ମାର୍ଚ୍ଚ ୩୧ରୁ ଜିଲ୍ଲାରେ ଧାନ ସଂଗ୍ରହ ପ୍ରକ୍ରିୟା ବନ୍ଦ

ଟାର୍ଗେଟ୍ ଓ ଟୋକନ୍ ଥାଇ ଜିଲ୍ଲାର ୪୦ ହଜାର ୭୦୬ ଚାଷୀ ଧାନ ବିକି ପାରିଲେ ନାହିଁ

ଛତ୍ରପୁର: ଟାର୍ଗେଟ୍ ଥାଇ ବି ଗଞ୍ଜାମ ଜିଲ୍ଲାର ପ୍ରାୟ ୪୦ ହଜାରରୁ ଅଧିକ ଚାଷୀ ସରକାରଙ୍କୁ ଧାନ ବିକି ପାରିଲେ ନାହିଁ। ୨୦୨୦-୨୧ ଆର୍ଥିକ ବର୍ଷରେ ଜିଲ୍ଲା ପାଇଁ ୧ ଲକ୍ଷ ୭୭ ହଜାର ୬୦୩ ଟୋକନ୍ ଜେନେରେଟ ହୋଇଥିଲା। ସେଥିରୁ ୪୦ ହଜାର ୭୦୬ ଜଣ ଚାଷୀଙ୍କ ଟୋକନ୍ ଲାପ୍ସ ହୋଇଥିଲା। ଏହାର ମୁଖ୍ୟ କାରଣ ହେଉଛି, ଠିକ୍ ସମୟରେ ଜିଲ୍ଲାକୁ ଟାର୍ଗେଟ୍ ନ ମିଳିଥିବାରୁ ଏଭଳି ସମସ୍ୟା ସୃଷ୍ଟି ହୋଇଛି। ମାର୍ଚ୍ଚ ୩୧ ତାରିଖ ଗଞ୍ଜାମ ଜିଲ୍ଲାରେ ଧାନ କିଣା ବନ୍ଦ ହୋଇଯାଇଥିଲା।

ଜିଲ୍ଲା ପ୍ରଶାସନ ବାରମ୍ବାର ଅନୁରୋଧ ଯୋଗୁଁ ୧୦ ଟି ପର୍ଯ୍ୟାୟରେ ଜିଲ୍ଲାକୁ ୪୭ ଲକ୍ଷ ୪୩ ହଜାର ୨୮୩ କ୍ୱିଣ୍ଟାଲ୍ ଧାନ କିଣିବା ଲାଗି ଟାର୍ଗେଟ୍ ମିଳିଥିଲା। ମାର୍ଚ୍ଚ ୨୫ ତାରିଖରେ ଶେଷ ଟାର୍ଗେଟ୍ ୨ ଲକ୍ଷ ୨୩ ହଜାର କ୍ୱିଣ୍ଟାଲ୍ ଧାନ ସଂଗ୍ରହ ଲାଗି ଜିଲ୍ଲାକୁ ମିଳିଲା। ହେଲେ ଟାର୍ଗେଟ୍ ମିଳିବା ବେଳକୁ ଧାନ କିଣିବାକୁ ହାତରେ ଥିଲା ଆଉ ମାତ୍ର ୫ ଦିନ। ସେତେବେଳକୁ ଅଧିକାଂଶ ସୋସାଇଟିର ଟୋକନ୍ ସରି ଯାଇଥିଲା। ଶେଷରେ ଟାର୍ଗେଟ୍ ଥାଇ ବି ଧାନ କିଣା ଯାଇପାରିଲା ନାହିଁ।

ସେହିପରି ଚଳିତ ଧାନ ସଂଗ୍ରହ ପ୍ରକ୍ରିୟାରେ ୩୭୯ ପ୍ୟାକସ୍, ଗୋଟିଏ ପାଣି ପଞ୍ଚାୟତ ସହ ୬୪ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ସାମିଲ ଥିଲେ। ୬୪ ମହିଳା ଗୋଷ୍ଠୀଙ୍କୁ ୧୧ ହଜାର ୭୮୩ ଜଣ ଚାଷୀଙ୍କ ଠାରୁ ଧାନ କିଣିବା ପାଇଁ ଲକ୍ଷ୍ୟ ରହିଥିଲା। ହେଲେ ଜିଲ୍ଲାରେ ଧାନ ସଂଗ୍ରହ ପ୍ରକ୍ରିୟା ବନ୍ଦ ହେବାରୁ ୨୧୪୫ ଜଣ ଚାଷୀଙ୍କ ଠାରୁ ଧାନ କିଣି ପାରିଲେ ନାହିଁ। ଫଳରେ ଉକ୍ତ ଚାଷୀଙ୍କ ଟୋକନ୍ ମଧ୍ୟ ଲାପସ୍ ହୋଇଥିଲା। ଜିଲ୍ଲାରେ ଧାନ କିଣା ଶେଷ ହେଲା ବେଳକୁ ୯୬ ହଜାର ୪୦୨ ଜଣ ଚାଷୀଙ୍କ ଠାରୁ ୪୩ ଲକ୍ଷ ୪ ହଜାର ୧୮୬ କ୍ୱିଣ୍ଟାଲ୍ ଧାନ କିଣା ଯାଇଥିଲା। କିନ୍ତୁ ଆହୁରି ଜିଲ୍ଲାର ୪୦ ହଜାର ୭୦୬ ଜଣ ପଞ୍ଜୀକୃତ ଚାଷୀ ସରକାରଙ୍କୁ ଧାନ ବିକ୍ରି କରି ପାରିଲେ ନାହିଁ। ଫଳରେ ଏହି ଚାଷୀଙ୍କ ଜେନେଟେର ହୋଇଥିବା ଟୋକନ୍ ଗୁଡିକ ମଧ୍ୟ ଲାପସ୍ ହୋଇଥିଲା।

ଗଞ୍ଜାମ ଜିଲ୍ଲାରେ ୧ ଲକ୍ଷ ୩୭ ହଜାର ୧୦୮ ଜଣ ଚାଷୀ ଧାନ ବିକ୍ରି କରିବା ଲାଗି ପଞ୍ଜୀକରଣ କରିଥିଲେ।ା ଗତବର୍ଷ ଡିସେମ୍ବର ଦ୍ୱିତୀୟ ସପ୍ତାହରୁ ଧାନ କିଣା ଆରମ୍ଭ ହୋଇଥିଲା। ଧାନ କିଣା କିଛି ଦିନ ସୁରୁଖୁରରେ ଚାଲିବା ପରେ ଜାନୁଆରି ଶେଷ ସପ୍ତାହ ଠାରୁ ଜିଲ୍ଲାରେ ଧାନ କିଣାରେ ଅଚଳାବସ୍ଥା ଆରମ୍ଭ ହୋଇଥିଲା। ଜିଲ୍ଲାକୁ ଠିକ୍ ଭାବେ ଟାର୍ଗେଟ୍ ମିଳିନଥିଲା। ଜିଲ୍ଲା ପ୍ରଶାସନ ବାରମ୍ବାର ଅନୁରୋଧ ପରେ ୧୦ ଟି ପର୍ଯ୍ୟାୟରେ ଟାର୍ଗେଟ୍ ମିଳିଥିଲା।

ପୂର୍ବବର୍ଷ ଗୁଡିକ ତୁଳନାରେ ଚଳିତ ବର୍ଷ ଧାନ ଫସଲ ମଧ୍ୟ ଭଲ ଅମଳ ହୋଇଥିଲା। କିନ୍ତୁ ଜିଲ୍ଲାକୁ ସେହି ଅନୁପାତରେ ଟାର୍ଗେଟ୍ ମିଳିଲା ନାହିଁ। ଗତବର୍ଷ ଟୋକନ୍ ନ ଆସିବାରୁ ଚାଷୀ ଧାନ ବିକି ପାରି ନଥିବା ବେଳେ ଏଥର ଟାର୍ଗେଟ୍ ସମସ୍ୟା ଯୋଗୁଁ ଚାଷୀ ସମସ୍ୟାରେ ପଡିଥିଲେ। ଗତ ଫେବୃୟାରୀ ୨୮ ଠାରୁ ଆଉ ନୂଆ ଟୋକନ୍ ଆସିଲା ନାହିଁ। ଟାର୍ଗେଟ୍ ନଥିବାରୁ ଚାଷୀ ଟୋକନ୍ ଥାଇ ସୁଦ୍ଧା ଧାନ ବିକ୍ରି କରିପାରିଲେ ନାହିଁ। ଏପରିକି ହଜାର ହଜାର ଚାଷୀଙ୍କ ଟୋକନ୍ ଅବଧି ମଧ୍ୟ ଶେଷ ହୋଇଥିଲା। ଜିଲ୍ଲାରେ ବିଭିନ୍ନ ସ୍ଥାନରେ ଚାଷୀ ଆନେ୍ଦାଳନ ମୁଣ୍ଡ ଟେକିଲା। ଜିଲ୍ଲା ପ୍ରଶାସନ ତହସିଲଦାରଙ୍କ ଜରିଆରେ ବି ଚାଷୀଙ୍କ ଧାନ ଅଛି କି ନାହିଁ ଯାଞ୍ଚ କରିଥିଲେ। ଜିଲ୍ଲା ପ୍ରଶାସନ ରିପୋର୍ଟ ପ୍ରଦାନରେ ଏବଂ ଜିଲ୍ଲାକୁ ଟାର୍ଗେଟ୍ ମିଳିବାରେ ବିଳମ୍ବ ଯୋଗୁଁ ବହୁ ଚାଷୀ ଧାନ ବିକିବାରୁ ବଞ୍ଚିତ ରହିଲେ। ଟୋକନ୍ ଏବଂ ଟାର୍ଗେଟ୍ ଥାଇ ବି ଚାଷୀ ଧାନ ସରକାରଙ୍କୁ ବିକି ନ ପାରିବାରୁ ଚାଷୀଙ୍କ ମହଲରେ ଅସନ୍ତୋଷ ଦେଖା ଦେଇଥିଲା।

ସମ୍ବନ୍ଧିତ ଖବର