ନାବାଳିକାଙ୍କୁ ବଳାତ୍କାର ଓ ଭିଡ଼ିଓ ଉତ୍ତୋଳନ କରି ଶୋଷଣ, ଯୁବକ ଗିରଫ

ଖୋର୍ଦ୍ଧା : ଖୋର୍ଦ୍ଧା ଉପକଣ୍ଠ ଗୁରୁଜଙ୍ଗରେ ଜଣେ ନାବାଳିକାଙ୍କୁ ଜଣେ ଯୁବକ ବଳାତ୍କାର କରିବା ସହ ବଳାତ୍କାରର ଭିଡ଼ିଓ ଉତ୍ତୋଳନ କରି ବାରମ୍ବାର ବଳାତ୍କାର କରିବା ମାମଲାରେ ଆଜି ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।

ଅଭିଯୋଗ ଅନୁସାରେ, ନାବାଳିକା (୧୬ବର୍ଷ)ଙ୍କ ସହ ଗୁରୁଜଙ୍ଗ ଭୋଇସାହିର ବଳରାମ ନାୟକ ଓରଫ ବୁନାଙ୍କ ସହ ସମ୍ପର୍କ ଗଢ଼ିଉଠିଥିଲା । ଚଳିତ ବର୍ଷ ଫେବ୍ରୁଆରୀରେ ସେ ତାକୁ ସାଥିରେ ବୁଲିବାକୁ ଡାକି ଭୋଇସାହିର ଏକ ଘରେ ବଳାତ୍କାର କରିବା ସହ ବଳାକ୍ରାର ଭିଡିଓ ଉତ୍ତୋଳନ କରିଥିଲା । ଏହାପରେ ସେ ଉତ୍ତୋଳନ କରିଥିବା ଭିଡ଼ିଓ ଭାଇରାଲ୍ କରିଦେବାର ଧମକ ଦେଇ କ୍ରମାଗତ ଭାବେ ୫ଥର ଯୌନ ଶୋଷଣ କରିଥିଲା । କେବଳ ଏହାନୁହେଁ, ସେ ନିୟମିତ ଭାବେ ମୋବାଇଲ୍ ଓ କିଛି ଶହ ଟଙ୍କା ଦାବି କରି ନେଇଛି । ଏନେଇ କାହାକୁ କହିଲେ ନାବାଳିକାଙ୍କ ଛୋଟ ଭାଇକୁ ଅପହରଣ କରିନେଇ ହତ୍ୟା କରିଦେବାର ଧମକ ଦେଇଥିଲା । ଶେଷରେ ଗତ ୨ ତାରିଖରେ ୧୦ହଜାର ଟଙ୍କା ଆଣିବାକୁ କହିଲା ଓ ଦାବି ମୂତାବକ ଟଙ୍କା ନଆଣିଲେ ଉଠାଇଥିବା ଭିଡ଼ିଓ ଭାଇରାଲ୍ କରିଦେବି ବୋଲି କହିଥିଲା । ନାବାଳିକା ଜଣକ ଏହି ଟଙ୍କା ଦେବାରେ ଅକ୍ଷମ ଥିଲେ । ଶେଷରେ ନାବାଳିକାଙ୍କ ବ୍ୟସ୍ତତା ଓ ମାନସିକ ସ୍ଥିତି ଦେଖି ବାପା-ମା ତାଙ୍କୁ ଘଟଣା ସମ୍ପର୍କରେ ଜାଣିବାକୁ ଚାହିଁଥିଲେ । ଘଟଣା ଜାଣିବା ପରେ ଆଜି ପରିବାରଙ୍କ ଉପସ୍ଥିତିରେ ନାବାଳିକା ଜଣକ ଆଜି ଅପରାହ୍ଣରେ ଥାନାରେ ଲିଖିତ ଅଭିଯୋଗ କରିଥିଲେ ।

ଏନେଇ ଥାନା ଅଧିକାରୀ ସଂଜୟ କୁମାର ପଟ୍ଟନାୟକଙ୍କୁ ଯୋଗାଯୋଗ କରିବାରେ, ପୋକୋସ ଦଫା ସହ ୩୭୬, ୫୦୬, ୩୮୫ ଆଇପିସିରେ ୩୧୧/୨୦୨୧ରେ ମାମଲା ରୁଜୁ ହୋଇଛି । ଅଭିଯୋଗ ଭିତ୍ତିରେ ଅଭିଯୁକ୍ତ ବଳରାମକୁ ଗିରଫ କରାଯାଇ ସ୍ୱାସ୍ଥ୍ୟ ପରୀକ୍ଷା ପରେ ଭୁବନେଶ୍ୱର ପୋକୋସ କୋର୍ଟରେ ହାଜର କରାଯାଇଛି ।

ସମ୍ବନ୍ଧିତ ଖବର