ପିଡିଏସ୍ ଚାଉଳ ବାଟମାରଣା ମାମଲା: ପାନପୋଷ ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାରେ ପିଡିଏସ୍ ଚାଉଳରେ ବଡ଼ ଧରଣର ଦୁର୍ନୀତି ଅଭିଯୋଗ ଖବର ‘ସମ୍ବାଦ’ରେ ପ୍ରକାଶ ପାଇବା ପରେ ଜିଲ୍ଲାରେ ହଇଚଇ ଖେଳି ଯାଇଛି। ଏହିକ୍ରମରେ ବୁଧବାର ସୁନ୍ଦରଗଡ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଉପଖଣ୍ଡ ଯୋଗାଣ ଅଧିକାରୀ ଲେଫ୍ରିପଡ଼ା ବ୍ଲକର ସମସ୍ତ ପଞ୍ଚାୟତ ଯୋଗାଣ ସହାୟକମାନଙ୍କୁ ଡାକି ସତ ଲୁଚାଇବାକୁ ଜୋରସୋର୍ ଉଦ୍ୟମ କରିଥିବା ଚର୍ଚ୍ଚା ହୋଇଥିଲା। ଆଲଟମେଣ୍ଟ ଅନୁସାରେ ଚାଉଳ ଦିଆଯାଉଥିବା ନେଇ ଏକ ଲିଖିତ ସ୍ବୀକାରନାମା ଲେଖାଇ ନେଇଥିବା ବେଳେ କିଛି ଯୋଗାଣ ସହାୟକ ବସ୍ତା ପ୍ରତି ୨ କିଲୋ କମ୍ ରହୁଥିବା କହିଥିଲେ ମଧ୍ୟ ସେମାନଙ୍କ କଥାକୁ ଅଧିକାରୀ ଶୁଣି ନଥିବା ପ୍ରକାଶ ପାଇଥିଲା।

ଏହା ମଧ୍ୟରେ ପାନପୋଷ ଉପଜିଲ୍ଲାପାଳ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ୧୬ ତାରିଖରେ ବିଶ୍ରା, ଲାଠିକଟା, ନୂଆଗାଁ, କୁଆରମୁଣ୍ଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ବୀରମିତ୍ରପୁର ପୌର ଅଧିକାରୀଙ୍କୁ ଚିଠି ଲେଖି ୩ ଦିନ ମଧ୍ୟରେ ତଦନ୍ତ କରି ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି। ରିପୋର୍ଟ ଆଧାରରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ସ୍ପଷ୍ଟ କରିଛନ୍ତି। ପ୍ରକାଶଯୋଗ୍ୟ, ଜିଲ୍ଲାକୁ ମାସିକ ୭୩ ହଜାର ୪ ଶହ କ୍ବିଣ୍ଟାଲ ଚାଉଳ ଯୋଗାଇ ଦିଆଯାଉଥିବା ବେଳେ ଅତି ଚତୁରତାର ସହ ସେଥିରୁ ୨୯୩୬ କ୍ବିଣ୍ଟାଲ ବାଟମାରଣା କରାଯାଉଥିବା ଅଭିଯୋଗ ଆସିଥିଲା।

ମିଲ୍ ରୁ ଗୋଦାମ, ସେଠାରୁ ବ୍ଲକ ଓ ପଞ୍ଚାୟତ ପଏଣ୍ଟକୁ ଚାଉଳ ପହଞ୍ଚିଲା ବେଳକୁ ୫୦ କେଜି ବସ୍ତାର ଓଜନ ୪୮ କେଜିକୁ ଖସି ଆସୁଥିବା ପ୍ରକାଶ ପାଇଥିଲା। ଅର୍ଥାତ ପ୍ରତି ବସ୍ତାରୁ ୨ କେଜି, କ୍ବିଣ୍ଟାଲ ପ୍ରତି ୪ କେଜି ଚାଉଳ ବାଟମାରଣା କଳା ବଜାରରେ କେଜି ପ୍ରତି ୨୦ ଟଙ୍କାରେ ବିକ୍ରି କରି ମିଲର୍ସ, ପରିବହନକାରୀ ଓ ବାବୁମାନେ ପକେଟରେ ଭର୍ତ୍ତି କରୁଥିବା ଏହି ହିସାବରେ ମାସିକ ୨୯୩୬ କ୍ବିଣ୍ଟାଲରେ ପ୍ରାୟ ୫୮ ଲକ୍ଷ ଟଙ୍କା, ବାର୍ଷିକ ୬ କୋଟି ୯୬ ଲକ୍ଷ ଟଙ୍କା ହଡ଼ପ କରାଯାଉଥିବା ଚର୍ଚ୍ଚାକୁ ଆସିଥିଲା। ନିଜ ନାମକୁ ଗୋପନ ରଖିବା ସର୍ତ୍ତରେ କିଛି ଯୋଗାଣ ସହାୟକ ଆଲଟମେଣ୍ଟ ଅନୁସାରେ ଚାଉଳ ପାଉ ନଥିବା ପ୍ରକାଶ କରିଥିଲେ। ୫୦ କେଜି ଚାଉଳ ସହ ବସ୍ତାର ଓଜନ ୫୮୦ ଗ୍ରାମ ରହିବା କଥା। କାଗଜପତ୍ରରେ ଚାଉଳର ପରିମାଣ ଠିକ୍ଠାକ୍, କିନ୍ତୁ ବସ୍ତା ପ୍ରତି ୨ କେଜି ଚାଉଳ କମ୍ ରହୁଥିବା ଓ ବସ୍ତାର ୫୮୦ ଗ୍ରାମ ମଧ୍ୟ କେବେ ହିସାବକୁ ଆସୁ ନଥିଲା ବୋଲି ସେମାନେ କହିଥିଲେ। ତେବେ ଏକ ଉଚ୍ଚସ୍ତରୀୟ ସରଜମିନ ତଦନ୍ତ ହେଲେ ପ୍ରକୃତ ସତ ପଦାକୁ ଆସିବ ବୋଲି ସାଧାରଣରେ ମତପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର