୧୫ ଦଫା ଦାବି ଓ ଉପଜିଲ୍ଲାପାଳଙ୍କ ଦୁର୍ବ୍ୟବହାର ପ୍ରତିବାଦରେ ମହିଳା ଅଙ୍ଗନବାଡ଼ି କର୍ମୀଙ୍କ ଧାରଣା

ଖୋର୍ଦ୍ଧା: ୧୫ ଦଫା ଦାବି ଓ ଖୋର୍ଦ୍ଧା ଉପଜିଲ୍ଲାପାଳଙ୍କ ଦୁର୍ବ୍ୟବହାର ପ୍ରତିବଦରେ ଆଜି ଭାରତୀୟ ମଜଦୁର ସଂଘ ଅନୁବନ୍ଧିତ ଅଲ୍ ଓଡ଼ିଶା ଅଙ୍ଗନବାଡ଼ି ଲେଡିଜ୍ ୱାର୍କର୍ସ ଆସୋସିଏସନ୍ ପକ୍ଷରୁ ଆାଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ବିଶାଳ ରାଲି ଓ ଧାରଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆଜି ପୂର୍ବାହ୍ନ ପ୍ରାୟ ସାଢ଼େ ୧୦ଟା ବେଳେ ଜିଲ୍ଲାର ୧ହଜାରରୁ ଉର୍ଦ୍ଧ୍ବ ଅଙ୍ଗନବାଡ଼ିକର୍ମୀ ଓ ସହାୟିକା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକତ୍ରିତ ହୋଇଥିଲେ। ଦୀର୍ଘ ୩ ଘଣ୍ଟା କାଳ ଧୁଧୁ ଖରାରେ ରାସ୍ତା ଉପରେ ଧାରଣା ଦେଇଥିଲେ। ଏହାପରେ ଏକ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଦାବିପତ୍ର ଦେଇଥିଲେ। ପରେ ଏକ ରାଲିରେ ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ। ସେଠାରେ ମଧ୍ୟ ଦୀର୍ଘ ୧ ଘଣ୍ଟା ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ଦାବି ସମ୍ପର୍କରେ ସୂଚନା ଦେଇ ଜିଲ୍ଲା ସଭାନେତ୍ରୀ ପ୍ରଭାତୀ ମଙ୍ଗରାଜ କହିଛନ୍ତି ଯେ ଅଙ୍ଗନବାଡ଼ି ସ୍କିମ୍ ପ୍ରଥାକୁ ବନ୍ଦ କରି ସରକାରୀ କର୍ମଚାରୀ ମାନ୍ୟତା ପ୍ରଦାନ, ସରକାରୀ ମାନ୍ୟତା ନମିଳିବା ଯାଏଁ କର୍ମୀଙ୍କୁ ୨୧ହଜାର ଓ ସହାୟିକାଙ୍କୁ ୧୫ହଜାର ଟଙ୍କା ମାସିକ ଦରମା, ରାଷ୍ଟ୍ରୀୟ ନୀତି ୨୦୨୦ ଅନୁସାରେ ଅଙ୍ଗନବାଡ଼ି କେନ୍ଦ୍ରକୁ ପ୍ରାଥମିକ ବିଦ୍ୟାଳୟ ମାନ୍ୟତା, କର୍ମକ୍ଷେତ୍ରରେ ମୃତ୍ୟୁବରଣ କରିଥିବା କର୍ମୀଙ୍କୁ ଆର୍ଥିକ ସହାୟତା, କରୋନାରେ ମୃତ୍ୟୁବରଣ କରିଥିବା କର୍ମୀଙ୍କ ପରିବାରର ଜଣଙ୍କୁ ନିଯୁକ୍ତି, ରବିବାର ଓ ଛୁଟି ଦିନରେ କାର୍ଯ୍ୟବନ୍ଦ, ଉନ୍ନତମାନର ମୋବାଇଲ୍ ଓ ଟ୍ୟାବ୍ ପ୍ରଦାନ ଆଦି ୧୫ ଦଫା ଦାବି ରହିଛି।

Sambad

ଅପରପକ୍ଷରେ ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ପ୍ରସଙ୍ଗରେ ସଂପାଦିକା ବନିତାରାଣୀ ଦାସ କହିଛନ୍ତି ଯେ ଉପଜିଲ୍ଲାପାଳ ଖୋର୍ଦ୍ଧା ପ୍ରକଳ୍ପର ସିଡିପିଓଙ୍କ ଅନିୟମିତତା ଓ ଦୋଷତ୍ରୁଟିକୁ ଘଣ୍ଟ ଘୋଡ଼ାଉଛନ୍ତି। ଅଙ୍ଗନବାଡ଼ିକର୍ମୀ ଏନେଇ ଅଭିଯୋଗ କଲେ ଅଙ୍ଗନବାଡ଼ିକର୍ମୀଙ୍କୁ ଦୁର୍ବ୍ୟବହାର କରିବା ସହ ସେମାନଙ୍କ ବିରୋଧରେ ଓଲଟି ବିଭାଗୀୟ ପଦକ୍ଷେପ ନେଉଛନ୍ତି। ଆଜିର ଏହି ବିକ୍ଷୋଭ ଓ ଧାରଣା କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଜେପିର ପାଟିଲ ରେଲୱେ ମଜଦୁର ୱାର୍କର୍ସ ଆସୋସିଏସନର ଉପଦେଷ୍ଟା ଶ୍ରୀରଂଜନ ମଙ୍ଗରାଜ, ଭାରତୀୟ ମଜଦୁର ସଂଘର ବିଜୟ ପାତ୍ର, ପାର୍ଥସାରଥୀ ମହାନ୍ତି, ଅଙ୍ଗନବାଡି କର୍ମୀ ସଂଗଠନର କୋଷାଧ୍ୟକ୍ଷା କୁଂଜଲତା ଦାସ, ଉପଦେଷ୍ଟା ଗଙ୍ଗାଧର ଦାସ, ମନ୍ଦାକିନୀ ପ୍ରଧାନ, ନମିତା ପ୍ରଧାନ, ସରସ୍ୱତୀ ବଳିଆରସିଂହ, ଶିବାନୀ ବିଷୋୟୀ, ଡଲି ରାଉତରାୟ, ସଂଧ୍ୟାରାଣୀ ଭୂୟାଁ ପ୍ରମୁଖ ନେତୃତ୍ୱ ନେବା ସହ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର