୩୨୦ ବସ୍ତା ପିଡିଏସ୍‌ ଚାଉଳ ଗାଏବ ଘଟଣା: ଓପିଡିଏସ୍‌ ଆଇନରେ କାହିଁକି ଏତଲା ଦେଇନି ବିଭାଗ

ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଲେ ବୀରମିତ୍ରପୁର ବିଧାୟକ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ପିଡିଏସ୍‌ ମହାଦୁର୍ନୀତିରେ ପାନପୋଷ ଉପଖଣ୍ଡର ତଦନ୍ତକୁ କୌଣସି ପ୍ରକାରେ ବାଟବଣା କରିବାକୁ ଚାଲିଛି ଉଦ୍ୟମ। ଏଯାଏ ବିଶ୍ରା, ନୂଆଗାଁ, କୁଆରମୁଣ୍ଡା, ଲାଠିକଟା ବ୍ଲକସ୍ଥିତ ପଞ୍ଚାୟତଗୁଡ଼ିକ ଓ ବୀରମିତ୍ରପୁର ପୌରପାଳିକାର ପଏଣ୍ଟ ସେଲ ମେସିନ (ପସ୍‌) ସହ ଗୋଦାମରେ ଥିବା ଷ୍ଟକର ଯାଞ୍ଚ କରାଯାଇ ନାହିଁ। କେବଳ ଯୋଗାଣ ସହାୟକମାନଙ୍କ ଠାରୁ ସଠିକ ପରିମାଣର ଚାଉଳ ପାଇଥିବାର ଏକ ସ୍ବୀକାରନାମା ଲେଖାଇ ତାକୁ ଆଧାର କରି ଉପଜିଲ୍ଲାପାଳଙ୍କୁ ରିପୋର୍ଟ ଦେବାକୁ ମସୁଧା ଚାଲିଛି।

ଜୁନ ୧୯ ରାତିରୁ ହାତୀବାରି ଥାନାରେ ଅଟକ ଚାଉଳ ଓ ଗହମ ବୋଝେଇ ଟ୍ରକ ଓ ନୂଆଗାଁ ବ୍ଲକ୍‌ ପୁରୁଣାପାଣି ପଞ୍ଚାୟତ ନାମରେ ରାଉରକେଲା ଏସଟିଆଇ ଚାଉଳ ସଂଗ୍ରହ କେନ୍ଦ୍ର (ଆରଆରସି)ରୁ ଯାଇଥିବା ୩୨୦ ବସ୍ତା ଚାଉଳ ଗାଏବ ସହ ବିନା ଗ୍ରହଣପତ୍ର (ଏସି ନୋଟ)ର ୫୩ ବସ୍ତା ଗହମକୁ ନେଇ ଚାଲିଥିବା ପ୍ରାଶାସନିକ ତଦନ୍ତ ଆଜି ମଧ୍ୟ ସରି ନ‌ାହିଁ। ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ବୀରମିତ୍ରପୁର ତହସିଲଦାର ଅଂଶୁମାନ ଦାସ ସୋମବାର ସମ୍ପୃକ୍ତ ପଞ୍ଚାୟତର ଯୋଗାଣ ସହାୟକ, ନିର୍ବାହୀ ଅଧିକାରୀ, ସରପଞ୍ଚଙ୍କ ବୟାନ ରେକର୍ଡ କରିଥିବା ବେଳେ ଆଜି ଆରଆରସିର ମାନ ଯାଞ୍ଚ ଓ ସଂଗ୍ରହ ନିରୀକ୍ଷକ (ଏପିଆଇ), ଶ୍ରମିକମାନଙ୍କ ବୟାନ ନେଇଛନ୍ତି। କିନ୍ତୁ ଆଜି ବି ତଦନ୍ତ ସରି ନଥିବା କୁହାଯାଉଛି।

ଅନ୍ୟପଟେ ଏବେ ବି ଯୋଗାଣ ବିଭାଗ ଘଟଣାକୁ କୌଣସି ପ୍ରକାରେ ଚାପି ଦେବାକୁ ଉଦ୍ୟମ ଚଲାଇଛି। ଘଟଣାକୁ ଚାରି ଦିନ ବିତିଯାଇଛି, ୩୨୦ ବସ୍ତା ଚାଉଳ ଗାଏବ ହୋଇଯାଇଥିବା ଓ ଟ୍ରକରେ ବିନା ଏସି ନୋଟରେ ଗହମ ବୋଝେଇ ହୋଇଥିବା ଏକ ପ୍ରକାର ସ୍ପଷ୍ଟ ହୋଇଥିଲେ ମଧ୍ୟ ବିଭାଗ ଏଯାଏ ଓଡ଼ିଶା ସାର୍ବଜନିକ ବିତରଣ ବ୍ୟବସ୍ଥା (ଓପିଡିଏସ୍‌) ନିୟନ୍ତ୍ରଣ ଆଇନ ୨୦୧୬ ଅନୁଯାୟୀ ଏତଲା ଦେବା କିମ୍ବା କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚାହି ନାହିଁ। ଯାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତେବେ ୬୩ ବସ୍ତା ଗହମ ସମ୍ପର୍କରେ ବିଭାଗର ଯୁକ୍ତି ହେଲା, ‘ଏହା ମେ’ ୨୯ ତାରିଖରେ ଆରଆରସିରୁ ଯାଇଥିବା ଜାହରିଟୋଲିର ଗହମ, କିନ୍ତୁ ଭୁଲ୍‌କ୍ରମେ ତାହା ପୁରୁଣାପାଣି ଗୋଦାମରେ ଓହ୍ଲାଇ ଦିଆଯାଇଥିଲା।

୧୯ ତାରିଖରେ ଉଭୟ ପୁରୁଣାପାଣି ଓ ଜାହରିଟୋଲିକୁ ଚାଉଳ ପଠାଯିବା ପରେ ପୁରୁଣାପାଣିରୁ ସେ ଗହମକୁ ଟ୍ରକରେ ବୋଝେଇ କରି ଜାହରିଟୋଲି ନିଆଯାଇଥିଲା’। କିନ୍ତୁ ଓପିଡିଏସ୍‌ ଆଇନ ଅନୁଯାୟୀ, କୌଣସି ପରିସ୍ଥିତିରେ ଗୋଟିଏ ପଞ୍ଚାୟତ ନାମରେ ପଠାଯାଇଥିବା ସାମଗ୍ରୀ ଅନ୍ୟ ପଞ୍ଚାୟତରେ ଓହ୍ଲା ଯାଇପାରିବ ନାହିଁ। ବରଂ ବିଶେଷ କ୍ଷେତ୍ରରେ ସମ୍ପୃକ୍ତ ପଞ୍ଚାୟତରେ ଓହ୍ଲାଇବାରେ ଅସୁବିଧା ଦେଖାଦେଲେ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଅବଗତ କରି ସାମଗ୍ରୀକୁ ଗୋଦାମକୁ ଫେରସ୍ତ ନିଆଯିବ। ଏଠାରେ ଯଦି ଯୋଗାଣ ବିଭାଗର ଯୁକ୍ତିରେ ସତ୍ୟତା ଅଛି, ତେବେ ଏଠାରେ ଓପିଡିଏସ୍‌ ଆଇନକୁ ଖୋଲାଖୋଲି ଉଲ୍ଲଂଘନ କରି ଠିକାଦାର ଜାହରିଟୋଲିର ଗହମକୁ ପୁରୁଣାପାଣିରେ ଓହ୍ଲାଇ ଦେଇଥିଲେ ବୋଲି କୁହାଯିବ।

ସୂନାଯୋଗ୍ୟ, ଗତ ୧୯ ତାରିଖରେ ଏଲ୍‌-୨ ଠିକାଦାର ଉଷା ଅଗ୍ରୱାଲଙ୍କ ଟ୍ରକ (ଓଡି-୧୪ ୟୁ-୬୪୨୯)ରେ ଆରଆରସିରୁ ଦୁଇଟି ଟ୍ରିପ୍‌ରେ ପୁରୁଣାପାନି ଓ ଜାହରିଟୋଲି ପଞ୍ଚାୟତକୁ ଚାଉଳ ପଠାଯାଇଥିଲା। ପ୍ରଥମେ ପୂର୍ବାହ୍ନ ୧୦ଟାରେ ପୁରୁଣାପାନି ପଞ୍ଚାୟତକୁ ୩୨୦ ବସ୍ତା ଚାଉଳ ପଠାଯାଇଥିଲା। ଯାହା ଗ୍ରହଣପତ୍ର (ଏସି ନୋଟ) ସହ ଗେଟ୍‌ ପାସ୍‌ ନମ୍ବର ୨୪୧ରେ ସ୍ପଷ୍ଟ ଉଲ୍ଲେଖ ରହିଛି। କିନ୍ତୁ ସେ ଚାଉଳ ପୁରୁଣାପାନିରେ ପହଞ୍ଚି ନାହିଁ। ଦ୍ବିତୀୟ ଟ୍ରିପ୍‌ ଅପରାହ୍ନ ୧ଟାରେ ଆରଆରସିର ଗେଟ୍‌ ପାସ ନମ୍ବର ୨୪୨ରେ ଜାହରିଟୋଲି ପଞ୍ଚାୟତକୁ ଜୁଲାଇ ମାସର ୨୩୮ ବସ୍ତା ଚାଉଳ ପଠାଯାଇଥିଲା। ସେହି ଟ୍ରକରେ ପୁଣି ପୁରୁଣାପାନି ପାଇଁ ଅଗଷ୍ଟ ମାସର ୮୨ ବସ୍ତା ଚାଉଳ ଯାଇଥିଲା।

ଦ୍ବିତୀୟ ଟ୍ରିପ୍‌ର ଏହି ଟ୍ରକଟି ପୁରୁଣାପାନି ଯାଇ ସେଠାରେ ୮୨ ବସ୍ତା ଚାଉଳ ଓହ୍ଲାଇବା ସହ ସେଠାରୁ ୫୩ ବସ୍ତା ଗହମ ବୋଝେଇ କରି ଜାହରିଟୋଲି ଯାଇଥିଲା। ପୁରୁଣାପାନିର ସରପଞ୍ଚ, ନିର୍ବାହୀ ଅଧିକାରୀ ଓ ଯୋଗାଣ ସହାୟକ ତଦନ୍ତ କରୁଥିବା ମାଜିଷ୍ଟ୍ରେଟ୍‌ଙ୍କୁ ଦେଇଥିବା ଲିଖିତ ବୟାନରେ ଏହା ସ୍ପଷ୍ଟ ଭାବେ ଉଲ୍ଲେଖ କରିଛନ୍ତି।

ତେବେ ଜାହରିଟୋଲିରେ ସ୍ଥାନୀୟ ଲୋକେ ଚୋରି ଚାଉଳ କହି ଟ୍ରକକୁ ଅଟକାଇ ଦେଇଥିଲେ। ପରେ ପରେ ବୀରମିତ୍ରପୁର ବିଧାୟକ ଶଙ୍କର ଓରାମ ପଞ୍ଚାୟତ କାର୍ଯ୍ୟାଳୟରେ ପହଞ୍ଚି ଏହା ପିଡିଏସ୍‌ ଦୁର୍ନୀତିର ଚାଉଳ, ଗହମ କହି ଟ୍ରକରୁ ଖାଲି କରିବାକୁ ଦେଇ ନଥିଲେ। ଚାଉଳ, ଗହମ ଉତାରିବାକୁ ଉଭୟ ଯୋଗାଣ ନିରୀକ୍ଷକ ଓ ଠିକାଦାର ଉଦ୍ୟମ କରିଥିଲେ ବି ସମ୍ଭବ ହୋଇ ନଥିଲା। ପରେ ରାତିରେ ହାତୀବାରି ପୁଲିସ ପିଡିଏସ୍‌ ସାମଗ୍ରୀ ସହ ଟ୍ରକକୁ ଥାନାକୁ ନେଇ ଯାଇଥିଲା। ସୋମବାର ବିଧାୟକ ଶ୍ରୀ ଓରାମ ଥାନାକୁ ଆସି ଟ୍ରକକୁ ସିଜ୍‌ କରାଯାଇ ନଥିବା ଜାଣି ତାତି ଉଠିଥିଲେ। ଆରଆରସି ଏସି ନୋଟରେ କେବଳ ଚାଉଳ ପଠାଯାଇଥିବା ଉଲ୍ଲେଖ ଥିବା ବେଳେ ଟ୍ରକରେ ଗହମ କେଉଁଠୁ ଆସିଲା ବୋଲି ପ୍ରଶ୍ନ କରିବା ସହ ତାର କାଗଜପତ୍ର ନଥିବାରୁ ଓପିଡିଏସ୍‌ ନିୟନ୍ତ୍ରଣ ଆକ୍ଟ ଅନୁଯାୟୀ ତାକୁ ତୁରନ୍ତ ସିଜ୍‌ କରିବାକୁ କହିଥିଲେ।

ସେହିପରି ପୁରୁଣାପାନି ନାମରେ ଆସିଥିବା ୩୨୦ ବସ୍ତା କେଉଁଠି ବୋଲି ପଚାରିଥିଲେ। ଯାହାର ଉତ୍ତର ଯୋଗାଣ ବିଭାଗ ପାଖରେ ନଥିଲା। ଆଜି ବି ସେ ସମ୍ପର୍କରେ ଯୋଗାଣ ବିଭାଗ ମୁହଁ ଖୋଲି ନାହିଁ। ଦିନ ଦ୍ବିପ୍ରହରରେ ଏତେ ବଡ଼ ଚୋରିକୁ ବିଭାଗ କିପରି ଆଖି ବୁଜି ଦେଇଛି, କାହାକୁ ବଞ୍ଚାଇବାକୁ ୪ ଦିନ ହେଲା କସରତ କରିଚାଲିଛି, ତାକୁ ନେଇ ଉଠିଛି ପ୍ରଶ୍ନ। ଅନ୍ୟପଟେ ଆଜି ବିଧାୟକ ଶ୍ରୀ ଓରାମ ମୁଖ୍ୟମନ୍ତ୍ରୀ ଓ ଯୋଗାଣ ବିଭାଗ ପରିଚାଳନା ନିର୍ଦ୍ଦେଶକଙ୍କୁ ଚିଠି ଲେଖି ଗରିବଙ୍କ ଖାଦ୍ୟ ହଡ଼ପ କରୁଥିବା ଅଧିକାରୀ ଓ ଠିକାଦାରଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର