ମୟୂରଭଞ୍ଜକୁ ଆରମ୍ଭ ହେଲା ପ୍ରବାସୀ ଓଡ଼ିଆଙ୍କ ଆଗମନ: କେରଳରୁ ଫେରିଲେ ତିନି ଜଣ, କୋଟାରୁ ବାହାରିଲେ ୧୮ ଛାତ୍ରଛାତ୍ରୀ

ବାରିପଦା: ମୟୂରଭଞ୍ଜକୁ ଆଜିଠାରୁ ଆରମ୍ଭ ହେଇଛି ପ୍ରବାସୀ ଓଡ଼ିଆଙ୍କ ଆଗମନ। ପ୍ରଥମ ଦଫାରେ ଆଜି ତିନି ଜଣ କେରଳରୁ ଆସିଛନ୍ତି। କେରଳରୁ ଆସିଥିବା ସ୍ବତନ୍ତ୍ର ଟ୍ରେନ୍ ଜରିଆରେ ଉକ୍ତ ତିନି ଜଣଙ୍କୁ ଜିଲ୍ଲାପ୍ରଶାସନ ପକ୍ଷରୁ ଗାଡି ପଠାଇ ଭୁବନେଶ୍ବରରୁ ଅଣାଯାଇଥିଲା। ଘରେ ପହଞ୍ଚିବାପରେ ସେମାନଙ୍କୁ ନିକଟସ୍ଥ ଅସ୍ଥାୟୀ ମେଡିକାଲ୍ କେନ୍ଦ୍ର(ଟିଏମ୍ସି)ରେ କ୍ୱାରେଣ୍ଟାଇନ ରଖାଯାଇଥିବା ଜଣାପଡ଼ିଛି। ତିନି ଜଣଙ୍କ ମଧ୍ୟରୁ ଦୁଇ ଜଣ ବଡ଼ସାହି ବ୍ଳକ୍ ଅନ୍ତର୍ଗତ ବୈଶିଙ୍ଗା ଥାନା ଶାଳଗାଁ ପଞ୍ଚାୟତ ପାଳପାଟଣାର ଦୁଇ ଭାଇ ଥିବାବେଳେ ଜଣେ କପ୍ତିପଦା ବ୍ଲକ୍ ଅନ୍ତର୍ଗତ ଶରତ ଥାନା ଦେବନବାହାଳି ଗ୍ରାମପଞ୍ଚାୟତରୁ ଅଛନ୍ତି। ଏମାନଙ୍କ ମଧ୍ୟରୁ କପ୍ତିପଦା ବ୍ଲକ୍ ଯୁବକ କେରଳର ଏର୍ଣ୍ଣାକୁଲମ୍ ଜିଲ୍ଲା ଆରକାପେଡିରେ ଏକ ମସଲା କମ୍ପାନୀରେ କାମ କରୁଥିଲେ। ଲକଡାଉନ୍‌ ସମୟରେ ସେଠାରେ ତାଙ୍କୁ ରହିବା ଖାଇିବା ଆଦିର ବନ୍ଦୋବସ୍ତ କରାଯାଇଥିବା ଗାଁରେ ପହଞ୍ଚିବା ପରେ କହିଛନ୍ତି। ସେହିପରି ଟ୍ରେନ୍ରେ ଫେରିବା ସମୟରେ ମଧ୍ୟ କୌଣସି ଅସୁବିଧା ହୋଇନଥିବା ପ୍ରକାଶ କରିଛନ୍ତି। ଜିଲ୍ଲାକୁ ବିଭିନ୍ନ ରାଜ୍ୟରେ ଫଶିରହିଥିବା ନାଗରିକମାନଙ୍କର ପଞ୍ଜିକରଣ ପ୍ରାୟ ୪୦ହଜାର ଟପିଥିବା ଜଣାପଡ଼ିଛି।

ମୟୂରଭଞ୍ଜକୁ ଫେରିବା ପରେ ଏମାନଙ୍କୁ କ୍ବାରାଣ୍ଟିନ୍ରେ ରଖାଯିବା ସହିତ କରୋନା ପରୀକ୍ଷା କରାଯିବାନେଇ ସୂଚନା ମିଳିଛି। ସେହିପରି ଆଜି ରାଜସ୍ତାନ କୋଟାରେ ଫଶିରହିଥିବା ୧୮ଜଣ ଛାତ୍ରଛାତ୍ରୀ ମୟୂରଭଞ୍ଜ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି। ଏହି ଛାତ୍ରଛାତ୍ରୀଙ୍କ ସହିତ ସେମାନଙ୍କର ୩ଜଣ ଅଭିଭାବକ ମଧ୍ୟ ମୟୂରଭଞ୍ଜ ଫେରୁଛନ୍ତି। ବାରିପଦାରୁ ଯାଇଥିବା ଏକ ସ୍ବତନ୍ତ୍ର ବସ୍ ଜରିଆରେ ଏହି ଛାତ୍ରଛାତ୍ରୀମାନଙ୍କୁ ଜିଲ୍ଲାକୁ ଅଣାଯାଉଛି।

ସମ୍ବନ୍ଧିତ ଖବର