ଏମ୍‌ନରେଗାରେ ବଡ଼ ଦୁର୍ନୀତି:ଜଙ୍ଗଲ ଜମି ଖୋଳି ରାସ୍ତା ନିର୍ମାଣ

ନୂଆଗାଁ: ମହାତ୍ମାଗାନ୍ଧି ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଏକ ବଡ଼ ଧରଣର ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ହୋଇଛି। ଠିକାଦାର ଜଙ୍ଗଲ ଜମି ତାଡ଼ି ରାତିଅଧିଆ ରାସ୍ତା ନିର୍ମାଣ କରି ବିଲ୍‌ କରିବାକୁ ମସୁଧା ଆରମ୍ଭ କରିଛି। ଏସବୁ ବ୍ଲକ୍ ପ୍ରଶାସନ ଜାଣତରେ ହେଉଥିବା ବେଳେ ସବୁ ଦୁର୍ନୀତିକୁ ଆଖି ବୁଜି ଦେଇଛି ପ୍ରଶାସନ। ଏଭଳି ଦୁର୍ନୀତି ନୂଆଗାଁ ବ୍ଲକ୍ ମାଳିସାହି ପଞ୍ଚାୟତ ବେଗୁନିଆସାହିଠାରୁ ଗୋଛାବାରୀ ରାସ୍ତା କାମରେ ଦେଖିବାକୁ ମିଳିଛି। ବନ ବିଭାଗ ପାଖରେ ଏହାର ତିଳେ ମାତ୍ର ସୂଚନା ନଥିବା ବେଳେ ଏହା ଗ୍ରାମ୍ୟ ବିଭାଗ ଅଧୀନରେ ଯାଉଥିବା ଜଣାପଡ଼ିଛି।
ଖବରରୁ ପ୍ରକାଶ, ମାଳିସାହି ପଞ୍ଚାୟତ ବେଗୁନିଆସାହିଠାରୁ ଗୋଛାବାରୀ ମହାତ୍ମା ଗାନ୍ଧି ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ୭ ଲକ୍ଷ ଟଙ୍କାର ଅନୁଦାନ ଦିଆଯାଇଛି। ୨୦୧୮–୧୯ ମସିହାରେ ଠିକାଦାର କାମ ଆରମ୍ଭ କରି ଚଂଚକତା କରି ଲୋକଙ୍କ ବଦଳରେ ମେସିନ ସାହାଯ୍ୟରେ କାମ କରିଥିବା ନେଇ ଅଭିଯୋଗ ହୋଇଛି। କେବଳ ସେତିକି ନୁହେଁ ସମସ୍ତ ସରକାରୀ ନିୟମ କାନୁନକୁ ଉଲ୍ଲଂଘନ କରି କାର୍ଯ୍ୟ କରାଯାଇଥିବା ଜଣାପଡିଛି। ସରକାରୀ ନିୟମ କହୁଛି କାମ ଚାଲିଥିବା ସମୟରେ କାର୍ଯ୍ୟରେ ନିୟୋଜିତ ହୋଇଥିବା ଶ୍ରମିକମାନଙ୍କ ଉପସ୍ଥିତିକୁ ଦେଖି ପ୍ରତି ସାତଦିନରେ ଥରେ ସେମାନଙ୍କୁ ପାରିଶ୍ରମିକ ଦିଆଯିବ। କିନ୍ତୁ ଏଠାରେ ତାହା କରାନଯାଇ କାମ ସରିବାର ଚାରିମାସ ପରେ ବିଲ୍ କରିବାକୁ ଯୋଜନା କରାଯାଇଛି। କିଭଳି କେଉଁ ପରିସ୍ଥିତିରେ ବ୍ଲକ୍ ପ୍ରଶାସନ ବିଲ୍ କରିବାକୁ ଉଦ୍ୟମ କରୁଛି ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

କେବଳ ସେତିକି ନୁହେଁ ୭ ଲକ୍ଷ ଟଙ୍କାର ବ୍ୟୟବରାଦରୁ ଅଳ୍ପ କିଛି କାମ କରି ସବୁ ଟଙ୍କାକୁ ଉଠାଇ ନେବାକୁ ମସୁଧା କରାଯାଇଛି। ଜେସିବି ଯୋଗେ କାମ ହୋଇଥିବା ବେଳେ ଠିକାଦାର ନିଖୋଜ ଥିବା କିମ୍ବା ମୃତ୍ୟୁବରଣ କରିଥିବା ଏବଂ ଅନ୍ୟ କିଛି ଶ୍ରମିକଙ୍କ ଜବ୍‌କାର୍ଡକୁ ନିଜ କବଲତରେ ରଖି ଟଙ୍କା ଉଠାଇବାକୁ ପ୍ରୟାସ ଆରମ୍ଭ କରିଛି। ଏଥିରେ ବ୍ଲକ୍‌ର କିଛି କର୍ମଚାରୀ ସାମିଲ୍ ଥାଇ ଏସବୁ କରୁଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ମାଳିସାହି ସରପଞ୍ଚ ପର୍ଶୁରାମ ସ୍ବାଇଁ, ତାଙ୍କ ଅଜାଣତରେ କାମ ହୋଇଥିବା କହିଥିବା ବେଳେ ଜଙ୍ଗଲ ଜମି ଦେଇ କିଭଳି ରାସ୍ତା ନିର୍ମାଣ କରାଗଲା ବୋଲି ପ୍ରଶ୍ନ କରିଛନ୍ତି। ବ୍ଲକ୍‌ ସହକାରୀ ଯନ୍ତ୍ରୀ ନକୁଳ ରାଉତ, ସେ ବିଷୟରେ କିଛି ଜାଣିନଥିବା କହିଛନ୍ତି।

ସମ୍ବନ୍ଧିତ ଖବର