ପୁରୁଣା ସୁନା କିଣିବାକୁ ଯାଉଥିଲେ ଗହଣା ଦେକାନ ମାଲିକ, ଯିବା ବାଟରେ ୧୦ ଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ

ନୀଳଗିରି: ପୁରୁଣା ସୁନା କଣିବାକୁ ଯାଉଥିବା ବେଳେ ଜଣେ ଗହଣା ବ୍ୟବସାୟୀ ଗୁରୁବାର ୧୦ ଲକ୍ଷ ଟଙ୍କା ଲୁଟର ଶିକାର ହୋଇଛନ୍ତି । ବାଲେଶ୍ୱର ଜିଲ୍ଲାର ନୀଳଗିରି ଥାନା ଅଂଚଳରେ ଆଜି ଅପରାହ୍ନ ସାଢ଼େ ୪ଟାରେ ଏହି ଅଭାବନୀୟ ଘଟଣା ଘଟିଥିବା ଜଣାଯାଇଛି । ଲୁଟର ଶିକାର ହୋଇଛନ୍ତି ଦିନେଶ ସାଙ୍ଗଭି ।

ସୂଚନା ଅନୁସାରେ ବାଲେଶ୍ୱର ସହର ମୋତିଗଂଜ ବଜାରସ୍ଥିତ ଗହଣା ଦୋକାନ ‘ଅଳଙ୍କାର’ର ମାଲିକ ଦିନେଶ ସାଙ୍ଗଭି ଆଜି ନିଜ ଦୋକାନର ୨ ଜଣ କର୍ମଚାରୀଙ୍କୁ ନେଇ ଏକ ସ୍କୁଟି (ଓଡି ୦୧ଏ-୭୬୨୭)ରେ ନୀଳଗିରି ଥାନା ଅନ୍ତର୍ଗତ ସନ୍ତରାଗଡ଼ିଆ ଅଂଚଳକୁ ଯାଉଥିଲେ । ଦିନେଶ ପ୍ରାୟ ୧୦ ଲକ୍ଷ ଟଙ୍କାର ପୁରୁଣା ଗହଣା କିଣିଥାନ୍ତେ । କିନ୍ତୁ ଗହଣା କିଣିବା ପୂର୍ବରୁ ଦୁର୍ବୃତ୍ତଙ୍କ ହାବୁଡ଼ରେ ପଡ଼ିଯାଇଥିଲେ ।

ଦିନେଶ ନୀଳଗିରି-ସନ୍ତରାଗଡ଼ିଆ ରାସ୍ତାର ଦ୍ୱାରିକା ଛକରେ ଯେତେବେଳେ ପହଂଚିଥିଲେ, ସେଠାରେ ୩ଟି ପଲସର ନେଇ ହଠାତ ୯ ଜଣ ଦୁର୍ବୃତ୍ତ ପହଂଚିଥିଲେ । ପ୍ରଥମେ ସେମାନେ ବନ ବିଭାଗର କର୍ମଚାରୀ ବୋଲି ପରିଚୟ ଦେଇ ଗାଡ଼ି ଚେକିଂ କରିଥିଲେ । ଦିନେଶ ଓ ଅନ୍ୟ ୨ ସାଥୀ କିଛି ଭାବିବା ପୂର୍ବରୁ ୨ ଜଣ ଦୁର୍ବୃତ୍ତ ହଠାତ ବନ୍ଧୁକ ବାହାର କରି ଭୟଭୀତ କରିଥିଲେ । ଦୁର୍ବୃତ୍ତମାନେ ବଳପୂର୍ବକ ଗାଡ଼ିର ଡିକି ଖୋଳି ୧୦ ଲକ୍ଷ ଟଙ୍କା ନେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ।

ଲୁଟ ସଂପର୍କିତ ସୂଚନା ମିଳିବା ପରେ ନୀଳଗିରି ଆଇଆଇସି ପ୍ରଭଂଜନ ବେହେରା ଘଟଣାସ୍ଥଳରେ ପହଂଚି ତଦନ୍ତ କରିଥିଲେ । ତେବେ ରିପୋର୍ଟ ଲେଖାଯିବା ବେଳକୁ ପୁଲିସ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିବା ଜଣାଯାଇଛି ।

ସମ୍ବନ୍ଧିତ ଖବର