ଜମି ମାଲିକାନା ରାଜସ୍ୱ ବିଭାଗକୁ ହସ୍ତାନ୍ତର ନେଇ ଆଞ୍ଚଳିକ ଭିଟାମାଟି ବଞ୍ଚାଅ ସଂଗ୍ରାମ ସମିତିର ବିକ୍ଷୋଭ

ଖୋର୍ଦ୍ଧା: ଶତାଧିକ ବର୍ଷ ଧରି ଶ୍ରୀଜଗନ୍ନାଥଙ୍କ ମାଲିକାନାରେ ଥିବା ଜମି ରାଜସ୍ୱ ବିଭାଗକୁ ହସ୍ତାନ୍ତର କରିବା ଦାବିରେ ଆଜି ଆଞ୍ଚଳିକ ଭିଟାମାଟି ବଞ୍ଚାଅ ସଂଗ୍ରାମ ସମିତି ନେତୃତ୍ୱରେ ନରଣଗଡ଼, ତାପଙ୍ଗ, ଧଉଳିମୁହଁ ପଞ୍ଚାୟତର ପ୍ରାୟ ୩୬ଟି ମୌଜାର ୧ହଜାରରୁ ଉର୍ଦ୍ଧ୍ବ ବାସିନ୍ଦା ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଆଜି ପୂର୍ବାହ୍ନରେ ନିଜିଗଡ଼ ତାପଙ୍ଗ, ଝିଙ୍କିଝାରୀ, ଦୁର୍ଗାପ୍ରସାଦ, ଜଗନ୍ନାଥପୁର, ନରଣଗଡ଼, ଭୋଗପୁର, ଭଗବାନପୁର, କୁରୁମପଡ଼ା, ହାଡ଼ପଦା, କଞ୍ଚିଲୋ, ମେଦିନୀ, ବଳପୁର, ଧବଳପୁର ଆଦି ଗାଁର ୧ ହଜାରରୁ ଉର୍ଦ୍ଧ୍ବ ପୁରୁଷ ମହିଳା ହାତରେ ପ୍ଲାକାର୍ଡ, ବ୍ୟାନେର ଆଦି ଧରି ରାଲିରେ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ। କାର୍ଯ୍ୟାଳୟର ମୁଖ୍ୟ ଫାଟକ ସମ୍ମୁଖ ରାସ୍ତାରେ ୨ଘଣ୍ଟା ଧରି ଧାରଣା ଦେଇଥିଲେ। ଏହାପରେ ଅତିରିକ୍ତ ଜିଲ୍ଲାପାଳ ସାଫଲ୍ୟ ମଣ୍ଡିତ ପ୍ରଧାନ ଅନ୍ୟ ପୁଲିସ ଅଧିକାରୀଙ୍କ ସହ ବିକ୍ଷୋଭସ୍ଥଳରେ ପହଞ୍ଚି ସେମାନଙ୍କ ଠାରୁ ଦାବିପତ୍ର ଗ୍ରହଣ କରିବା ସହ ଏନେଇ ରାଜ୍ୟ ସରକାରଙ୍କୁ ଜଣାଇ ଆବଶ୍ୟକ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଥିଲେ।

ସୂଚନାଯୋଗ୍ୟ ଯେ, ଗତମାସ ୨୭ ତାରିଖରେ ସଂଗ୍ରାମ ସମିତି ପକ୍ଷରୁ ଖୋର୍ଦ୍ଧାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ସେଥିରେ ସମିତିର ସଭାପତି ଗୋଦାବରୀଶ ଗୁମାନସିଂହ ଓ ଯୁଧିଷ୍ଠିର ହରିଚନ୍ଦନ କହିଥିଲେ ଯେ ଜମିଦାରୀ ପ୍ରଥା ଉଚ୍ଛେଦ ପରେ ୧୫୬ଟି ଗ୍ରାମ ମଧ୍ୟରୁ ୧୨୦ଟି ଗାଁର ସ୍ଥତିବାନ ପ୍ରଜାଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଚୂଡ଼ାନ୍ତ ସତ୍ୱଲିପି ପ୍ରଦାନ କରାଯାଇଛି। ଅବଶିଷ୍ଟ ୩୬ଟି ମୌାଜାର ପ୍ରାୟ ୫ହଜାର ଲୋକଙ୍କ ସତ୍ୱଲିପି ଶ୍ରୀଜଗନ୍ନାଥଙ୍କ ମାଲିକାନାରେ ରହିଛି। ଶ୍ରୀଜଗନ୍ନାଥ ମନ୍ଦିର ଅଧିନିୟମ ୧୯୫୪ର ଧାରା ୫ ଅନୁସାରେ ଏହି ମାହାଲର ଜମିଦାରୀ ସତ୍ୱ ଶ୍ରୀମନ୍ଦିର ପରିଚାଳନା କମିଟି ହାତରେ ନ୍ୟସ୍ତ ହୋଇଥିଲା, କିନ୍ତୁ ସ୍ଥିତିବାନ ପ୍ରଜାଙ୍କ ପ୍ରଜାସତ୍ୱ ନ୍ୟସ୍ତ ହୋଇନାହିଁ। ଏଣୁ ରାଜ୍ୟ ସରକାର ଏଦିଗରେ ପଦକ୍ଷେପ ନେଇ ତୁରନ୍ତ ପଦକ୍ଷେପ ନେବାକୁ ଦାବି କରିଥିଲେ। ନଚେତ୍ ଆଗାମୀ ଦିନରେ ଆନ୍ଦୋଳନକୁ ତୀବ୍ର କରିବେ ବୋଲି ଚେତାବନୀ ଦେଇଥିଲେ।

ସମ୍ବନ୍ଧିତ ଖବର