ବାଇକ ଧକ୍କାରେ ଜଣେ ମୃତ, ଦୁଇ ଆହତ

ଡାବୁଗାଁ: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ବାଣୁଆ ଗୁଡ଼ା ନର୍ସରୀ ନିକଟରେ ଆଜି ଦିନ ୧୨ଟା ସମୟରେ ଦୁଇ ବାଇକ ମଧ୍ୟରେ ଧକ୍କା ହେବାରୁ ଜଣେ ମୃତ୍ୟୁ ବରଣ କରିଥିବା ବେଳେ ଦୁଇଜଣ ଆହତ ହୋଇଛନ୍ତି। ମୃତ ବ୍ୟକ୍ତି ଜଣକ ବାଣୁଆଗୁଡା ଗ୍ରାମର ରାଜି ଗୌଡ଼ (୩୦) ବୋଲି ଜଣା ପଡିଛି। ଅନ୍ୟ ଦୁଇ ଜଣ ଆହତ ବ୍ୟକ୍ତି ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି।

ଏ ନେଇ ମୃତ ରାଜି ଗୌଡ଼ର ସ୍ତ୍ରୀ ଅନିତା ଗୌଡ଼ ଆଜି ଡାବୁଗାଁ ଥାନାରେ ଏତଲା ଦେବାକୁ ପରେ ପୁଲିସ କେସ ନ ୧୧୩/୨୩ ରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ସୂଚନା ଅନୁଯାୟୀ, ଆଜି ଦିନ ୧୨ଟା ସମୟରେ ବାଣୁଆ ଗୁଡ଼ା ଗ୍ରାମର କୁବେର ଗୌଡ଼ ଏକ ବାଇକରେ ନିକଟ ରାଉଳି ଗୁଡାରୁ ବାଣୁଆ ଗୁଡାକୁ ଆସୁଥିବା ସମୟରେ ବାଣୁଆ ଗୁଡ଼ା ନର୍ସରୀ ମଧ୍ୟରୁ ଏକ ବାଇକରେ ସେହି ବାଣୁଆ ଗୁଡ଼ା ଗ୍ରାମର ରାଜି ଗୌଡ଼ (୩୦) ଓ ତା’ ସାଥୀ ଚମନ ଗୌଡ଼ ମୁଖ୍ୟ ରାସ୍ତା ଉପରେ ଆସୁଥିଲେ।

ତେବେ ନର୍ସରୀ ଛକ ନିକଟରେ ଉଭୟ ବାଇକ ମଧ୍ୟରେ ଭାରସାମ୍ୟ ହରାଇ ଧକ୍କା ହେବା ଫଳରେ ତିନି ଜଣ ରାସ୍ତା କଡ଼ରେ ଛିଟିକି ପଡ଼ିଥିଲେ। ରାଜି ଗୌଡ଼ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ସମସ୍ତଙ୍କୁ ଉଦ୍ଧାର କରି ଏକ ୧୦୮ ଆମ୍ବୁଲାନ୍ସ ଯୋଗେ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ତେବେ ଡାକ୍ତର ସେଠାରେ ରାଜି ଗୌଡ଼କୁ ମୃତ ଘୋଷଣା କରିଥିଲେ। ବାଣୁଆ ଗୁଡ଼ାର ଦୁଇ ଜଣ ଆହତ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଥିବା ବେଳେ ଆସନ୍ତା କାଳି ଶବ ବ୍ୟବଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ତଦନ୍ତକାରୀ ପୁଲିସ ଏସଆଇ ବିଜୁ ରାମ ବାଘ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର