ସ୍ପଷ୍ଟ ହୋଇପାରୁନି କୋଭିଡଜନିତ ମୃତ୍ୟୁ: ଆଶୀର୍ବାଦ ଯୋଜନାର ହିତାଧିକାରୀ ଚୟନ ସମୟ ପୁଣି ଗଡ଼ିଲା

ଖୋର୍ଦ୍ଧା : କରୋନା ସଂକ୍ରମଣରେ ବାପା-ମା କିମ୍ବା ଘରର ମୁଖ୍ୟ ଉପାର୍ଜନକାରୀଙ୍କ ମୃତ୍ୟୁରେ ଅନାଥ ଓ ଅସହାୟ ହୋଇଥିବା ନାବାଳକଙ୍କ ଭବିଷ୍ୟତ ନିଶ୍ଚିତ କରିବାକୁ ରାଜ୍ୟ ସରକାର ଆଶୀର୍ବାଦ ଯୋଜନା ଆରମ୍ଭ କରିଥିଲେ । ଜିଲ୍ଲାରେ ଏନେଇ ବୈଠକ କରାଯାଇ ଜୁନ୍ ଶେଷ ସୁଦ୍ଧା ହିତାଧିକାରୀ ଚୟନ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା । ତେବେ ଜୁନ୍ ମାସ ଶେଷ ହୋଇଯାଇଥିଲେ ମଧ୍ୟ ହିତାଧିକାରୀ ଚୟନ ହୋଇପାରିନାହିଁ ।

ଚଳିତ ବର୍ଷ ଜୁନ୍ ୨୪ ତାରିଖରେ ଜିଲ୍ଲାପାଳ ସନତ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆଶୀର୍ବାଦ ଯୋଜନା କାର୍ଯ୍ୟକାରୀ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରୁ ମିଳିଥିବା ସୂଚନାରେ, ଅପ୍ରିଲ୍ ୧, ୨୦୨୦ରୁ ବର୍ତମାନ ସୁଦ୍ଧା କରୋନା ସଂକ୍ରମଣରେ ଅନାଥ ଓ ଅସହାୟ ହୋଇଥିବା ନାବାଳକଙ୍କ ଭରଣପୋଷଣ ଓ ଶିକ୍ଷାର ବ୍ୟବସ୍ଥା ରାଜ୍ୟ ସରକାର ବହନ କରିବେ । ଏଥିପାଇଁ ଜୁନ୍ ୩୦ ତାରିଖ ସୁଦ୍ଧା ଚୂଡ଼ାନ୍ତ ତାଲିକା ପ୍ରସ୍ତୁତ କରିବାକୁ ନିଦେ୍ର୍ଦଶ ଦିଆଯାଇଥିଲା । ତେବେ ଏହା ମଧ୍ୟରେ ୯ ଦିନ ବିତିଯାଇଛି, କିନ୍ତୁ ନିଦେ୍ର୍ଦଶ ମୁତାବକ ତାଲିକା ପ୍ରସ୍ତୁତି ହୋଇପାରିନାହିଁ । ବିଭାଗୀୟ ସୂତ୍ରରୁ ମିଳିଥିବା ସୂଚନାରେ, ଜିଲ୍ଲାରେ କୋଭିଡ୍ ସଂକ୍ରମଣଜନିତ ମୃତ୍ୟୁର ତାଲିକା ସଠିକ୍ ପ୍ରସ୍ତୁତ ହୋଇନଥିବାରୁ ଆଶୀର୍ବାଦ ହିତାଧିକାରୀଙ୍କ ତାଲିକା ପ୍ରସ୍ତୁତ କରିବାରେ ବିଳମ୍ବ ହୋଇଛି ।
ସୂଚନାଯୋଗ୍ୟ ଜିଲ୍ଲା ପ୍ରଶାସନର ସୂଚନାନୁସାରେ, ବର୍ତମାନ ସୁଦ୍ଧା ୧୩୦ଜଣଙ୍କ ମୃତ୍ୟୁ ଘଟିଛି । ଜୁନ୍ ୧୫ ତାରିଖ ବେଳକକୁ ଜିଲ୍ଲା ପ୍ରଶାସନ ପକ୍ଷରୁ କୋଭିଡ୍ ସଂକ୍ରମଣର ପ୍ରଥମ ଲହରରେ ୫୯ଜଣ ଓ ଦ୍ୱିତୀୟ ଲହରରେ ୧୦ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ଦିଆଯାଇଥିଲା । ତେବେ ମୃତ୍ୟୁ ସଂଖ୍ୟା ନେଇ ରାଜ୍ୟରେ ବିଭିନ୍ନ ମହଲରେ ଆଲୋଡ଼ନ ସୃଷ୍ଟି ହେବା ପରେ ଏହି ସଂଖ୍ୟା ୧୨୨କୁ ବୃଦ୍ଧି ପାଇଥିବା ବେଳେ ଆଜି ଏହା ୧୩୦କୁ ବୃଦ୍ଧି ପାଇଛି । ମୃତ୍ୟୁ ସଂଖ୍ୟାକୁ ନେଇ ଏଭଳି ସଂଖ୍ୟାର ହଟଚମଟକୁ ନେଇ ଯୋଗାଯୋଗ କରିବାରୁ ସ୍ପଷ୍ଟୀକରଣ ମିଳିଛି ଯେ ମୃତ୍ୟୁର ସଠିକ୍ ଯାଂଚ ଓ ଏହାକୁ ପଂଜୀକରଣ ଓ ଅନ୍ଲାଇନ୍ରେ ଅପ୍ଲୋଡ୍ କରିବା ପରେ ଯାଇ ସାର୍ବଜନୀନ କରାଯାଉଛି । ଏପରିସ୍ଥଳେ, ବର୍ତମାନ ସୁଦ୍ଧା କୋଭିଡ୍ ସଂକ୍ରମଣର ପ୍ରକୃତ ମୃତ୍ୟୁ ସ୍ଥିର ହୋଇନଥିବାରୁ ଆଶୀର୍ବାଦ ଯୋଜନାର ହିତାଧିକାରୀଙ୍କ ଚୟନ ମଧ୍ୟ ହୋଇପାରୁନଥିବା ସ୍ପଷ୍ଟ ହୋଇଛି ।

ଏନେଇ ଅତିରିକ୍ତ ଜିଲ୍ଲାପାଳ ମନୋଜ ପାଢ଼ୀଙ୍କ ସହ ଯୋଗାଯୋଗ କରିବାରେ ସେ କହିଛନ୍ତି ଯେ ତାଲିକା ପ୍ରସ୍ତୁତ କରିବାକୁ ବିଡିଓଙ୍କୁ ନିଦେ୍ର୍ଦଶ ଦିଆଯାଇଛି । ତାଲିକା ପ୍ରସ୍ତୁତି ଚାଲିଛି, ତେବେ କେବେ ତାଲିକା ଚୂଡ଼ାନ୍ତ ହେବ ସେନେଇ ନିର୍ଦ୍ଦିଷ୍ଟ ତାରିଖ କୁହାଯାଇପାରିବ ନାହିଁ ।

ସମ୍ବନ୍ଧିତ ଖବର