ଧାମରା: ବାତ୍ୟା ଆଶ୍ରୟସ୍ଥଳରେ ରହିଲେ ୮ ପଞ୍ଚାୟତର ଲୋକ

ଭଦ୍ରକ: ସମୁଦ୍ର ଉପକୂଳବର୍ତ୍ତୀ ଧାମରା ନିକଟସ୍ଥ ୮ ପଞ୍ଚାୟତର ଲୋକଙ୍କ ଉପରେ ପ୍ରଶାସନ ପକ୍ଷରୁ ଅଧିକ ନଜର ରଖାଯାଇଥିଲା। ଏଇ ଅଞ୍ଚଳର ସମସ୍ତ ମତ୍ସ୍ୟଜୀବୀ, କସିଆ ଓ ଚୂଡାମଣି ଅଞ୍ଚଳର ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବାକୁ ବାରଣ କରାଯାଥିବାରୁ ସେମାନେ ପ୍ରଶାସନର ନିର୍ଦ୍ଦେଶ ଅନୁଯାୟୀ ଡଙ୍ଗା କୂଳରେ ରଖି କେହି ମାଛ ଧରିବାକୁ ସମୁଦ୍ର ଭିତରକୁ ଯାଇନଥିଲେ।

ସେହିପରି ସମୁଦ୍ର କୂଳ ଠାରୁ ୩ କିମି ଦୂର ବର୍ତ୍ତୀ ଗାଁରେ ରହିଥିବା ଲୋକମାନଙ୍କୁ ଗତକାଲି ରାତିସୁଦ୍ଧା ବିଭିନ୍ନ ପଞ୍ଚାୟତରେ ଥିବା ବାତ୍ୟା ଆଶ୍ରୟସ୍ଥଳକୁ ଉଠାଇ ନିଆଯାଇଥିଲା। ଗତକାଲି ରାତି ଓ ଆଜି ଦିନରେ ଆଶ୍ରୟସ୍ଥଳରେ ରହୁଥିବା ଲୋକମାନଙ୍କୁ ରନ୍ଧା ଖାଦ୍ୟ ଦିଆଯାଇଛି। ଭଦ୍ରକ ପିଡି ଡିଆରଡିଏ ମଧୁସୂଦନ ଦାସ ଏଇ କାର୍ଯ୍ୟକୁ ତଦାରଖ କରିଥିଲେ।

ଧାମରା ଅଞ୍ଚଳର ଝାଡକାଟି, ଗୁଆଁଳ, ଜାଗୁଳା, ଡିଆଁ ନରସିଂହ ପୁର, ବଳଭଦ୍ରପ୍ରସାଦ, ଦୋସିଙ୍ଗା, ବଳସାହି, ଉଦିତ ନଗର, ଚନ୍ଦନିପାଳ, କନକପ୍ରସାଦ, ବାଂଶଡା, କଇଥକୋଲା, ହୃଦୟ ପ୍ରସାଦ, ଗୌରୀ ପ୍ରସାଦ, କରଂଜମାଳ, ପଞ୍ଚୁଟିକ୍ରୀ, ବଇଁଚା, କରଣପଲ୍ଲୀ, ଚରଦିଆ, ଶଙ୍ଖପଦା, ହରିଶପୁର, ନଳଗୋହିରା ପରି ତଳିଆ ଅଞ୍ଚଳ ଓ ମାଟି ଘରେ ରହୁଥିବା ଲୋକମାନଙ୍କୁ ବାତ୍ୟା ଆଶ୍ରୟସ୍ଥଳରେ ରଖାଯାଇଛି।

ଭଦ୍ରକ ବ୍ଲକ ଓ ପୌରାଞ୍ଚଳରେ ମଧ୍ୟ ବାତ୍ୟାର ପ୍ରଭାବ  ଅନୁଭୁତ ହୋଇଥିଲା। ଗତକାଲି ରାତିଠାରୁ ବର୍ଷା ପବନ ଲାଗି ରହିଥିବା ବେଳେ ଭଦ୍ରକ ସହରର ମୁଖ୍ୟ ରାସ୍ତା କଚେରୀ ରୋଡରେ ଥିବା ଆରଆଣ୍ଡ ବି ଅଫିସ୍ ସମ୍ମୁଖରେ ରାସ୍ତା ଉପରେ ଗଛ ପଡି  ରାସ୍ତା ଅବରୋଧ ହୋଇଥିଲ। ଭଦ୍ରକର ଅଗ୍ନିଶମ ବିଭାଗ କର୍ମଚାରୀ ଏଇ ଗଛକୁ କଟରରେ କାଡି ରାସ୍ତା ସଫା କରିଥିଲେ।

ସମ୍ବନ୍ଧିତ ଖବର