ମହାପ୍ରଭୁଙ୍କ ରଥଯାତ୍ରାର ସିଧା ପ୍ରସାରଣ ଉପରେ ଲାଗିପାରେ କଟକଣା!

ଭୁବନେଶ୍ୱର: ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ସିଧାସଳଖ ଟିଭି ପ୍ରସାରଣ ଉପରେ ଏକ ବଡ଼ ଧରଣର କଟକଣା ଲଗାଇବାକୁ ଯୋଜନା କରିଛନ୍ତି ରାଜ୍ୟ ସରକାର। ଚଳିତବର୍ଷ ରଥଯାତ୍ରାର ସିଧା ପ୍ରସାରଣ କରିବାକୁ ହେଲେ ଟେଲିଭିଜନ ଚ୍ୟାନେଲ ଗୁଡିକୁ ମନ୍ଦିର ପ୍ରଶାସନ ପକ୍ଷରୁ କରାଯାଉଥିବା ଟେଣ୍ଡର ନିଲାମ ପ୍ରକ୍ରିୟାରେ ଭାଗ ନେବାକୁ ନୋଟିସ୍‌ କରାଯାଇଛି। ତେବେ ମନ୍ଦିର ବାହାରେ ଘଟୁଥିବା ମହାପ୍ରଭୁଙ୍କ ଏହି ଘୋଷଯାତ୍ରାକୁ କେଉଁ ଅଧିକାରରେ ପ୍ରଶାସନ ନିଲାମ କରିବେ ଏବଂ ସିଧାପ୍ରସାରଣ ଉପରେ ରୋକ ଲଗାଇବେ ତାକୁ ନେଇ ସୃଷ୍ଟି ହୋଇଛି ବିତର୍କ।

ଟିଭି ଚ୍ୟାନେଲଗୁଡ଼ିକରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାର ସିଧାପ୍ରସାରଣ ଉପରେ କଟକଣା ଲଗାଇବା ପାଇଁ ଏ ହେଉଛି ମନ୍ଦିର ପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା ନିଲାମର ନୋଟିସ୍‌। ଆସନ୍ତା ୧୦ ତାରିଖ ସୁଦ୍ଧା ଟେଲିଭିଜନ୍‌ ଚାନେଲଗୁଡ଼ିକ ଏହି ନିଲାମରେ ଭାଗ ନେବାକୁ ଆହ୍ଵାନ କରାଯାଇଛି। ନିଲାମ ବା ବିଡିଂ ନେଇ ପ୍ରକାଶ ପାଇଥିବା ସର୍ତାବଳୀରେ କୁହାଯାଇଛି ଯେ ଯେଉଁ ଚାନେଲଗୁଡ଼ିକ କାର୍ଯ୍ୟକ୍ରମ ପ୍ରସ୍ତୁତି ଓ ପ୍ରସାରଣରେ ଭାଗ ନେବେ ସେମାନଙ୍କର ଅନ୍ତତଃ ୫ ବର୍ଷର ଅଭିଜ୍ଞତା ଥିବ। ତେବେ ସର୍ବାଧିକ ଅର୍ଥରେ ନିଲାମ ଧରିବାକୁ ଚାହୁଁଥିବା ସଂସ୍ଥାକୁ ଯେ ପ୍ରସାରଣ ଅଧିକାର ମିଳିଯିବ ସେମିତି କିଛି ବାଧ୍ୟବାଧ୍ୟକତା ନାହିଁ। ଜଗନ୍ନାଥ ମନ୍ଦିର ପ୍ରଶାସକ ଚାହିଁଲେ କୌଣସି କାରଣ ନ ଦର୍ଶାଇ ସର୍ବୋଚ୍ଚ ନିଲାମ ବା ବିଡିଂକୁ କାଟି ଦେଇପାରିବେ। ତେବେ ଦୂରଦର୍ଶନକୁ ମାଗଣାରେ ଫିଡ୍‌ ଦେବା ପାଇଁ ଏଥିରେ କୁହାଯାଇଛି।

ରାଜ୍ୟ ସରକାର ରଥଯାତ୍ରାର ସିଧାପ୍ରସାରଣ ଉପରେ କଟକଣା ଲଗାଇବାକୁ ଉଦ୍ୟମ କରିବା ଘଟଣା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି। ମନ୍ଦିର ବାହାରେ ଘଟୁଥିବା ଜଗନ୍ନାଥଙ୍କ ଏହି ରଥଯାତ୍ରାକୁ କେଉଁ ଅଧିକାରରେ ରାଜ୍ୟ ସରକାର ନିଲାମ କରିବେ ଏବଂ ସିଧାପ୍ରସାରଣ ଉପରେ ରୋକ ଲଗାଇବେ ତାକୁ ନେଇ ବିତର୍କ ସୃଷ୍ଟି ହୋଇଛି।

ମନ୍ଦିର ପ୍ରଶାସନ ଜାରି କରିଥିବା ନିଲାମ ନୋଟିସର ଅର୍ଥ ହେଉଛି, ଯେଉଁ ଚାନେଲ ନିଲାମରେ ବାଜି ମାରିବ, ତା ପାଖରେ ହିଁ ପ୍ରସାରଣ ଅଧିକାର ରହିବ। ସେ ଚାହିଁଲେ ଅନ୍ୟ ଚାନେଲକୁ ଏହି ପ୍ରସାରଣ ଅଧିକାର ବିକିପାରେ କିମ୍ବା କେବଳ ନିଜେ ହିଁ ଏହାର ପ୍ରସାରଣ କରିପାରେ। ଏହା ଫଳରେ ଅନେକ ଦର୍ଶକ ମହାପ୍ରଭୁଙ୍କ ରଥଯାତ୍ରାର ସିଧା ପ୍ରସାରଣ ଦେଖିବାରୁ ବଂଚିତ ହୋଇପାରନ୍ତି। ନିଲାମ ନୋଟିସରେ ରଥଯାତ୍ରା ସହ ଯୋଡ଼ି ହୋଇ ରହିଥିବା ସ୍ନାନଯାତ୍ରା, ବାହୁଡ଼ା, ସୁନାବେଶ, ଅଧାରପଣା ଓ ନୀଳାଦ୍ରିବିଜେର ସିଧାପ୍ରସାରଣ ଉପରେ କଟକଣା ଲଗାଇବାକୁ ଉଦ୍ୟମ କରାଯାଇଛି।

ସମ୍ବନ୍ଧିତ ଖବର