ବ୍ଲକ ଉପାଧ୍ୟକ୍ଷାଙ୍କ ଗାଁକୁ ଆସିପାରିଲାନି ଆମ୍ବୁଲାନ୍ସ, ଖଟିଆରେ ବୁହାହୋଇ ୨କିମି ଗଲେ ଭାଲୁ ଆକ୍ରମଣରେ ଗୁରୁତର ବୃଦ୍ଧ

ହରଭଙ୍ଗା: ବ୍ଲକ ଉପାଧ୍ୟକ୍ଷଙ୍କ ଗାଁକୁ ୧୦୮ ଆମ୍ବୁଲାନ୍ସ ଆସିପାରିନାହିଁ । କାରଣ ହେଉଛି ଦୟନୀୟ ରାସ୍ତା । ଫଳରେ ଆଜି ଭାଲୁକାମୁଡାରେ ଗୁରୁତର ଜଣେ ବୃଦ୍ଧଙ୍କୁ ଖଟିଆରେ ବୁହାହୋଇ ୨ କିଲୋମିଟର ପର୍ଯ୍ୟନ୍ତ ନେବା ପରେ ଆମ୍ବୁଲାନ୍ସ ସହାୟତାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବୌଦ୍ଧ ଜିଲ୍ଲାର ହରଭଙ୍ଗା ଅଂଚଳରେ ଏଭଳି ବିକାଶର ଚିତ୍ର ଦେଖିବାକୁ ମିଳିଛି ।

ହରଭଙ୍ଗା ଥାନା ଅନ୍ତର୍ଗତ ସଙ୍କୁଲେଇ ପଞ୍ଚାୟତର ବିଶିପାଲି ଗ୍ରାମରେ ଘାସିରାମ କର୍ମୀ(୬୫)ନାମକ ଜଣେ ବୃଦ୍ଧ ଭାଲୁ କାମୁଡାରେ ଗୁରୁତର ଆହତ ହୋଇଛନ୍ତି। ସେ ରବିବାର ସକାଳେ ଗାଁ ନିକଟରେ ଥିବା ନାଳକୁ ଶୌଚ ହେବାପାଇଁ ଯାଇଥିବା ବେଳେ ହଠାତ ତିନୋଟି ଭାଲୁ ହାବୁଡ଼ରେ ପଡିଯାଇଥିଲେ। ଭାଲୁମାନେ ତାଙ୍କୁ ଅତର୍କିତ ଆକ୍ରମଣ କରିବାରୁ ସେ ପ୍ରାଣ ବିକଳରେ ଡାକ ପକାଇଥିଲେ। ତାଙ୍କ ପାଟିଶୁଣି ଆଖପାଖରେ ଥିବା କିଛିଲୋକ ସେଠାକୁ ଧାଇଁ ଆସିବାରୁ ସେମାନଙ୍କୁ ଦେଖି ଭାଲୁମାନେ ତାଙ୍କୁ ଛାଡି ପଳାଇଥିଲେ। ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଘରକୁ ବୋହି ଆଣିଥିଲେ। ଭାଲୁ ତାଙ୍କର ଡାହାଣ ଜଙ୍ଘ ଓ ପଛପାଖ ପିଚାରେ କାମୁଡି ମାଂସ ଝୁଣି ପକାଇଥିବାରୁ ଗଭୀର କ୍ଷତ ହୋଇ ପ୍ରବଳ ରକ୍ତସ୍ରାବ ହୋଇଥିବା ଜଣାପଡିଛି।

ଗୁରୁତର ଆହତ ଅବସ୍ଥାରେ ଉଦ୍ଧାର ହୋଇଥିବା ବୃଦ୍ଧ ଘାସିରାମଙ୍କୁ ଡାକ୍ତରଖାନା ନେବାପାଇଁ ଗ୍ରାମବାସୀ ତୁରନ୍ତ ଆମ୍ବୁଲାନ୍ସକୁ ସୂଚନା ଦେଇଥିଲେ। ମାତ୍ର ଗ୍ରାମର ରାସ୍ତା ଅତ୍ୟନ୍ତ ଖରାପ ଥିବାରୁ ଆମ୍ବୁଲାନ୍ସ ଗାଁକୁ ଆସିନପାରି ୨କିମି ଦୂର ଠାକୁରମୁଣ୍ଡା ଠାରେ ଅଟକି ରହିଥିଲା। ଫଳରେ ଲୋକେ ବହୁ ପରିଶ୍ରମ କରି ତାଙ୍କୁ ଏକ ଖଟିଆରେ ବୋହି ଆମ୍ବୁଲାନ୍ସ ନିକଟକୁ ନେବାପରେ ଓ ସେଠାରୁ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ହରଭଙ୍ଗା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା।

ତେବେ ତାଙ୍କର ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ତାଙ୍କୁ ବୌଦ୍ଧ ମେଡିକାଲ କୁ ରେଫର କରିଥିଲେ।ଏ ଘଟଣା ଜଣାପଡିବା ପରେ ବୁଦ୍ଧିଜୀବି ଓ ଜଣାଶୁଣା ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଖୋଦ ପଞ୍ଚାୟତ ସମିତି ଉପାଧ୍ୟକ୍ଷାଙ୍କ ଗାଁ ରାସ୍ତାର ଶୋଚନୀୟ ଅବସ୍ଥା ଯୋଗୁଁ ଆମ୍ବୁଲାନ୍ସ ଆସିନ ପାରିବାରୁ ଜଣେ ଗୁରୁତର ଆହତ ବୃଦ୍ଧ ଙ୍କୁ ଖଟିଆରେ ୨କିମିରାସ୍ତା ବୁହାହେବାକୁ ପଡୁଛି ତା ହେଲେ ବ୍ଲକର ଦୁର୍ଗମ ଆଭ୍ୟନ୍ତରୀଣ ଓ ଉପାନ୍ତ ଅଞ୍ଚଳର ଗ୍ରାମବାସୀ ମାନେ କିଭଳି ଅକଥନୀୟ ସମସ୍ୟାର ସମ୍ମୁଖୀନ ହେଉଥିବେ ଏଥିରୁ ସ୍ପଷ୍ଟ ଅନୁମେୟ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର