ହୋଟେଲରେ ଜୁଆ ଆଡ଼ା: ୫ ଗିରଫ

ଲକ୍ଷାଧିକ ଟଙ୍କା ସହ ୪ ବାଇକ୍‌, ୯ ମୋବାଇଲ ଜବତ

ପୁରୀ : ସମୁଦ୍ରକୂଳ ଥାନା ଇଲାକାରେ ଥିବା ଏକ ହୋଟେଲରେ ଜୁଆ ଖେଳ ହେଉଥିବା ବେଳେ ପୁଲିସ ସେଠାରେ ଚଢ଼ଉ କରି ୫ ଜଣଙ୍କୁ ଗିରଫ କରିଛି। ଏହି ଜୁଆଡ଼ିମାନଙ୍କ ଠାରୁ ଏକ ଲକ୍ଷ ଆଠ ହଜାର ଏକ ଶହ ଟଙ୍କା ଜବତ କରାଯାଇଛି। ଏହା ସହିତ ସେମାନଙ୍କ ନିକଟରୁ ଚାରୋଟି ବାଇକ, ୯ଟି ମୋବାଇଲ ଏବଂ ୧୨ ମୁଠା ତାସ ପ୍ୟାକେଟ ଜବତ କରାଯାଇଛି।

ଖବର ନେବାରେ ଜଣାପଡ଼ିଛି ଯେ ବାଙ୍କିମୁହାଣ ନିକଟରେ ଥିବା ଡି୨ ହୋଟେଲର ୧୦୩ ନମ୍ବର ରୁମରେ ଜୁଆ ଖେଳ ହେଉଥିବା ଖବର ମିଳିଥିଲା। ସିଟି ଡିଏସପି ପ୍ରଭାତ ଚନ୍ଦ୍ର ରାଉତରାୟ, କୁମ୍ଭାରପଡ଼ା ଥାନା ଆଇଆଇସି ମୃତ୍ୟୁଞ୍ଜୟ ସ୍ୱାଇଁ, ଟାଉନ ଥାନା ଆଇଆଇସି ଉମାଶଙ୍କର ସିଂହ ଏବଂ ସମୁଦ୍ରକୂଳ ଥାନା ଆଇଆଇସି ବିଶ୍ୱରଞ୍ଜନ ସେନାପତି ପ୍ରମୁଖ ସଦଳବଳ ସେଠାରେ ଚଢ଼ଉ କରିଥିଲେ। ଚଢ଼ଉ ସମୟରେ ପୁଲିସ ଟାଉନ ଥାନା ଅନ୍ତର୍ଗତ ହରଚଣ୍ଡୀ ସାହି ହଜୁରୀ ଲେନ୍‌ ନିବାସୀ ଲକ୍ଷ୍ମୀଧର ଓରଫ ଲକ୍ଷ୍ମୀନାରାୟଣ ବିଶ୍ୱାଳ(୩୮), ମାର୍କେଟ ଛକ ବଳଭଦ୍ର ଲେନ୍‌ ନିବାସୀ ମନୁ ଓରଫ ମନୋରଞ୍ଜନ ସାହୁ(୩୮), ତାଳବଣିଆ ଥାନା ଅନ୍ତର୍ଗତ ବାଲିଘାଟ ଆଦର୍ଶ ନଗର ନିବାସୀ ପିଣ୍ଟୁ ଓରଫ ବିଶ୍ୱଜିତ ମହାନ୍ତି(୩୨), ବାଲିଘାଟ ଛକ ନିବାସୀ ରଞ୍ଜନ ରାଉଳ(୨୯) ଓ ବାସେଳି ସାହି ଥାନା ଅନ୍ତର୍ଗତ ଲୋକନାଥ ଘାଟ ଛପନ ଛକ ନିବାସୀ ଗୁମି ଓରଫ ଗୋବିନ୍ଦ ଚନ୍ଦ୍ର ବରାଳ(୩୮)ଙ୍କୁ ଧରିବାରେ ସକ୍ଷମ ହୋଇଛି।

ସେମାନଙ୍କ ନିକଟରୁ ଟଙ୍କା, ଗାଡ଼ି, ମୋବାଇଲ ଆଦି ଜବତ କରାଯାଇଛି। ଆସନ୍ତା କାଲି ଗିରଫ ଜୁଆଡ଼ିଙ୍କୁ କୋର୍ଟଚାଲାଣ କରାଯିବ ବୋଲି ସମୁଦ୍ରକୂଳ ଥାନା ଆଇଆଇସି ଶ୍ରୀ ସେନାପତି କହିଛନ୍ତି।

ସମ୍ବନ୍ଧିତ ଖବର