ହାଇଦ୍ରାବାଦର ଇଟାଭାଟିରେ କଲେଜ ପଢ଼ୁଆ ନାବାଳିକା ବନ୍ଧକ ଘଟଣା: ପୂର୍ବତନ ସାଂସଦ ପ୍ରଦୀପ ମାଝୀଙ୍କ ଉଦ୍ୟମରେ ଇଟାଭାଟିରୁ ଉଦ୍ଧାର
ନବରଙ୍ଗପୁର: ନିଜେ ଚିକିତ୍ସିତ ହେବା ପାଇଁ ମା ଇଟାଭାଟିର ମାଲିକ ନିକଟରେ ରୁଣ କରି ଗାଁକୁ ଚାଲି ଆସିଥିଲେ। ମାର ମୃତ୍ୟୁ ପରେ ମାର କରଜ ସୁଝିବା ପାଇଁ ହାଇଦ୍ରାବାଦର ଏକ ଇଟାଭାଟିରେ ବନ୍ଧକ ପଡିଥିବା ଚନ୍ଦାହାଣ୍ଡିର କଲେଜ ପଢ଼ୁଆ ନାବାଳିକାକୁ ଆଜି ଶେଷରେ ପୂର୍ବତନ ସାଂସଦ ପ୍ରଦୀପ ମାଝୀ ଉଦ୍ଧାର କରି ଆଣିବାରେ ସଫଳ ହୋଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡିର କଲେଜ ଯୁକ୍ତ ୨ରେ ପଢ଼ୁଥିବା ସାଗରୀକା ପାଣିଗ୍ରାହୀ(୧୬) ତାଙ୍କ ମା କରିଥିବା କରଜକୁ ସୁଝିବା ପାଇଁ ହାଇଦ୍ରାବାଦର ଏକ ଇଟାଭାଟିରେ ବନ୍ଧକ ପଡିଥିଲେ। ମା ଅନାଦି ଚୌହାନଙ୍କ ମୃତ୍ୟୁ ପରେ ସାଗରୀକା ନା ମାଙ୍କ ଶେଷ ଦର୍ଶନ କରିପାରିଥିଲେ ନା ମାଙ୍କ ଶୁଦ୍ଧକ୍ରୀୟାରେ ଯୋଗଦେଇ ପାରିଥିଲେ। ଏପଟେ ମାକୁ ହରାଇ ସାନ ଭଉଣୀ ସାଗରୀକା ଇଟାଭାଟିରେ ବନ୍ଧକ ରହି ବାହୁନିବା ଛଡା ପାଖରେ କିଛି ରାସ୍ତା ନଥିଲା।
ଅନ୍ୟ ଦିଗରେ ବଡ ଭଉଣୀ ପ୍ରିୟଙ୍କା(୧୮) ମାକୁ ହରାଇ ଏକାକି ଘରେ ଅପେକ୍ଷା କରି ରହିଥିଲା। ବଡ ଭଉଣୀ ପ୍ରିୟଙ୍କାଙ୍କୁ ସମବେଦନା ଜଣାଇବା ପାଇଁ ପାଖରେ କେହି ହେଲେ ମଧ୍ୟ ନଥିଲେ। ଏପରି ହୃଦୟ ବିଦାରକ ଘଟଣା ସଂକ୍ରାନ୍ତରେ ଏବଂ ବନ୍ଧକ ସାଗରୀକାକୁ ଇଟାଭାଟିର ମାଲିକ ଠାରୁ ଉଦ୍ଧାର କରି ଆଣିବା ପାଇଁ ‘ସମ୍ବାଦ’ରେ ପ୍ରଥମେ ଏବଂ ଲଗାତାର ଭାବେ ପ୍ରକାଶିତ ହୋଇଥିଲା। ସମ୍ବାଦରେ ଖବର ପ୍ରକାଶିତ ହେବା ପରେ ଯୁବ ନେତା କ୍ଷମରାଜ ବାଘ ପୂର୍ବତନ ସାଂସଦ ପ୍ରଦୀପ ମାଝୀଙ୍କୁ ଏହି ଘଟଣା ସଂକ୍ରାନ୍ତରେ ଅବଗତ କରାଇବା ପରେ ପ୍ରଦୀପ ଇଟାଭାଟିରୁ ଉଦ୍ଧାର କରିବା ପାଇଁ ପ୍ରୟାଶ ଆରମ୍ଭ କରିଥିଲେ।
ପ୍ରଦୀପ ନିଜ ଗାଡିରେ ଚନ୍ଦାହାଣ୍ଡି ବ୍ଲକ କଂଗ୍ରେସ ସଭାପତି ହୁମେଶ୍ବର ହଂସକୁ ହାଇଦ୍ରାବାଦର ଉକ୍ତ ଇଟାଭାଟିକୁ ପଠାଇଥିଲେ। ସେ ନିଜେ ଉଭୟ ଓଡିଶା ଏବଂ ତେଲଙ୍ଗାନା ପ୍ରଶାସନ ସହ ଯୋଗାଯୋଗ କରିବା ପରେ ଇଟାଭାଟି ମାଲିକ ସହ କଥା ଭାଷା ହୋଇ ଶେଷରେ ଗତକାଲି ସଂଧ୍ୟାରେ ସାଗରୀକାଙ୍କୁ ହାଇଦ୍ରାବାଦର ଇଟାଭାଟିରୁ ଉଦ୍ଧାର ହୋଇ ଆଜି ଗାଁକୁ ଫେରୁଛନ୍ତି। ଆଜି ରାତି ସୁଦ୍ଧା ସେ ଗାଁକୁ ଫେରିବେ ବୋଲି ଜଣାପଡିଛି। ସାଗରୀକା ଭଳି ଜଣେ କଲେଜ ପଢ଼ୁଆ ନାବାଳିକା କଲେଜରେ ଭର୍ତ୍ତୀ ହେବା ନିମନ୍ତେ ମା କରିଥିବା କରଜ ଶୁଝିବା ପାଇଁ ଇଟାଭାଟିରେ ଦାଦନ ଖଟିବାରେ ବାହାର ରାଜ୍ୟକୁ ପାଦ କାଡିବାରେ ବାଧ୍ୟ ହେଉଛନ୍ତି ସେତେବେଳେ ଜିଲ୍ଲାରେ ଅନ୍ୟ ଗରୀବଙ୍କ ଅବସ୍ଥା କିପରି ହେଉନଥିବ ସେ ନେଇ ପ୍ରତିକ୍ରୀୟା ପ୍ରକାଶ ପାଉଛି।