ଜାତୀୟ ରାଜପଥରେ ଟ୍ରକ୍‌ ଅଟକାଇ ୧୮ ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ସେମିଲିଗୁଡା/ସୁନାବେଡା: ବିଗତ ଦିନ ମାନଙ୍କରେ କୋରାପୁଟ ଜିଲ୍ଲା ସୁନାବେଡା ଥାନା ଅଂଚଳରେ ଚୋରି ଓ ରାହାଜାନି ବୃଦ୍ଧି ପାଇଥିବା ବେଳେ ଗତରାତିରେ ଘଟଗୁଡା ନିକଟ ଟିମ୍ବର ବ୍ରିଜ ଉପରେ ଟ୍ରକ ଅଟକାଇ ଡ୍ରାଇଭରକୁ ମାଡ଼ ମାରି ୧୮୦୦ ଟଙ୍କା ଲୁଟି ନେଇଛନ୍ତି ହାଇ ୱେ ଲୁଟେରା। ଦୁଇଦିନ ତଳେ ହାଲ ଟାଉନସିପରେ ଗୋଟିଏ ରାତିରେ ଦୁଇ ଚୋରି ହେବା ପରେ ସହରାଞ୍ଚଳରେ ପୁଲିସ ପେଟ୍ରୋଲିଙ୍ଗ ବଢ଼ାଇଥିବା ବେଳେ ପ୍ରାୟ ରାଜପଥ ଲୁଟ ହେଉନଥିବା ଅଂଚଳକୁ ଟାର୍ଗେଟ କରିଛନ୍ତି ଲୁଟେରା।
ଗତକାଲି ସଂଧ୍ୟା ସମୟରେ ନବରଂଗପୁର ଜିଲ୍ଲା ଉମରକୋଟରୁ କାଠ ଲୋଡ଼ ନେଇ ଆନ୍ଧ୍ରପ୍ରଦେଶ ଯାଉଥିବା ଛତିଶଗଡର ଟ୍ରକ (ସିଜି୦୮ ଏଏଫ୍‌-୯୯୪୯)ଟି ରାତି ପ୍ରାୟ ୧୨ ରୁ ୧ ମଧ୍ୟରେ ମୋହନପଡା ପାର କଲାପରେ ୩ଟି ବାଇକରେ ପ୍ରାୟ ୬ ଜଣ ଲୁଟେରା ଏହାକୁ ପିଛା କରିଥିଲେ। ଟିମ୍ବର ବ୍ରିଜ ଉପରେ ସାମ୍ନାରେ ଗାଡି ରଖି ଟ୍ରକକୁ ଅଟକାଇବା ପରେ ଡ୍ରାଇଭର ଓ ହେଲପରଙ୍କୁ ବିଭିନ୍ନ ମରଣାସ୍ତ୍ର ଦେଖାଇ ଭୟଭୀତ କରି ମାଡ ମାରିବା ସହ ଗାଡି କ୍ୟାବିନରେ ଥିବା ୧୫୦୦୦ ନଗଦ ଟଙ୍କା ଓ ଡ୍ରାଇ ଭର ପକେଟରୁ ୩୦୦୦ ଟଙ୍କା ଲୁଟିନେଇ ଚମ୍ପଟ ମାରିଥିଲେ। ପରେ ଡ୍ରାଇଭର ମାତ୍ର ୨ କିମି ଦୂର ସୁନାବେଡା ଥାନାରେ ଜଣାଇବା ପରେ ପେଟ୍ରୋଲିଙ୍ଗ ଗାଡି ଘଟଣାସ୍ଥଳରେ ପହଂଚି ଥିଲେ ମଧ୍ୟ ଲୁଟେରାମାନେ ଅନ୍ଧାରର ସୁଯୋଗ ନେଇ ଫେରାର ହୋଇଯାଇଥିଲେ।
ସୁନାବେଡା ପୁଲିସ ଆହତ ଟ୍ରକ ଡ୍ରାଇଭରଙ୍କୁ ଚିକିତ୍ସା ପାଇଁ ସୁନାବେଡା ମେଡିକାଲ ପଠାଇ ଥିବା ବେଳେ ଏକ ମାମଲା ରୁଜୁ କରିବା ସହ ଲୁଟ ସମ୍ପୃକ୍ତି ସନ୍ଦେହରେ ଜଣକୁ ଅଟକ ରଖି ପଚରା ଉଚରା ଆରମ୍ଭ କରିଛି। ଖୁବ ଶୀଘ୍ର ସମୃକ୍ତ ଲୁଟେରାଙ୍କୁ ଗିରଫ କରାଯିବ ବୋଲି ଥାନାଧିକାରୀ ଶ୍ରୀ ଭୀମସେନ ନାୟକ ପ୍ରକାଶ କରିଛନ୍ତି।
ସମ୍ବନ୍ଧିତ ଖବର