ଅନୁପ ସାଏ ମାମଲା: ୨୦ ହଜାର ଟଙ୍କା ଲେଖାଁଏ ପୁରସ୍କାର ପାଇବେ ତଦନ୍ତ କରୁଥିବା ଛତିଶଗଡ଼ ପୁଲିସ ଅଧିକାରୀ

ଝାରସୁଗୁଡ଼ା: ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ଗିରଫ କରିବା ପାଇଁ ଛତିଶଗଡ଼ର ରାୟଗଡ଼ ପୁଲିସ ବହୁ ଉଦ୍ୟମ କରିଛି। ଅନୁପ ସାଏଙ୍କୁ ଗିରଫ କରିବା ପୂର୍ବରୁ ପ୍ରମାଣପତ୍ର ହାସଲ କରିବା ପାଇଁ ପୁଲିସ ଟିମ୍‌ ଦିନରାତି ଯୋଜନା କରିଛି। ଏବେ ପୁଲିସ ଟିମ୍‌କୁ ଏହାର ଫଳ ମିଳିବ। ମାମଲାରେ ତଦନ୍ତ କରୁଥିବା ପୁଲିସ ଅଧିକାରୀମାନେ ୨୦ ହଜାର ଟଙ୍କା ଲେଖାଁଏ ପୁରସ୍କାର ପାଇବେ। ଏହି ଘୋଷଣା କରିଛନ୍ତି ବିଲାସପୁର ଆଇ.ଜି ଦିପାଂଶୁ କବିଡ଼ିଆ।

ରାୟଗଡ଼ ଏସପି ସନ୍ତୋଷ ସିଂହଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ରାୟଗଡ଼ କାର୍ଯ୍ୟନିର୍ବାହୀ ଏଏସପି ଅଭିଷେକ ବର୍ମା, ସିଏସପି ଅବିନାଶ ସିଂ ଠାକୁରଙ୍କ ଦିଗଦର୍ଶନରେ ଇନ୍‌ସପେକ୍ଟର ବିବେକ ପଟେଲ, ଏସ ସିଂ, ରୂପକ ଶର୍ମା, ଗୌରୀଶଙ୍କର ଦୁବେ, ସଉଣୀ ଶସିଦେ ଭୋଇ, ଡିପି ଭରଦ୍ୱାଜ, ସାଇବର ସେଲ ମୁଖ୍ୟ ରାଜେଶ ପଟେଲ, ଆର ଶ୍ୟାମଲଲ, ଚକ୍ରଧରନଗର ଥାନା ଅଧିକାରୀ ଜଗମୋହନ ଓଗରେ, ରିତେଶ ଦିୱାନ, ଦିନେଶ ଗୌଣ୍ଡ, ଆଖିଲେଶ କୁଶବାହ, ଭବାନୀ ଶଙ୍କର, ମହେଶ ପଣ୍ଡା, ସୁରେନ୍ଦ୍ର ପୋର୍ତି, ବୃଜଲାଲ ଗୁଜର, ମହିଳା ଇନ୍‌ସପେକ୍ଟର ରୀନା ବୁଲବୁଲ ପୂର୍ବତନ ବିଧାୟକ ଅନୁପ ସାଏ ମାମଲାର ତଦନ୍ତ ପରିଚାଳନା କରୁଥିଲେ।

ଛତିଶଗଡ଼ ରାଜ୍ୟ ରାୟଗଡ଼ ଜିଲ୍ଲା ଚକ୍ରଧରନଗର ଥାନା ପୁଲିସ ଦୁଇ ରାତି ଓ ଗୋଟିଏ ଦିନ ଅନୁପଙ୍କୁ ମାରାଥନ ଜେରା କରିବା ପରେ ଆଜି ଅପରାହ୍ନ ୨ ଟାରେ ଚକ୍ରଧରନଗର ଥାନାରେ ଆଣି ଗଣମାଧ୍ୟମ ପ୍ରତିନିଧିଙ୍କ ଆଗରେ ଉପସ୍ଥାପନ କରିଥିଲା। ଏହା ପରେ ଏସପି ଏହି ମାମଲାର ବିବରଣୀ ପ୍ରଦାନ କରିଥିଲେ। ପ୍ରେମ ସମ୍ପର୍କ, ସମ୍ପତ୍ତି ଓ ବିବାହ ପାଇଁ ଜିଦ ଯୋଗୁଁ ମହିଳାଙ୍କୁ ହତ୍ୟା କରାଯାଇଥିବା ଏସପି ପ୍ରକାଶ କରିଥିଲେ।

ସୂଚନାଯୋଗ୍ୟ ଅନ୍ତର୍ଗତ ସମ୍ବଲପୁରୀ ବଙ୍ଗୁରସିଆ ଠାରେ ଘଟିଥିବା ମା’-ଝିଅ ହତ୍ୟାକାଣ୍ଡ (କଳ୍ପନା ଦାସ ଓ ତାଙ୍କର ଝିଅ ବବଲି) ଘଟଣାରେ ଚକ୍ରଧରନଗର ପୁଲିସ ଅନୁପ ସାଏଙ୍କୁ ମୁଖ୍ୟ ଅଭିଯୁକ୍ତ ଭାବରେ ଆଜି ରାୟଗଡ଼ ଜେଏମ୍‌ଏଫ୍‌ସି ଦିଗବିଜୟ ସିଂଙ୍କ କୋର୍ଟରେ ହାଜର କରିଥିଲା।

ସମ୍ବନ୍ଧିତ ଖବର