ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କଲେ ନିରଞ୍ଜନ : ‘ଜଗନ୍ନାଥ ଚାହିଁଲେ ସବୁ କିଛି ସମ୍ଭବ ହେବ’

ପୁରୀ : ନବନିଯୁକ୍ତ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ତାଙ୍କ ଟିମ୍‌ ଆଜି ସକାଳେ ଶ୍ରୀମନ୍ଦିରରେ ପହଞ୍ଚି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ଶ୍ରୀ ପଟ୍ଟନାୟକଙ୍କ ସହିତ ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂହ, କାର୍ଯ୍ୟକାରୀ ସଭାପତି ନବ ଦାସ, ଚିରଞ୍ଜିବୀ ବିଶ୍ୱାଳ, ପ୍ରଦୀପ ମାଝି ପ୍ରମୁଖ ଶ୍ରୀଜିଉଙ୍କ ଦର୍ଶନ କରିଥିଲେ। ମହାପ୍ରଭୁଙ୍କ ଦର୍ଶନ ସାରି ଫେରିବା ପରେ ପିିସିିସି ସଭାପତି ଶ୍ରୀ ପଟ୍ଟନାୟକ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତର ଦେଇ କହିଥିଲେ, ମହାପ୍ରଭୁ ଜଗନ୍ନାଥ ଚାହିଁଲେ ଅସମ୍ଭବ ବି ସମ୍ଭବ ହୋଇପାରିବ। ଗତ ୧୮ ବର୍ଷ ଧରି ଓଡ଼ିଶାରେ ଯେଉଁ ଶାସନ ଚାଲିଛି ସେଥିରେ ଓଡ଼ିଶାବାସୀ ନିରାଶ ହୋଇଛନ୍ତି। ବିଶେଷ କରି ଯୁବବର୍ଗ, ଚାଷୀ, ଦଳିତଙ୍କୁ ଏ ସରକାର ନିରାଶ କରିଛି। ରାଜ୍ୟ ଶାସନର ଅପାରଗତା ଯୋଗୁ ରତ୍ନଗର୍ଭା ଓଡ଼ିଶା ଏବେ ବି ଗରିବ ହୋଇରହିଛି। ଶ୍ରୀମନ୍ଦିର ନୀତି ବିଭ୍ରାଟ ପ୍ରସଙ୍ଗରେ ମଧ୍ୟ ଶ୍ରୀ ପଟ୍ଟନାୟକ ତାଙ୍କ ମତ ରଖିଥିଲେ। କହିଥିଲେ, ସମନ୍ଵୟ ଓ ସରକାରଙ୍କର ଆନ୍ତରିକତା ଅଭାବ ଯୋଗୁ ଏଭଳି ଅଭାବନୀୟ ପରିସ୍ଥିତି ଉପୁଜିଥିଲା। ସେହିପରି ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂହ ମଧ୍ୟ କଥାଛଳରେ ଓଡ଼ିଶା ପ୍ରତିଟି କ୍ଷେତ୍ରରେ ନିରାଶ ହୋଇଛି ବୋଲି କହିଥିଲେ। ରାହୁଲ ଗାନ୍ଧୀ ଓଡ଼ିଶା କଂଗ୍ରେସକୁ ଏକ ଗୁରୁଦାୟିତ୍ଵ ଦେଇଛନ୍ତି। ଓଡ଼ିଶା କଂଗ୍ରେସକୁ ମଜବୁତ କରିବା ଲାଗି ତୃଣମୂଳସ୍ତରରୁ ପ୍ରୟାସ କରାଯିବ। ପିସିିସି କାର୍ଯ୍ୟକାରୀ ସଭାପତି ନବ ଦାସ ମଧ୍ୟ କଂଗ୍ରେସର ଉତ୍‌ଥାନକୁ ନେଇ ଆଶା ପ୍ରକଟ କରିଥିଲେ। ୧୯୭୭ ସ୍ଥିତି କଥା ମନେ ପକାଇ ଶ୍ରୀ ଦାସ କହିଥିଲେ ସେବର ସ୍ଥିତିଠାରୁ ବର୍ତ୍ତମାନ ରାଜ୍ୟ କଂଗ୍ରେସ ଭଲ ସ୍ଥିତିରେ ଅଛି। ଦଳ ଆସନ୍ତା ନିର୍ବାଚନରେ ସରକାର ଗଠନ କରିବ ବୋଲି ସେ ଆଶାପୋଷଣ କରିଥିଲେ। ଏହି ଅବସରରେ ପୁରୀ କଂଗ୍ରେସ କମିଟି ପକ୍ଷରୁ କଂଗ୍ରେସ ନେତା ଉମାବଲ୍ଲଭ ରଥ, ନଗର କଂଗ୍ରେସ ସଭାପତି ବିନାୟକ ଦାସ ମହାପାତ୍ର ଓ ବହୁ କଂଗ୍ରେସ କର୍ମୀ ଉପସ୍ଥିତି ରହି ପିସିସି ସଭାପତି ଶ୍ରୀ ପଟ୍ଟନାୟକଙ୍କ ସମେତ ନବନିଯୁକ୍ତ କାର୍ଯ୍ୟକାରୀ ସଭାପତି ଏବଂ ପ୍ରଭାରୀଙ୍କୁ ସିଂହଦ୍ଵାର ନିକଟରେ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ।

ସମ୍ବନ୍ଧିତ ଖବର