ଭାରତ ବିରୋଧରେ ତୁର୍କୀ ରାଷ୍ଟ୍ରପତିଙ୍କ ବିଷୋଦଗାର, କଶ୍ମୀର ପ୍ରସଙ୍ଗରେ ପାକିସ୍ତାନକୁ ସମର୍ଥନ

ନୂଆଦିଲ୍ଲୀ : ଭାରତର କଡ଼ା ବିରୋଧ ସତ୍ତ୍ୱେ ତୁର୍କୀ ନିଜର ଭାରତ ବିରୋଧୀ ଆଭିମୁଖ୍ୟ ବଜାୟ ରଖିଛି । ଆଜି ପାକିସ୍ତାନ ସଂସଦର ମିଳିତ ଅଧିବେଶନରେ ଭାଷଣ ଦେବାବେଳେ ଭାରତ ବିରୋଧରେ ବିଷୋଦଗାର କରିଛନ୍ତି ତୁର୍କୀ ରାଷ୍ଟ୍ରପତି ରିକାପ ଟୋୟିବ୍‌ ଏରଡୋଗାନ ।
ସେ କହିଛନ୍ତି ଯେ ତୁର୍କୀ କଶ୍ମୀର ପ୍ରସଙ୍ଗରେ ସବୁବେଳେ ପାକିସ୍ତାନକୁ ସମର୍ଥନ କରିବ । କାରଣ ଏହି ପ୍ରସଙ୍ଗ ଉଭୟ ପାକିସ୍ତାନ ଓ ତୁର୍କୀ ପାଇଁ ଚିନ୍ତାର ବିଷୟ ।

ସେ କହିଛନ୍ତି ଯେ କଶ୍ମୀର ଉପରେ ଭାରତର ଏକପାଖିଆ ନିଷ୍ପତ୍ତି ଦ୍ୱାରା କଶ୍ମୀରବାସୀଙ୍କ ସମସ୍ୟା ଆହୁରି ବଢିଯାଇଛି । ତେବେ  ଏହି ସମସ୍ୟାର ସମାଧାନ ଯୁଦ୍ଧ ବା ଦମନ ଦ୍ୱାରା ହୋଇପାରିବ ନାହିଁ, ନିରପେକ୍ଷ ଆଲୋଚନା ଦ୍ୱାରା ଏହା ହୋଇପାରିବ । ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି କଶ୍ମୀର ପ୍ରସଙ୍ଗକୁ ସେ ପ୍ରଥମ ବିଶ୍ୱଯୁଦ୍ଧ ବେଳେ ତୁର୍କୀ ଉପରେ ବିଦେଶୀ ଆକ୍ରମଣ ସହ ତୁଳନା କରିଛନ୍ତି ।

ଗତବର୍ଷ ଅନୁଷ୍ଠିତ ଜାତିସଂଘ ସାଧାରଣ ଅଧିବେଶନରେ ତୁର୍କୀ କଶ୍ମୀର ପ୍ରସଙ୍ଗରେ ଭାରତର ବିରୋଧ କରିଥିଲା । ସେହିପରି ଏଫଏଟିଏଫ ବୈଠକରେ ଏହି ଦେଶ ପାକିସ୍ତାନର ସମର୍ଥନ କରିଥିଲା ।

ତୁର୍କୀ ନିୟମିତ ଭାବରେ ଭାରତ ବିରୋଧରେ ଯାଉଥିବାରୁ ଭାରତ ସରକାର ‘ଯେସାକୁ ତେସା’ ନୀତି ଗ୍ରହଣ କରୁଛନ୍ତି । ସିରିଆ ଉପରେ ତୁର୍କୀର ଆକ୍ରମଣକୁ ଭାରତ ଖୋଲାଖୋଲି ବିରୋଧ କରିଥିଲା । ସେହିପରି ତୁର୍କୀର କମ୍ପାନି ଆନାଡୋଲ ସିପୟାର୍ଡକୁ ଭାରତୀୟ ନୌସେନା ପାଇଁ ଦିଆଯିବାକୁ ଥିବା କଣ୍ଟ୍ରାକ୍ଟରୁ ବାଦ ଦିଆଯାଇଛି ।

ସମ୍ବନ୍ଧିତ ଖବର