୨୩ ମଣ୍ଡିରୁ ମଞ୍ଜିଟିଏ ବି ଧାନ ଉଠିନି: ବିବାଦୀୟ ୬ମଣ୍ଡିରୁ ଧାନ କିଣା ଆରମ୍ଭ

ଜୟପୁର: ଗତ ମାସ ୧୮ତାରିଖ ଦିନ ମଣ୍ଡି ଆରମ୍ଭ ହୋଇଥିଲା। ଯଦିଓ କଟନିଛଟନିକୁ ନେଇ ସବୁ ବର୍ଷ ଯେଭଳି କ୍ରୟକାରୀ ସଂସ୍ଥା ମିଲର୍ସ ଓ ଚାଷୀଙ୍କ ମଧ୍ୟରେ ବିବାଦ ଦେଖାଦେଇଥାଏ ତେବେ ତାହା ଏହି ବର୍ଷ ଦେଖିବାକୁ ମିଳିନି। ଅନ୍ୟ ପକ୍ଷରେ ମଣ୍ଡି ଧିରେ ଧିରେ ସ୍ବାଭାବିକ ଭାବେ ଚାଳିଛି। ତେବେ ଜିଲ୍ଲାରେ ଥିବା ଜୟପୁର ଓ କୋରାପୁଟ ଉପଖଣ୍ଡରେ ୧୦୨ଟି ମଣ୍ଡି ମଧ୍ୟରୁ ୭୯ଟି ମଣ୍ଡି ଆଜି ପର୍ଯ୍ୟନ୍ତ ସ୍ବାଭାବିକ ହୋଇ ଧାନ କିଣା ଚାଳିଛି। ବଳକା ୨୩ଟି ମଣ୍ଡିରୁ ମଂଜିଏ ବି ଧାନ ଉଠି ପାରି ନି। ରିପୋର୍ଟ ଲେଖାହେବା ଯାଏଁ ୧୧ଟି ଲ୍ୟାମ୍ପ, ୨୨ଟି ମହିଳା ସ୍ବୟଂ ସହାୟକ ଦଳ, ଗୋଟିଏ ପାଣି ପଂଚାୟତ କ୍ରୟସଂସ୍ଥା ପକ୍ଷରୁ ୬୨୯୨ଜଣ ଚାଷୀଙ୍କ ଠାରୁ ୪ଲକ୍ଷ ୮୦ହଜାର ୯୮୩କୁଇଣ୍ଟାଲ ଧାନ କିଣାଯାଇଛି।

୩୭ଲକ୍ଷ କୁଇଣ୍ଟାଲ ଧାନ ଅମଳ ହେବାର ସମ୍ଭାବନା ରହିଥିବା ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ଏହି ବର୍ଷ ହୋଇଥିବା ଆକଳନ ହୋଇଛି। ତେବେ ଜିଲ୍ଲା କୃଷି ବିଭାଗ ପକ୍ଷରୁ ୪୪ଲକ୍ଷ କୁଇଣ୍ଟାଲ ଧାନ ଅମଳ ହେବାର ଆକଳନ କରିଛନ୍ତି। ସେଭଳି ଜିଲ୍ଲାରେ ୧୦ଏକରରୁ ଉର୍ଦ୍ଧ୍ବ ଜମି ଥାଇ ଚାଷୀ ପଂଜିକରଣ କରିଥିବା ଚାଷୀଙ୍କର ଜମିର ପରିମାଣର ଯୁଗ୍ମ ଯାଂଚ ରାଜସ୍ବ ଓ କୃଷି ବିଭାଗ ପକ୍ଷରୁ କରି ଗତ କାଲି ଜିଲ୍ଲା ଯୋଗାଣ ବିଭାଗକୁ ଛଡାଯାଇଛି। ୧୪ଟି ବ୍ଲକରେ ୬ହଜାର ୧୦ଏକର ଜମି ଚିହ୍ନଟ ହୋଇଥିବା ଜିଲ୍ଲା ଯୋଗାଣ ବିଭାଗ ସୂତ୍ରରୁ ସୂଚନା ମିଳିଛି । ଅନ୍ୟ ପକ୍ଷରେ ଏହି ଯାଂଚ ଚାଳିଥିବାରୁ ଚାଷୀଙ୍କୁ ଟୋକେନ୍ ମିଳିବାରେ ସମସ୍ୟା ଦେଖାଦେଇଛି। ଜିଲ୍ଲାର ୧୪ଟି ବ୍ଲକ ମଧ୍ୟରୁ ଜୟପୁର ଉପଖଣ୍ଡର ୫ଟି ବ୍ଲକରେ ୮୫ପ୍ରତିଶତ ଧାନ ଅମଳ ହେଉଥିବା ବେଳେ କୋରାପୁଟ ଉପଖଣ୍ଡର ୯ଟି ବ୍ଲକରେ ୧୫ପ୍ରତିଶତ ଧାନ ଅମଳ ହେଉଛି। ସେଭଳି ଧାନ କିଣାରେ ନିୟୋଜିତ ୯୨ଟି ମିଲର୍ସଙ୍କ ମଧ୍ୟରୁ ଗୋଟିଏ ମାତ୍ର ମିଲର କୋରାପୁଟ ଉପଖଣ୍ଡରେ ରହିଛି। ସେଭଳି ୯୨ଟି ଯାକ ମିଲର ଧାନ ଉଠାଇବାକୁ ଚୁକ୍ତିନାମା କରିସାରିଥିବା ବେଳେ ୨ଟି ମିଲର୍ସ ବ୍ୟାଙ୍କ ଗ୍ୟାରେଣ୍ଟି ଏବେ ପର୍ଯ୍ୟନ୍ତ ଦାଖଲ କରି ନାହାନ୍ତି।

କୋର୍ଟରେ ହୋଇଥିବା ମାମଲା ଏବଂ ବିବାଦ ଯୋଗୁଁ ଆରମ୍ଭ ହୋଇ ପାରିନଥିବା ବୋରିଗୁମ୍ମା ବ୍ଲକର ପୋଡାପଦର, କୋଟପାଡ ବ୍ଲକର ୪ଟି ଓ ଜୟପୁର ବ୍ଲକର ଦିଗାପୁର ମଣ୍ଡିରେ ଆଜି ଧାନ କିଣାଯାଇଛି ବୋଲି କହିଛନ୍ତି ଜିଲ୍ଲା ଯୋଗାଣ ଅଧିକାରୀ। ଆଜି ପର୍ଯ୍ୟନ୍ତ ୭୯ଟି ମଣ୍ଡିରେ ଧାନ କିଣା ଆରମ୍ଭ ହୋଇସାରିଛି। ଗୋଟିଏ ଲେଖାଏଁ ମିଲର୍ସଙ୍କୁ ୯ଟି ଲେଖାଏଁ ମଣ୍ଡି ଟ୍ୟାଗିଂ କରାଯାଇଥିବା ବେଳେ ଆଉ କିଛି ମିଲର୍ସଙ୍କୁ ମାତ୍ର ଗୋଟିଏ ମଣ୍ଡି ଟ୍ୟାଗିଂ କରାଯାଇଛି। ଏହି ସ୍ଥିତିରେ ଦିନକରେ ଗୋଟିଏ ମିଲର୍ସ ୯ଟି ମଣ୍ଡିରୁ କିଭଳି ଧାନ ଉଠାଇବ , ଏହି ସବୁ ତ୍ରୁଟି ସଂଶୋଧନ ଓ ସମସ୍ୟାର ସମାଧାନ କରିବା ପାଇଁ ଜିଲ୍ଲାପାଳଙ୍କ ମାଧ୍ୟମରେ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗକୁ ଚିଠି କରାଯିବ ବୋଲି କହିଛନ୍ତି ଜିଲ୍ଲାଯୋଗାଣ ଅଧିକାରୀ। ପୂର୍ବରୁ ରାଜ୍ୟସରକାର ୧୩ଲକ୍ଷ ୯୨ହଜାର କୁଇଣ୍ଟାଲ ଧାନ କିଣିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ୫୦ପ୍ରତିଶତଧାନ କିଣା ସରିଲେ ପୁଣି ନୂଆ ଟାନର୍ଗେଟରେ ଅଧିକା ଧାନ କିଣା ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ ଚିଠି କରାଯିବ ବୋଲି କହିଛନ୍ତି ଜିଲ୍ଲା ଯୋଗାଣ ଅଧିକାରୀ ।

ସମ୍ବନ୍ଧିତ ଖବର