ନିଶ୍ଚିନ୍ତକୋଇଲି ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିରରେ ଅବ୍ୟବସ୍ଥା ଅଭିଯୋଗ

ନିଶ୍ଚିନ୍ତକୋଇଲି ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିରରେ ଅବ୍ୟବସ୍ଥା ଅଭିଯୋଗ

ନିଶ୍ଚିନ୍ତକୋଇଲି: ନିଶ୍ଚିନ୍ତକୋଇଲି ବ୍ଲକ୍‌ ପ୍ରଶାସନ ପକ୍ଷରୁ ସ୍ଥାନୀୟ ପଞ୍ଚାୟତ ପ୍ରହଲ୍ଲାଦ ମହାବିଦ୍ୟାଳୟ ପରିସରରେ ଆଜି ଅନୁଷ୍ଠିତ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିରରେ ବ୍ୟାପକ ଅବ୍ୟବସ୍ଥା ପରିଲକ୍ଷିତ ହୋଇଛି। ଶିବିରରେ ଯୋଗଦେଇଥିବା ଦିବ୍ୟାଙ୍ଗ ଓ ସେମାନଙ୍କ ସମ୍ପର୍କୀୟଙ୍କ ଆଶ୍ରୟ ବ୍ୟବସ୍ଥା ହୋଇ ନ ଥିବାରୁ ପ୍ରଚଣ୍ଡ ଖରା ସାଙ୍ଗକୁ ମୂଷଳ ଧାରା ବର୍ଷା ହେବାରୁ ସେମାନେ ହଟହଟା ହୋଇଥିଲେ। ଏଥିସହ ବହୁ ବିଳମ୍ବରେ ଡାକ୍ତରମାନ‌େ ଶିବିରକୁ ଆସିଥିଲା ବେଳେ ସ୍ନାୟୁରୋଗ ଓ ଥାଲାସେମିଆ ବିଭାଗର ଡାକ୍ତର ଅନୁପସ୍ଥିତ ରହିଥିଲେ। ଫଳରେ ବହୁ ଦିବ୍ୟାଙ୍ଗ ନିରାଶ ହୋଇ ଫେରିଥିବା ଅଭିଯୋଗ ହୋଇଛି। ଏ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। କଟକ ସଦର ନିର୍ବାଚନମଣ୍ଡଳୀର ୧୪ ଓ ମାହାଙ୍ଗା ନିର୍ବାଚନମଣ୍ଡଳୀର ୨୭ଟି ପଞ୍ଚାୟତ ଏହିପରି ମୋଟ ୪୧ଟି ପଞ୍ଚାୟତକୁ ନେଇ ଗଠିତ ନିଶ୍ଚିନ୍ତକୋଇଲି ବ୍ଲକ୍‌ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ନିମନ୍ତେ ସରକାର ଆବଶ୍ୟକ ଅର୍ଥ ବ୍ୟବସ୍ଥା କରିଛନ୍ତି। କିନ୍ତୁ ପ୍ରଶାସନର ଦୂରଦୃଷ୍ଟି ଅଭାବରୁ ଖରା ଓ ବର୍ଷାରୁ ରକ୍ଷା ପାଇବା ପାଇଁ ଶିବିରରେ ଟେଣ୍ଟ ବ୍ୟବସ୍ଥା କରାଯାଇ ନ ଥିଲା। ଫଳରେ ପ୍ରଚଣ୍ଡ ରୌଦ୍ରଚାପ ଓ ପରେ ପ୍ରବଳ ବର୍ଷା ଯୋଗୁଁ ହଜାର ହଜାର ଦିବ୍ୟାଙ୍ଗ ଓ ସେମାନଙ୍କ ସହଯୋଗୀ ହନ୍ତସନ୍ତ ହୋଇଥିଲେ। ସେହିପରି ଦିବ୍ୟାଙ୍ଗ ଓ ସେମାନଙ୍କ ଅଭିଭାବକଙ୍କ ପାଇଁ ବ୍ଲକ୍‌ ପ୍ରଶାସନ ପକ୍ଷରୁ ଠିକ୍‌ ଭାବେ ଖାଦ୍ୟ ଓ ପାନୀୟର ବ୍ୟବସ୍ଥା କରାଯାଇ ନ ଥିବା ଅଭିଯୋଗ ହୋଇଛି। ଅନ୍ୟପଟେ, ଶିବିରକୁ ଥାଲାସେମିଆ ଓ ସ୍ନାୟୁରୋଗ ବିଭାଗ ଡାକ୍ତର ଆସି ନ ଥିଲା ବେଳେ ଅନ୍ୟ ବିଭାଗର ଡାକ୍ତରମାନେ ବହୁ ବିଳମ୍ବରେ ପହଞ୍ଚି କିଛି ଘଣ୍ଟା ରହି ଫେରିଯାଇଥିବା ଜଣାପଡ଼ିଛି।

ଏଥିଯୋଗୁଁ ବାମପାର୍ଶ୍ବ ଅଙ୍ଗ କାମ କରୁ ନ ଥିବା ସ୍ନାୟୁ ରୋଗୀ କଟିକଟା ପଞ୍ଚାୟତ କଟିକଟା ଗ୍ରାମର ବାସୁଦେବ ପରିଡ଼ା (୫୬)ଙ୍କ ସମେତ ବହୁ ସ୍ନାୟୁରୋଗୀ ନିରାଶରେ ଫେରିଥିବା ଦେଖାଯାଇଥିଲା। ଶିବିରକୁ ବହୁ ସଂଖ୍ୟାରେ ରୋଗୀ ଆସିବାରୁ ଡାକ୍ତରମାନେ ଠିକ୍‌ ଭାବେ ସେମାନଙ୍କୁ ଦେଖିପାରି ନ ଥିବା ମଧ୍ୟ ସୂଚନା ମିଳିଛି। ଫଳରେ ବହୁ ଦିବ୍ୟାଙ୍ଗଙ୍କ ଚୟନ ଠିକ୍ ଭାବେ ହୋଇପାରି ନ ଥିବା ଶିବିରରେ ଅଭିଯୋଗ କରାଯାଉଥିବା ଦେଖାଯାଇଥିଲା। ଏହାଛଡ଼ା ପୂର୍ବରୁ ଶତପ୍ରତିଶତ ଓ ୫୦ ପ୍ରତିଶତରୁ ଅଧିକ ଭିନ୍ନକ୍ଷମ ପ୍ରମାଣପତ୍ର ପାଇଥିବା ଦିବ୍ୟାଙ୍ଗଙ୍କୁ ଶିବିରକୁ ଡକାଯାଇଥି‌ଲା। ସେମାନଙ୍କର କେବଳ କାଗଜପତ୍ର ତନଖି କରି ଚାଲିଯିବାକୁ କୁହାଯାଇଥିଲା। ଏଥିଯୋଗୁଁ ସେମାନେ ଅଯଥା ଖର୍ଚ୍ଚାନ୍ତ ହେବା ସହ ହଟହଟା ହୋଇଥିଲେ। କେବଳ ସେତିକି ନୁହେଁ, ଠିକ୍ ଭାବେ ସମସ୍ତ ପଞ୍ଚାୟତକୁ ସୂଚନା ଦିଆଯାଇ ନ ଥିବାରୁ ବହୁ ହିତାଧିକାରୀ ଶିବିର ସମ୍ପର୍କରେ ଅବଗତ ହୋଇପାରି ନ ଥିବା ଅଭିଯୋଗ ହୋଇଛି। ଆଜିର ଶିବିରରେ ଅସ୍ଥିଶଲ୍ୟ ବିଭାଗର ୫୪୭, ମାନସିକ ବିଭାଗର ୨୦୫, ଶ୍ରବଣ ବିଭାଗର ୧୨୫ ଓ ଚକ୍ଷୁ ବିଭାଗର ୧୩୮ ଏହିପରି ମୋଟ ୧ ହଜାର ୧୫ ଜଣ ଦିବ୍ୟାଙ୍ଗ ନାମ ପଞ୍ଜୀକରଣ କରିଥିଲେ। ସେମାନଙ୍କ ମଧ୍ୟରୁ ୯ଜଣଙ୍କୁ ବସ୍‌ ପାସ୍‌ ଓ ୭ଜଣଙ୍କୁ ଅନ୍‌ଲାଇନ୍‌ ମାଧ୍ୟମରେ ଦିବ୍ୟାଙ୍ଗ ପ୍ରମାଣପତ୍ର ପ୍ରଦାନ କରାଯିବ ବୋଲି ବିଡିଓ ଦିବ୍ୟଜ୍ୟୋତି ସ୍ମୃତିରଞ୍ଜନ ଦେଓ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର