କେନ୍ଦ୍ରାପଡ଼ା: ସାମ୍ନାକୁ ଡେଇଁପଡ଼ିଲା ମାଙ୍କଡ, ଜଣେ ବାଇକ ଆରୋହୀ ମୃତ, ଅନ୍ୟ ଜଣେ ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି

କେନ୍ଦ୍ରାପଡ଼ା: ମାଙ୍କଡ଼ର ଦୁଷ୍ଟାମୀ ଯୋଗୁଁ ବୁଧବାର ଜଣେ ବାଇକ୍‌ ଆରୋହୀଙ୍କର ମୃତ୍ୟୁ ଘଟିଥିବା ବେଳେ ସାଥୀରେ ବସିଥିବା ଅନ୍ୟ ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ଗୁରୁତର ବ୍ୟକ୍ତିକୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଜିଲ୍ଲାର ପାଟକୁରା ଥାନା ଅନ୍ତର୍ଗତ ସମସରା ନିକଟରେ ଆଜି ଅପରାହ୍ଣରେ ଏହି ଅଭାବନୀୟ ଘଟଣା ଘଟିଥିବା ଜଣାପଡ଼ିଛି।

ରିପୋର୍ଟ ଅନୁସାରେ ସମସରା ପାଟଣା ଗାଁର ପ୍ରକାଶ ଚନ୍ଦ୍ର ସାହୁ (୩୭) ଓ ତାଙ୍କର ସାଥୀ ତୁଷାର ନାୟକ ଆଜି ଅପରାହ୍ଣ ୨ଟା ୩୦ରେ ପାଟକୁରା ବଜାରକୁ ଯାଉଥିଲେ। ବଜାରକୁ ପହଂଚିବା ପୂର୍ବରୁ ଏକ ନଦୀବନ୍ଧ ନିକଟରେ ଗୋଟିଏ ମାଙ୍କଡ ହଠାତ ସେମାନଙ୍କ ବାଇକ ସାମ୍ନାକୁ ଡେଇଁ ପଡ଼ିଥିଲା। ଫଳରେ ବାଇକ ଚାଳକ ଭାରସାମ୍ୟ ହରାଇଥିଲେ ଏବଂ ନଦୀବନ୍ଧର ୩୦ ଫୁଟ ତଳକୁ ଖସିପଡ଼ିଥିଲେ। ଘଟଣାସ୍ଥଳରେ ହିଁ ପ୍ରକାଶଙ୍କର ମୃତ୍ୟୁ ଘଟିଥିବା ବେଳେ ତୁଷାରଙ୍କୁ ଗୁରୁତର ଭାବରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନାଯୋଗ୍ୟ ଏହି ଅଂଚଳରେ ମାଙ୍କଡ଼ ଉପଦ୍ରବ ବଢ଼ିଛି। ଏ ନେଇ ଜିଲ୍ଲାପାଳଙ୍କୁ ମଧ୍ୟ ଦୃଷ୍ଟି ଆକର୍ଷଣ କରାଯାଇଛି। ଅତୀତରେ ମଧ୍ୟ ମାଙ୍କଡ଼ ଉପଦ୍ରବ ଯୋଗୁଁ ବାଇକ ଆରୋହୀ ଜୀବନ ହରାଇଛନ୍ତି ଓ ଆହତର ଶିକାର ହୋଇଛନ୍ତି।

ସମ୍ବନ୍ଧିତ ଖବର