳରାମ ପ୍ରଧାନ। ବାସାଗୁଡା ପ୍ରାଥମିକ ଚିକିତ୍ସାଳୟରେ ଦୁଇ ଜଣଙ୍କୁ ଭର୍ତ୍ତି କରାଯାଇଛି। ଏସ୍‌ପି କମଳଲୋଚନ କଶ୍ୟପ ଏହି ଘଟଣାର ପୁଷ୍ଟି କରିଛନ୍ତି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର