ଜଗତସିଂହପୁରର ପୌରାଧ୍ୟକ୍ଷ ପ୍ରାର୍ଥୀ ପାଇଁ ଏବେଠୁ କସରତ, ନୂଆ ଟିମ୍‌ ନେଇ ଲଢ଼ିବେ ବିଜେଡି, କଂଗ୍ରେସ ଓ ବିଜେପି

ଜଗତସିଂହପୁର ଟାଉନ୍: ପୌର ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇ ନଥିଲେ ହେଁ ରାଜନୀତି ସରଗରମ ହେଲାଣି। ସହରାଞ୍ଚଳ ନେତାମାନେ ହଠାତ୍ ତତ୍ପର ହୋଇ ଉଠିଛନ୍ତି। ପୁଣି ହାଟ ବଜାର, ଚା ଖଟିରେ ସିଧାସଳଖ ପୌରାଧ୍ୟକ୍ଷ ପାଇଁ ଭୋଟ୍‌କୁ ନେଇ ଚର୍ଚ୍ଚା ସରଗରମ ହେଉଛି। ରାଜନୈତିକ ସ୍ପର୍ଶକାତର ଜଗତସିଂହପୁର ପୂର୍ବଥର କଂଗ୍ରେସ ପୌରପରିଷଦ ଦଖଲରେ ଥିବା ବେଳେ ଏଥର କିଏ ପୌରାଞ୍ଚଳ ଦଖଲ କରିବ ଓ କାହାକୁ ପୌରାଧ୍ୟକ୍ଷ ଭାବେ ପ୍ରେଜେକ୍ଟ କରାଯିବ ସେନେଇ ଆରମ୍ଭ ହେଲାଣି ଅଙ୍କକଷା। ୩ଟି ଯାକ ପ୍ରମୁଖ ରାଜନୈତିକ ଦଳ ନୂଆ ଟିମ୍ ନେଇ ନିର୍ବାଚନ ମୈଦାନରେ ଖେଳ କରିବେ ବୋଲି ଆଭାସ ମିଳିଲାଣି। ଶାସକ ବିଜେଡିର କାର୍ଯ୍ୟକାରିଣୀ ବୈଠକ, କର୍ମୀ ସମ୍ମିଳନୀ, ତୁଙ୍ଗ ନେତାମାନଙ୍କ ବୈଠକ ହିଁ ପ୍ରମାଣ କରୁଛି ବିଜେଡି ଏହାକୁ କେତେ ଗୁରୁତ୍ବ ଦେଉଛି। ତେବେ ୨୦୧୩ ସ୍ଥିତି ଏଥର ନାହିଁ। ବିଜେଡି ହାତରୁ ପୌରାଞ୍ଚଳ ଯେପରି ଖସି ନଯାଏ ସେଦିଗରେ ବିଜେଡ଼ି ସମସ୍ତ ପ୍ରସ୍ତୁତି ଆରମ୍ଭ କରି ନୂଆଟିମ୍‌ କରିଛି। କଂଗ୍ରେସ ସାଙ୍ଗଠନିକ ସ୍ତରରେ ଅଦଳବଦଳ କରି ପୁନଗର୍ଠିତ ଟିମ୍ ନେଇ ନିର୍ବାଚନ ମୈଦାନକୁ ଓହ୍ଲାଇବ। ବିଜେପି ଅଧିକରୁ ଅଧିକ ଶିକ୍ଷିତ ଯୁବବର୍ଗକୁ ସାମିଲ କରି ପୌର ଦଖଲ ଟାର୍ଗେଟ୍‌ ରଖିଛି।

୨୦୧୩ରେ ମୋଟ ୨୧ଟି ୱାର୍ଡ଼ରୁ ୯ଟି ୱାର୍ଡ଼ରେ ବିଜେଡି ଅନ୍ତୁଷ୍ଟ ଥିଲା। ୧୨ଟି ୱାର୍ଡରେ ବିଜୟୀ ହୋଇ କଂଗ୍ରେସ ପୌରାଧ୍ୟକ୍ଷ ଆସନ ଅକ୍ତିଆର କରିଥିଲା ଓ ୧୫ ନମ୍ବର ୱାର୍ଡର ବିପ୍ଲବ ଚୌଧୁରୀ ପୌରାଧ୍ୟକ୍ଷ ହୋଇଥିଲେ। ୧୨ଟି ୱାର୍ଡରେ ପ୍ରାର୍ଥୀ ଦେବାକୁ ସମର୍ଥ ହୋଇନଥିବା ବିଜେପିର ସ୍ଥିତି ନୌରାଶ୍ୟଜନକ ଥିଲା। ଏପରିକି ଜଣେ ପ୍ରାର୍ଥୀଙ୍କୁ ସର୍ବାଧିକ ୩୫ ଖଣ୍ତ ଭୋଟ୍ ମିଳିଥିଲା। ୨୦୧୮ରୁ ପୌରପରିଷଦ ଭାଙ୍ଗିଯିବା ପରେ ପ୍ରଶାସନ ହାତରେ ରହିଛି ପୌରପରିଷଦ। ସ୍ଥାନୀୟ ବିଧାୟକ ବିଜେଡିର ଥିବାରୁ ପୌରାଞ୍ଚଳରେ ଅନେକ ଆଖିଦୃଶିଆ କାର୍ଯ୍ୟ ହାତକୁ ନିଆଯାଇ ଯୋଜନାବଦ୍ଧ କାମ ଆରମ୍ଭ ହୋଇଛି। ବିଜେଡି ତୁଳନାରେ କଂଗ୍ରେସ ଓ ବିଜେପି ନେତା ସେତେଟା ତତ୍ପର ନାହାନ୍ତି। ଅନ୍ୟପଟେ ବିଜେଡି ଦୁର୍ନୀତିରେ ବୁଡ଼ି ରହିଛି ବୋଲି ବିଜେପି ଓ କଂଗ୍ରେସ ଅଭିଯୋଗ ଆଣିଛନ୍ତି। ପୁଣି ଥରେ କଂଗ୍ରେସ ପୌର ଆସନ ଦଖଲ କରିବ ବୋଲି ସହରବାସୀଙ୍କ ମନରେ ବିଶ୍ବାସ ଓ ଭରସା ଜୁଟାଉଛି।

ସମ୍ବନ୍ଧିତ ଖବର