ଅଙ୍ଗନୱାଡି କେନ୍ଦ୍ରରେ ନାବାଳିକାକୁ ଦୁଷ୍କର୍ମ:ଗୁରୁତର ଅବସ୍ଥାରେ ବିଷମକଟକ ହସ୍ପିଟାଲରେ ଭର୍ତ୍ତି

ବିଷମକଟକ: କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଅନ୍ତର୍ଗତ ବନ୍ଧଗାଁରେ ଚାଞ୍ଚଲ୍ୟ। ଜଣେ ନାବାଳିକାକୁ ସ୍ଥାନୀୟ ଅଙ୍ଗନବାଡି କେନ୍ଦ୍ରରେ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ଆଜି ଗୁରୁତର ଅବସ୍ଥାରେ ନାବାଳିକାକୁ ବିଷମକଟକ ସ୍ଥିତ ଖ୍ରୀଷ୍ଟିଆନ ମେଡିକାଲରେ ଭର୍ତି କରାଯାଇଛି। ଅଭିଯୋଗ ଅନୁଯାୟୀ, ବନ୍ଧଗାଁ ସ୍କୁଲରେ ପଂଚମ ଶ୍ରେଣୀରେ ପାଠ ପଢୁଥିବା ନାବାଳିକା ଗତକାଲି ଅପରାହ୍ନ ପ୍ରାୟ ୨ଟାରେ ଘର ଠାରୁ ପ୍ରାୟ ଶହ ମିଟର ଦୂରେ ଥିବା ଅଙ୍ଗନୱାଡି କେନ୍ଦ୍ରର ନଳକୂପକୁ ଗାଧୋଇବାକୁ ଯାଇଥିଲା। ଅଙ୍ଗନୱାଡି କେନ୍ଦ୍ରରେ ରହୁଥିବା ଜଣେ ଯୁବକ ନାବାଳିକାକୁ ଭିତରକୁ ଡାକିଥିଲା। ନାବାଳିକା ମନା କରିବାରୁ ଜୋରଜବରଦସ୍ତ କେନ୍ଦ୍ର ନିକଟକୁ ଟେକି ନେଇ ଦୁଷ୍କର୍ମ କରିଥିଲା।

ଦୁଷ୍କର୍ମ ପରେ ନାବାଳିକା ଘରକୁ ଫେରିଥିବା ବେଳେ ପ୍ରବଳ ରକ୍ତସ୍ରାବ ହୋଇଥିଲା। ପରିବାର ଲୋକ ଦେଖିବା ପରେ ପ୍ରଥମେ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ପ୍ରାଥମିକ ଚିକିତ୍ସା ପରେ ସେଠାରେ ଡାକ୍ତର ତାଙ୍କୁ ବୁର୍ଲା ନେବାକୁ ପରାମର୍ଶ ଦେଇଥିଲେ। କିନ୍ତୁ ପୀଡିତାଙ୍କ ବାପା ଜଣେ ଦିନ ମଜୁରିଆ ହୋଇଥିବାରୁ ସେ ଝିଅକୁ ବୁର୍ଲା ନେବା ନିମନ୍ତେ ସକ୍ଷମ ହୋଇନଥିଲେ। ତେଣୁ ପୀଡିତାକୁ ପରବର୍ତୀ ସମୟରେ ରାୟଗଡ଼ା ଜିଲ୍ଲା ବିଷମକଟକ ସ୍ଥିତ ଖ୍ରୀଷ୍ଟିଆନ ମେଡିକାଲକୁ ଆଣି ଭର୍ତି କରାଯାଇଛି। ଘଟଣା ସଂକ୍ରାନ୍ତରେ ମେଡିକାଲ ପକ୍ଷରୁ ବିଷମକଟକ ଥାନାକୁ ଅବଗତ କରାଯାଇଛି। ପୁଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ ହୋଇଛି। ଅପରପକ୍ଷରେ ଅଭିଯୁକ୍ତ କୁହାଯାଉଥିବା ହୃଦା ନାଗ ଫେରାର ରହିଛି। ଏନେଇ କଳାହାଣ୍ଡି ଜିଲ୍ଲା ଗୁଲମୁଣ୍ଡା ଥାନାରେ ଏତଲା ଦିଆଯାଇଥିବାରୁ ପୁଲିସ ତଦନ୍ତ ଆରମ୍ଭ କରି ଅଭିଯୁକ୍ତକୁ ଖୋଜୁଛି।

ସମ୍ବନ୍ଧିତ ଖବର