ନୂଆ ବର୍ଷରୁ ନୂଆ ନିୟମ: ଅନଲାଇନ୍ ଟିକେଟ କାଟି ଶ୍ରୀଜିଉଙ୍କୁ ଦର୍ଶନ କରିବେ ଭକ୍ତ, ଲାଗିବ ଅବଢ଼ା ଦର ତାଲିକା

ପୁରୀ: ପୁରୀ ଶ୍ରୀମନ୍ଦିରରେ ନୂଆବର୍ଷରୁ ଲାଗୁ ହେବ ନୂଆ ନିୟମ। ଆନନ୍ଦ ବଜାରରେ  ଲାଗିବ ଅବଢା ଦର ତାଲିକା ।  ଅବଢାର ମୂଲ୍ୟ କେତେ ରହିବ ସେନେଇ ଶ୍ରୀମନ୍ଦିର ପ୍ରଶାସନ ରେଟ ଚାର୍ଟ ଲଗାଇବ । ଆନନ୍ଦବଜାରକୁ ଶୃଙ୍ଖଳିତ କରିବା ଲାଗି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେବା ପରେ ଅବଢା ଦର ନିର୍ଦ୍ଧାରଣ କରିବାକୁ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଛି । ଏହାଛଡା ଶ୍ରୀଜିଉଙ୍କୁ ଭିତରକାଠ ନିକଟରୁ ଦର୍ଶନ ପାଇଁ ଅନଲାଇନ ଟିକେଟ ବ୍ୟବସ୍ଥା ହୋଇପାରେ। ବୁଧବାର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ତେବେ ନିର୍ଦ୍ଦିଷ୍ଟ କେଉଁ ତାରିଖରୁ ଏହି ନୂଆ ନିୟମ ଲାଗୁ କରାଯିବ ସେ ନେଇ କୌଣସି ନିଷ୍ପତ୍ତି  ନିଆଯାଇନାହିଁ ।

ଅନଲାଇଟ ଟିକେଟ କାଟି ଭକ୍ତମାନେ ଭିତରକାଠ ନିକଟରୁ ଶ୍ରୀଜିଉକୁ ଦର୍ଶନ କରିପାରିବେ। ତେବେ ସାହାଣମେଳା ସମୟରେ ବିନା ଟିକେଟରେ ମଧ୍ୟ ଭକ୍ତମାନେ ପାରମାଣିକ ଦର୍ଶନ କରିପାରିବେ ବୋଲି ସୂଚନା ମିଳିଛି । ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ବିଭିନ୍ନ ସେବାୟତ ନିଯୋଗ ମଧ୍ୟ ସାମିଲ ହୋଇଛନ୍ତି । ଏହାଛଡା ନୂଆବର୍ଷରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାରିକେଡର ବ୍ୟବସ୍ଥା କରାଯାଇଛି । କାରଣ ନୂଆବର୍ଷରେ ୬ରୁ୭ ଲକ୍ଷ ଭକ୍ତଙ୍କ ସମାଗମ ହେବାର ସମ୍ଭାବନା ରହିଛି ।

ସମ୍ବନ୍ଧିତ ଖବର