ଏସିଆନ୍ ଓପନ୍ କରାଟେ ଚାମ୍ପିୟନସିପ୍‌, ଭାରତ ପାଇଁ ବ୍ରୋଞ୍ଜ ଜିତିଲେ ଦିବ୍ୟାଙ୍ଗ ରମେଶ

ସ୍ବାଗତ କରିବାକୁ ଭୁଲିଗଲା ପ୍ରଶାସନ, କ୍ରୀଡ଼ା ସଂସଦ ପାଖରେ ନାହିଁ ସୂଚନା

ରାୟଗଡ଼ା : ଏସିଆନ୍ ଓପନ୍ କରାଟେ ଚାମ୍ପିଅନସିପରେ ଭାରତ ପାଇଁ ବ୍ରୋଞ୍ଜ ପଦକ ଜିଣି ଗୌରବ ଆଣିଛନ୍ତି ରାୟଗଡ଼ାର ଦିବ୍ୟାଙ୍ଗ କ୍ରୀଡ଼ାବିତ୍ ଏଲ୍. ରମେଶ କୁମାର। ବିଶାଖାପାଟଣାର ସ୍ବର୍ଣ୍ଣଭାରତୀ ଇନଡୋର୍ ଷ୍ଟାଡ଼ିୟମରେ ଅନୁଷ୍ଠିତ ପ୍ରତିଯୋଗିତାରେ ଏହି କୃତିତ୍ବ ଅର୍ଜନ କରିଛନ୍ତି ରମେଶ। ଫେବ୍ରୁଆରୀ ୧୦ରୁ ୧୩ ତାରିଖ ପର୍ଯ୍ୟନ୍ତ ଚାଲିଥିବା ପ୍ରଥମ ଏସିଆନ୍ ଓପ‌ନ କରାଟେ ଚମ୍ପିୟନସିପରେ ଏସିଆ ମହାଦେଶର ଶ୍ରୀଲଙ୍କା, ମାଲେସିଆ, ଆଫଗାନିସ୍ଥାନ, ନେପାଳ, ଭାରତ ଭଳି ୬ଟି ଦେଶ ଅଂଶଗ୍ରହଣ କରିଥିଲେ। ଏଥିରେ ଭାରତ ପକ୍ଷରୁ ରାୟଗଡ଼ାର ଏଲ୍. ରମେଶ କୁମାର ପ୍ରତିଯୋଗୀ ଭାବେ ଅଂଶଗ୍ରହଣ କରି ୧୮ ବର୍ଷରୁ ଉର୍ଧ୍ବ ବ୍ଲାକ୍ ବେଲଟ୍ ଗ୍ରୁପରେ ନିଜ ପ୍ରତିଦ୍ୱନ୍ଦୀ ବାଙ୍ଗଲାଦେଶର ପ୍ରତିଯୋଗୀଙ୍କୁ ୩ ରାଉଣ୍ଡ ଖେଳ ମଧ୍ୟରେ ୬ ପଏଣ୍ଟ୍ ହାସଲ କରି ନିଜ ପ୍ରତିଦ୍ୱନ୍ଦୀକୁ ପରାସ୍ତ କରି ବ୍ରୋଞ୍ଜ ପଦକ ଜିତିଥିଲେ। ରମେଶ ଦିବ୍ୟାଙ୍ଗ ହୋଇଥିଲେ ମଧ୍ୟ ମନୋବଳକୁ ଦୃଢ଼ କରି ଦେଶ ପାଇଁ ପଦକ ଜିତିଥିବାରୁ ନିଜକୁ ଗୌରବ ମନେ କରିଛନ୍ତି। ରାୟଗଡ଼ା ଭଳି ଉପାନ୍ତ ଜିଲ୍ଲାରୁ ଏସିଆନ୍ କରାଟେ ଚାମ୍ପିଅନସିପରେ ଭାରତ ପାଇଁ ରମେଶ ପ୍ରତିନିଧିତ୍ବ କରି ପଦକ ଜିତିଥିଲେ ମଧ୍ୟ ପ୍ରତିଯୋଗିତାରୁ ଫେରିବା ପରେ ରମେଶଙ୍କୁ ନିଜ ଭିଟାମାଟିରେ ଜିଲ୍ଲା ପ୍ରଶାସନ ସ୍ବାଗତ ସମ୍ବର୍ଧନା ଦେବାକୁ ଭୁଲିଯାଇଛି। ଏପରିକି ପ୍ରଶାସନ ପକ୍ଷରୁ କେହି ବି ରମେଶଙ୍କୁ ସ୍ବାଗତ କରିବାକୁ ଆଜି ରାୟଗଡ଼ା ରେଳ ଷ୍ଟେସନରେ ଉପସ୍ଥିତ ନଥିଲେ। ସବୁଠୁ ଆଶ୍ଚର୍ଯ୍ୟର କଥା ହେଲା କ୍ରୀଡ଼ାବିତଙ୍କ ବିକାଶ ଦିଗରେ କାର୍ଯ୍ୟ କରିବାକୁ ଗଠନ ହୋଇଥିବା ଜିଲ୍ଲା କ୍ରୀଡ଼ା ସଂସଦ ପାଖରେ ଏ ନେଇ ସୂଚନା ନାହିଁ। ଯାହା ଦିବ୍ୟାଙ୍ଗ କ୍ରୀଡ଼ାବିତ୍ ରମେଶଙ୍କୁ ଆଘାତ ଦେଇଛି। କିଛି ସ୍ବେଚ୍ଛାସେବୀ ଓ ଗଣମାଧ୍ୟମ ପ୍ରତିନିଧି ଷ୍ଟେସନରେ ପହଞ୍ଚିବା ପରେ ଭାରତୀୟ ଜାତୀୟ ପତାକା ସହ ଜିତିଥିବା ବ୍ରୋଞ୍ଜ ପଦକକୁ ରମେଶ ପ୍ରଦର୍ଶିତ କରି କାନ୍ଦି ପକାଇଥିଲେ। ଆଗାମୀ ଦିନରେ ଅନୁଷ୍ଠିତ ହେବାକୁ ଯାଉଥିବା ଅନ୍ତଜାର୍ତୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଦେଶ ପାଇଁ ଗୌରବ ଆଣିବେ ବୋଲି ରମେଶ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର