ଭଞ୍ଜନଗର ଡାକ୍ତରଖାନା, ୯ କୋଟି ଟଙ୍କାରେ ନିର୍ମାଣ ହେବ ମାତୃ, ଶିଶୁମଙ୍ଗଳ କେନ୍ଦ୍ର

ଭଞ୍ଜନଗର: ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟ ରୋଗୀ କଲ୍ୟାଣ ସମିତି ବୈଠକ ଅଧ୍ୟକ୍ଷ ତଥା  ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ପ‌ୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି। ମେଡ଼ିକାଲ୍‌ ଅଧୀକ୍ଷକ ଡ.ସୀତାଂଶୁ ଶେଖର ଶତପଥି ପୂର୍ବ ବୈଠକର ବିବରଣୀ ପାଠ କରିଥିଲେ। ଏଥିରେ ମୁଖ୍ୟତଃ ଭିତ୍ତିଭୂମି ବିକାଶ ଓ ରୋଗୀ ସେବା ବ୍ୟବସ୍ଥିତ ଉପରେ ଆଲୋଚନା ହୋଇଥିଲା। କରୋନା କଟକଣା ପାଇଁ ଅଧପନ୍ତରିଆ ହୋଇ ପଡ଼ି ରହିଥିବା ସମସ୍ତ କାର୍ଯ୍ୟକୁ ତ୍ବରାନ୍ବିତ କରିବା ଏବଂ ମାତୃ ଓ ଶିଶୁ ମଙ୍ଗଳ ଚିକିତ୍ସାଳୟ କାର୍ଯ୍ୟ ତୁରନ୍ତ ଆରମ୍ଭ କରିବା ଉପରେ ଗୁରୁତ୍ବାରୋପ କରାଯାଇଥିଲା।
ଡାକ୍ତରଖାନା ନିକଟରେ ଥିବା ଯାନବାହାନ ଷ୍ଟାଣ୍ଡ୍‌ ଠାରେ  ୨୪୦ ଫୁଟ ଲମ୍ବ ଓ ୧୨୦ ଫୁଟ ଓସାରରେ ପ୍ରାୟ ୯ କୋଟି ଟଙ୍କା ବ୍ୟୟରେ ମାତୃ ଓ ଶିଶୁ ମଙ୍ଗଳ ଚିକିତ୍ସାଳୟ କୋଠା ନିର୍ମାଣ ହେବ। ଏହି ତିନି ମହଲା ବିଶିଷ୍ଟ କୋଠାରେ ମାତୃ ଓ ଶିଶୁଙ୍କ ପାଇଁ ବିଭିନ୍ନ ବିଭାଗରେ ଅତ୍ୟାଧୁନିକ ଚିକିତ୍ସା ଯୋଗାଇ ଦିଆଯିବ ବୋଲି ସୂଚନା ମିଳିଛି। ସେହିପରି ଉନ୍ନୟନ କାର୍ଯ୍ୟ ପାଇଁ ବିଧାୟକ ପାଣ୍ଠିରୁ ୫ ଲକ୍ଷ ଟଙ୍କା ପ୍ରଦାନ କରିବା ‌ନେଇ ମନ୍ତ୍ରୀ ଶ୍ରୀ ଆରୁଖ କହିଥିଲେ। ‌ଏହାସହ  ସାଂସଦ ପାଣ୍ଠିରୁ ଗୋଟିଏ ଆମ୍ବୁଲାନ୍ସ ବ୍ୟବସ୍ଥା ଯୋଗାଇଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।  ସେହିପରି ଡାକ୍ତରଖାନା ପରିସରରେ ଏକ ବଡ଼ ହାଇମାଷ୍ଟ୍ ଲାଇଟ୍ ଲଗାଇବାକୁ ସ୍ଥିର କରାଯାଇଛି।
ଅନ୍ୟପକ୍ଷରେ ଡାଏଲେସିସ୍‌ ଓ ଫିଜିଓଥେରାପି ଚିକିତ୍ସା ଆରମ୍ଭ କରିବା ପାଇଁ ରୁମ୍‌ର ଆବଶ୍ୟକତା ଉପରେ ଅଧୀକ୍ଷକ ମନ୍ତ୍ରୀଙ୍କ ଦୃଷ୍ଟିଆକର୍ଷଣ କରିଥିଲେ। ସେହିପରି ୨୫୦ କେଭିର ଟ୍ରାନସଫର୍ମର ସ୍ଥାପନ, ଡାକ୍ତରଖାନା ପରିସରକୁ ସଂପୂର୍ଣ୍ଣ ପିଚୁ କରିବା, ୨୪ ଘଣ୍ଟିଆ ନିରାମୟ ସେବା ପ୍ରଦାନ କରିବାକୁ  ଫାର୍ମାସିଷ୍ଟ୍‌ ନିୟୋଜନ ଏବଂ ଆନୁଷ୍‌ଙ୍ଗିକ ବ୍ୟବସ୍ଥା, ଅଧିକ ଡାକ୍ତର ନିଯୁକ୍ତି ଓ ପରିମଳ ଉପରେ ଆଲୋଚନା  ହୋଇଥିଲା। ପରିଚାଳନା କମିଟି ପକ୍ଷରୁ ଆୟବ୍ୟହ ହିସାବ ଆଗତ କରାଯିବା ପରେ ଏହା ଗୃହୀତ ହେଇଥିଲା।  ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ, ବ୍ଲକ୍ ଅଧ୍ୟକ୍ଷ ବିନ ଦଳବେହେରା, ବିଡିଓ ଅନୀଲ କୁମାର ସେଠୀ, ତହସିଲଦାର ଆଲୋକ ପ୍ରଧାନ, ଆଇନଜୀବୀ ରାଜେନ୍ଦ୍ର କୁମାର ପ୍ରଧାନ,ଏସ୍‌ଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ର, ଥାନାଧିକାରୀ ସୁଦୀପ୍ତ କୁମାର ସାହୁ, ସଦସ୍ୟ ପ୍ରଶାନ୍ତ ମହାନ୍ତି, ପୂର୍ତ୍ତ ବିଭାଗ ଯନ୍ତ୍ରୀ ରମେଶ ପ୍ରସାଦ ସ୍ବାଇଁ ଓ ଇଓ ଚିନ୍ମୟ ଆଚାର୍ଯ୍ୟ ପ୍ରମୁଖ ବୈଠକରେ ଅଂଶ ଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର