୬ ମାସ ପରେ ଖୋଲାଗଲା ମା ମଝିଘରିଆଣୀ ମନ୍ଦିର ଦାନହୁଣ୍ଡି: ଗଣତି ଜାରି

ରାୟଗଡ଼ା: ରାୟଗଡ଼ାର ଅଧିଷ୍ଠାତ୍ରୀ ମା ମଝିଘରିଆଣୀ ମନ୍ଦିର ଦାନ ହୁଣ୍ଡି ୬ମାସ ପରେ ଆଜି ଖୋଲା ଯାଉଛି। ସ୍ଥାନୀୟ ତହସିଲଦାରଙ୍କ ତତ୍ତ୍ବାବଧାନରେ ପୁଲିସର କଡ଼ା ସୁରକ୍ଷା ବଳୟ ମଧ୍ୟରେ ମନ୍ଦିର ପରିଚାଳନା କମିଟିର କର୍ମକର୍ତ୍ତାଙ୍କ ଉପସ୍ଥିତିରେ ୯ଟି ଦାନ ହୁଣ୍ଡି ଆଜି ସକାଳ ୯ ଘଣ୍ଟିକା ସମୟରୁ ଖୋଲାଯାଇ ଗଣତି ଚାଲିଛି। ହୁଣ୍ଡିରୁ ଦାନ ଅର୍ଥ ଗଣତି କାର୍ଯ୍ୟରେ ବିଭିନ୍ନ ସଂଗଠନର ମହିଳା ଓ ପୁରୁଷ ସେଚ୍ଛାସେବୀ ସଦସ୍ୟ ଓ କିଛି ଛାତ୍ରଛାତ୍ରୀଙ୍କୁ ନିୟୋଜିତ କରାଯାଇଛି। ପ୍ରାୟ ୨୦୦ରୁ ଉର୍ଦ୍ଧ୍ବ କର୍ମକର୍ତ୍ତା ଗଣତି ପ୍ରକ୍ରିୟାରେ ନିୟୋଜିତ ହୋଇଛନ୍ତି। ଗଣତି କାର୍ଯ୍ୟରେ ନିୟୋଜିତ ହୋଇ ନିଜକୁ ଭାଗ୍ୟବାନ ମନେ କରିଛନ୍ତି ଗଣତିରେ ନିୟୋଜିତ ଏସ.ଏଚ୍.ଜି ମହିଳା ସଦସ୍ୟାମାନେ।

ଗତ ୬ ମାସ ତଳେ ଅର୍ଥାତ ସେପ୍ଟେମ୍ବର ମାସ ୨୦୨୩ରେ ହୁଣ୍ଡିରୁ ୬୮ ଲକ୍ଷ ୭୪ ହଜାର ୧୪୦ ନଗଦ ଟଙ୍କା ସହିତ ୫୩ ଗ୍ରାମ ସୁନା, ୧ କେଜି ୭୯୭ ଗ୍ରାମ ରୁପା ସହିତ ବିଦେଶୀ ମୁଦ୍ରା ୧୬ଟି ଯେଉଁଥିରେ ରହିଛି ୟୁନାଇଟେଡ଼ ଷ୍ଟେଟ ଅଫ ଆମେରିକା ୧ ଡୋଲ୍ଳାରର ୨ଟି ନୋଟ, ୫ ଡୋଲ୍ଳାର ୩ଟି,୧୦ ଡୋଲ୍ଳାର ୨ଟି,୨୦ ଡୋଲ୍ଳାର ୧ଟି ରହିଥିବା ବେଳେ କାନାଡ଼ା ୧୦ ଡୋଲ୍ଳାର ୧ଟି, କୁଏତ ୧ ରିଏଲ ୨ଟା, ୟୁନାଇଟେଡ଼ ଆରବ ୫ ଟି ନୋଟ ସହ ପୁରୁଣା ୫୦୦ ଟଙ୍କିଆ ୪ଟି ନୋଟ ମିଳିଥିଲା । ଚଳିତ ଥର ୮୦ ରୁ ୯୦ ଲକ୍ଷ ଟଙ୍କା ମିଳିବ ବୋଲି ଆଶା ରଖିଛି ମନ୍ଦିର କମିଟି।

ସମ୍ବନ୍ଧିତ ଖବର