୫ ଦିନ ମଧ୍ୟରେ ଦ୍ଵିତୀୟ ଘଟଣା: ନିଜକୁ ଗୁଳିକରି ଆତ୍ମହତ୍ୟା କଲେ ଆଉ ଜଣେ ଯବାନ୍‌

ସମ୍ବଲପୁର: ଯୁଯୁମୁରାରେ ଜଣେ ସିଆରପିଏଫ୍‌ ଯବାନ୍‌ ନିଜକୁ ଗୁଳିକରି ଆତ୍ମହତ୍ୟା କରିବା ଘଟଣାକୁ ୫ ଦିନ ନହେଉଣୁ ରବିବାର ନାକଟିଦେଉଳ ବ୍ଲକ କିସିଣ୍ଡା ଥାନା ଛାତ ଉପରେ ପୁଣି ଜଣେ କାର୍ଯ୍ୟରତ ଯବାନ୍‌ ନିଜକୁ ଗୁଳିକରି ଆତ୍ମହତ୍ୟା କରିଛନ୍ତି। ମୃତ ଯବାନ୍‌ ଜଣଙ୍କ ବରଗଡ଼ ଜିଲ୍ଲା ଗାଇସିଲେଟ ଥାନା ଶରଧାପାଲି ଅଞ୍ଚଳର ଫକୀର ସାହୁ ଓ ଦିପ୍ତୀ ସାହୁଙ୍କ ଏକମାତ୍ର ପୁଅ ଅମିତ ସାହୁ(୩୭) ବୋଲି ଜଣାପଡ଼ିଛି। ପୂର୍ବ ଘଟଣା ପରି ଅନୁରୂପ ଙ୍ଗରେ ଅମିତ ନିଜ ଗଳା ପାର୍ଶ୍ଵରୁ ଇନ୍‌ସାସ୍‌ ରାଇଫଲକୁ ବ୍ରଷ୍ଟ ମୋଡ଼ରେ ରଖି ଗୁଳି ଫୁଟାଇଥିଲେ। ଫଳରେ ଏକାବେଳକେ ୩ଟି ଗୁଳି ଗଳାପଟୁ ଯାଇ ତାଙ୍କ ମୁଣ୍ଡ ପଟେ ବାହାରିଯାଇଥିଲା ଓ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।

ଅମିତ ଓଏସ୍‌ଏପିର ପ୍ରଥମ ଏସ୍‌ଏସ୍‌ ବାଟାଲିୟନରେ କାର୍ଯ୍ୟରତ ଥିବା ବେଳେ ଗତ ୫ ମାସ ହେଲା ସେ କିସିଣ୍ଡା ଥାନାରେ କାର୍ଯ୍ୟରତ ଥିଲେ। ଏହି ଘଟଣା ପରେ ସମ୍ବଲପୁର ଜିଲ୍ଲାରେ ପୁଣିଥରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ମାଜିଷ୍ଟ୍ରେଟ ସହକାରୀ ତହସିଲଦାର ଇଜିୟସ୍‌ ବିନୟ କୁଲ୍ଲ ଓ ଓଏସ୍‌ଏପି ଡେପୁଟି କମାଣ୍ଡର ବିଷ୍ଣୁପଦ ଦାସଙ୍କ ଉପସ୍ଥିତିରେ ଭିଡ଼ିଓଗ୍ରାଫି ହୋଇ ପୁଲିସ୍‌ ଶବ ଜବତ କରିଥିବା ବେଳେ ବ୍ୟବେଚ୍ଛଦ ପାଇଁ ବୁର୍ଲା ମେଡିକାଲକୁ ପଠାଇଛି।

ସେପଟେ, ସାଇଣ୍ଟିଫିକ୍‌ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ମୃତ ଅମିତଙ୍କ ରକ୍ତନମୁନା ଓ ଫୁଟିଥିବା ଗୁଳିର ଖୋକା ଜବତ କରି ପରୀକ୍ଷା ପାଇଁ ଭୁବନେଶ୍ୱରସ୍ଥିତ ଆର୍‌ଏଫଏସ୍‌ଏଲକୁ ପଠାଇଥିବା ଜଣାପଡ଼ିଛି। ଏନେଇ କିସିଣ୍ଡା ଥାନା ଅଧିକାରୀ ଧର୍ମେନ୍ଦ୍ର ଶାନ୍ତିଙ୍କୁ ଯୋଗାଯୋଗ କରାଯିବାରେ ପୁଲିସ୍‌ ଶବ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିବା ବେଳେ ଘଟଣାର ତଦନ୍ତ କରୁଥିବା କହିଥିଲେ। ତେବେ ପାରିବାରିକ କଳହରୁ ସେ ଏଭଳି କାଣ୍ଡ ଘଟାଇଥିବା ପୁଲିସ୍‌ ଆଶଙ୍କା କରୁଥିବା ସେ କହିଛନ୍ତି। ସେପଟେ, ୧୦ ମାସ ତଳେ ଦେବଗଡ଼ ଜିଲ୍ଲା କନ୍‌ସର ଅଞ୍ଚଳରେ ପୋଷ୍ଟିଂ ସମୟରେ ମଧ୍ୟ ଅମିତ ଆତ୍ମହତ୍ୟା କରିବାର ପ୍ରୟାସ କରି ବିଫଳ ହୋଇଥିଲେ ବୋଲି ସେ ସୂଚନା ଦେଇଛନ୍ତି।

ମିଳିଥିବା ସୂଚନା ମୁତାବକ, ଅମିତଙ୍କ ବିବାହ ୨୦୧୦ ମସିହାରେ ହୋଇଥିବା ବେଳେ ଅଦ୍ୟାବଧି ତାଙ୍କର କେଣସି ସନ୍ତାନ ଜନ୍ମ ହୋଇନଥିଲେ। ଏହି କାରଣକୁ ନେଇ ପରିବାରରେ ସବୁବେଳ ଅଶାନ୍ତି ଲାଗି ରହିଥିବା ଗ୍ରାମବାସୀ କହିଛନ୍ତି। ସାବିତ୍ରୀ ଅମାବାସ୍ୟା ବେଳକୁ ସେ ଘରକୁ ଯାଇ ଫେରିବା ପରଠାରୁ ଚିନ୍ତାଗ୍ରସ୍ଥ ଥିଲେ। ଶନିବାର ରାତିରେ ମଧ୍ୟ ଘରଲୋକଙ୍କ ସହ ଫୋନ୍‌ ଯୋଗେ କଥା ହୋଇ ଝଗଡ଼ା କରୁଥିବା ସାଥୀମାନେ ଶୁଣିଥିବା ପୁଲିସ୍‌ ପକ୍ଷରୁ ସୂଚନା ମିଳିଛି। କିସିଣ୍ଡା ଥାନା ଏକ ମାଓ ଅଧ୍ୟୁଷିତ ଅଞ୍ଚଳ ହୋଇଥିବାରୁ ରାତି ସମୟରେ ୩ ଜଣ ଓଏସ୍‌ଏପି ଯବାନ୍‌ ସେଣ୍ଟ୍ରି ଦାୟିତ୍ୱରେ ନିଯୁକ୍ତ ରୁହନ୍ତି। ଶନିବାର ରାତିରେ ମଧ୍ୟ ଦାୟିତ୍ୱରେ ଥିବା ୩ ସେଣ୍ଟ୍ରିଙ୍କ ମଧ୍ୟରୁ ଅମିତ ଦ୍ଵିତୀୟ ସ୍ଥାନରେ ଡ୍ୟୁଟିରେ ଥିଲେ। ଭୋର ୪ଟାରୁ ସେ ସବୁଦିନ ଭଳି ଥାନା ଉପରେ ଡ୍ୟୁଟିରେ ଥିଲେ।

ତେବେ ୫ଟା ୫୫ ମିନିଟରେ କାର୍ଯ୍ୟ ସରିବାର ଅଳ୍ପ ସମୟ୍‌ ପୂର୍ବରୁ ଛାତରେ ଗୁଳି ଫୁଟିବାର ଶବ୍ଦ ଶୁଣି ଥାନାରେ କାର୍ଯ୍ୟରତ ପୁଲିସ୍‌ ଉପରକୁ ଯାଇଥିଲେ। ସେଠାରେ ପହଞ୍ଚିବା ବେଳକୁ ଅମିତ ନିଜ ବନ୍ଧୁକରୁ ଗୁଳି ଫୁଟାଇ ଆତ୍ମହତ୍ୟା କରିଥିଲେ। ୩ଟି ଗୁଳି ଫୁଟି ମୁଣ୍ଡ ପଟେ ବାହାରିଥିବା ଜଣାପଡ଼ିଥିଲା। ଘଟଣା ସମୟରେ ତାଙ୍କ ମୋବାଇଲଟି ଥାନା ମଧ୍ୟରେ ଥିଲା ଓ ତାଙ୍କ ପାଖରୁ ମଧ୍ୟ କେଣସି ସୁଇସାଇଡ ନୋଟ ଜବତ କରାଯାଇନଥିବା ପୁଲିସ୍‌ ସ୍ପଷ୍ଟ କରିଛି।

ସମ୍ବନ୍ଧିତ ଖବର