ଅନ୍ତର୍ଜାତୀୟ ଜ୍ୟୋର୍ତିବିଜ୍ଞାନ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ଜିତିଲେ ରାୟଗଡ଼ାର ତେଜସ୍ବୀ

ରାୟଗଡ଼ା : ଅନ୍ତର୍ଜାତୀୟ ଜ୍ୟୋର୍ତିବିଜ୍ଞାନ ଓ ଗ୍ରହ ନକ୍ଷତ୍ର ସଂପର୍କିତ ପ୍ରତିଯୋଗିତାରେ ବାଜି ମାରିଛନ୍ତି ରାୟଗଡ଼ାର ଛାତ୍ର ତେଜସ୍ବୀ ଗୋପାଲଚେଟି। ଅନ୍ତର୍ଜାତୀୟସ୍ତରରେ ବହୁ ଦେଶର ପ୍ରତିଯୋଗୀଙ୍କୁ ପଛରେ ପକାଇ ତେଜସ୍ବୀ କନିଷ୍ଠ ବର୍ଗରେ ପ୍ରଥମ ସ୍ଥାନ ଅଧିକାର କରିବା ସହ ସ୍ୱର୍ଣ୍ଣ ପଦକ ଜିତିଛନ୍ତି।

ପ୍ରତିଯୋଗିତାର କ୍ବାଲିଫିକେସନ୍ ରାଉଣ୍ଡ ମେ ୨୫ ତାରିଖରେ ଶେଷ ହୋଇଥିଲା। ଯେଉଁଥିରେ ତେଜସ୍ବୀ ସଫଳତାର ସହ ପ୍ରି-ଫାଇନାଲ୍ ରାଉଣ୍ଡକୁ ଉନ୍ନୀତ ହୋଇଥିଲେ। ମେ ୨୯ ତାରିଖରେ ପ୍ରି ଫାଇନାଲ୍ ରାଉଣ୍ଡରେ ୫୫ ପଏଣ୍ଟ ସହ ଅନ୍ୟ ପ୍ରତିଯୋଗୀଙ୍କୁ ପଛରେ ପକାଇ ଫାଇନାଲ ରାଉଣ୍ଡରେ ପହଞ୍ଚିଥିଲେ। ଜୁଲାଇ ୨୭ ତାରିଖରେ ଅନୁଷ୍ଠିତ ଫାଇନାଲ ରାଉଣ୍ଡରେ ୩୯ ପଏଣ୍ଟ୍ ହାସଲ୍ କରି ପ୍ରଥମ ସ୍ଥାନ ଅଧିକାର କରି ଗୋଲଡ୍ ମେଡାଲ୍ ଜିତିଛନ୍ତି। ପ୍ରତିଯୋଗିତାରେ କୃତିତ୍ବ ଅର୍ଜନ କରିବା ପରେ ଆଇଏଏସି (ଇଣ୍ଟରନ୍ୟାସନାଲ୍ ଆଷ୍ଟ୍ରାନୋମି ଆଣ୍ଡ ଆଷ୍ଟ୍ରାଫିଜିକ୍ସ୍) ପକ୍ଷରୁ ପ୍ରମାଣପତ୍ର ପ୍ରଦାନ କରାଯାଇଛି। ଅନ୍ତର୍ଜାତୀୟସ୍ତରୀୟ ପ୍ରତିଯୋଗିତାରେ ରାୟଗଡ଼ା ସହିତ ଓଡ଼ିଶା ପାଇଁ ଗୌରବ ଆଣିଥିବା ତେଜସ୍ବୀ ଜେକେପୁର ନିବାସୀ ଗୋପାଳଚେଟି ହରିଶଙ୍କରଙ୍କ ପୁଅ। ତେଜସ୍ବୀ ବର୍ତ୍ତମାନ ବିଶାଖାପାଟଣାସ୍ଥିତ ଚୈତନ୍ୟ ବିଦ୍ୟା ନିକେତନରେ ଯୁକ୍ତ ଦୁଇରେ ଅଧ୍ୟୟନରତ ଅଛନ୍ତି।

ସମ୍ବନ୍ଧିତ ଖବର