ଖୋଲିଲା ଧଉଳି ଶାନ୍ତିସ୍ତୂପ, ଲାଇଟ ଆଣ୍ଡ ସାଉଣ୍ଡ ସୋ’ ଦେଖିପାରିବେ ୫୦ ପ୍ରତିଶତ ଦର୍ଶକ

ଧଉଳି: ଦୀର୍ଘ ୫ମାସ ଧରି ବନ୍ଦ ପଡ଼ିବା ପରେ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ଧଉଳି ‘ଶାନ୍ତିସ୍ତୂପ’ ଖୋଲାଯିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ହୋଇଛି । ଗତ ୨୩ ତାରିଖ ଠାରୁ ସ୍ତୂପ ଖୋଲାଯିବା ନେଇ ଅନୁମତିପତ୍ର ମିଳିସାରିଥିଲେ ମଧ୍ୟ ଆସନ୍ତା କାଲିଠାରୁ ଶାନ୍ତିସ୍ତୂପରେ ସମସ୍ତ କାର୍ଯ୍ୟ ବିଧିବଦ୍ଧ ଭାବେ ଆରମ୍ଭ ହେବ ବୋଲି ଭୁବନେଶ୍ବର ପର୍ଯ୍ୟଟନ ଅଧିକାରୀ ରଞ୍ଜନ କୁମାର ବାରିକ କହିଛନ୍ତି।

କୋଭିଡ଼ କଟକଣା ନିୟମ ପାଳନ ଦୃଷ୍ଟିରୁ ହାତ ସାନିଟାଇଜ କରାଇବା ଓ ମାସ୍କ ପିନ୍ଧିବା ଉପରେ ଗୁରୁତ୍ବ ଦିଆଯିବ ବୋଲି ସେ କହିଛନ୍ତି। ଏନେଇ ଘରୋଇ ସୁରକ୍ଷା କର୍ମୀ ସ୍ବେଚ୍ଛାସେବୀମାନଙ୍କୁ ନିଯୁକ୍ତ କରାଯାଇଥିବା ବିକାଶ ପରିଷଦର ଜଣେ ପ୍ରମୁଖ ସଦସ୍ୟ ପୂର୍ଣ୍ଣିମା ସାହୁ କହିଛନ୍ତି। ଆଉ ମଧ୍ୟ ପର୍ଯ୍ୟଟକମାନଙ୍କ ଆଗମନକୁ ଦୃଷ୍ଟିରେ ରଖି ଧଉଳି ବିକାଶ ପରିଷଦ ଏନେଇ ବ୍ୟବସାୟୀମାନଙ୍କ ସହ ଆଲୋଚନା କରିଛି।

ବସଷ୍ଟାଣ୍ଡ ପରିସରରେ ୮ଗୋଟି ସର୍ଟଲ ବସ ତେଣୁ ଏବେ ସମଗ୍ର ଧଉଳି ଗିରି ଅଞ୍ଚଳରେ ପରିଷ୍କାର ପରିଚ୍ଛନ୍ନତା କାର୍ଯ୍ୟ ଖୁବ ଜୋରସୋରରେ ଚାଲିଛି। କାର, ବସ ଓ ବାଇକ ଷ୍ଟାଣ୍ଡ , ଶାନ୍ତିପାର୍କ, ଅଶୋକଙ୍କ ଶିଳାନୁଶାସନ ଅଞ୍ଚଳ , ବହିରଙ୍ଗେଶ୍ବର ମନ୍ଦିର ପାର୍ଶ୍ବ , ଦୟାନଦୀ ପାର୍ଶ୍ବ, ପାର୍ବତୀ ପୋଖରୀ ସ୍ଥାନ ଓ ପଞ୍ଚାୟତ କାର୍ଯ୍ୟାଳୟ ପାର୍ଶ୍ବରେ ଥିବା ଭୋଜି ପିଣ୍ଡି ସଂଲଗ୍ନ ଅଞ୍ଚଳରେ ସଫେଇ କରାଯାଇଛି। ସେହିପର ସ୍ତୂପ ଉପରେ ଲାଇଟ ଆଣ୍ଡ ସାଉଣ୍ଡ ସୋ ପ୍ରଦର୍ଶନ ଲାଗି ବିଭିନ୍ନ ଯନ୍ତ୍ରପାତି ତଥା ମେସିନ ପରୀକ୍ଷା ନିରୀକ୍ଷା କାର୍ଯ୍ୟ ଚାଲିଛି ।

ଧବଳେଶ୍ବର ବ୍ୟବସାୟୀ କମିଟି ,ବସ ଷ୍ଟାଣ୍ଡ , କାର ଓ ବାଇକ ଷ୍ଟାଣ୍ଡ ପରିଚାଳନା ଦାୟିତ୍ବରେ ଥିବା କର୍ମଚାରୀମାନଙ୍କୁ ମଧ୍ୟ ଏସଂପର୍କରେ ଅବଗତ କରାଯାଇଥିବା ଜଣାପଡ଼ିଛି। ଆସନ୍ତା କାଲି ପୂର୍ବାହ୍ନ ୧୦ଟା ସମୟରେ ଶାନ୍ତିସ୍ତୂପ ଖୋଲାଯିବା ପାଇଁ ସ୍ଥିର ହୋଇଛି। ପର୍ଯ୍ୟଟକମାନଙ୍କୁ ଶାନ୍ତିସ୍ତୂପ ନିକଟକୁ ନେବା ଆଣିବା ପାଇଁ ୧୨ଟି ସର୍ଟଲ ବସ ମଧ୍ୟରୁ ୮ଟି ଯୋଗାଇ ଦିଆଯାଇଛି । ପର୍ଯ୍ୟଟକମାନଙ୍କ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ପରବର୍ତ୍ତୀ ସମୟରେ ବିଭାଗ ପକ୍ଷରୁ ବାକି ୪ଟି ବସ ଯୋଗାଇ ଦିଆଯିବ ବୋଲି କୁହାଯାଇଛି। ସଂଧ୍ୟା ୬ଟା ୩୦ ମିନିଟରୁ ୭ଟା ୫ ମିନିଟ ପର୍ଯ୍ୟନ୍ତ ପ୍ରଥମ ସୋ ଏବଂ ୭ଟା ୧୫ ମିନିଟରୁ ୭ଟା ୫୦ ମିନିଟ ପର୍ଯ୍ୟନ୍ତ ଦ୍ବିତୀୟ ସୋ ଚାଳିବ ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର