କୃଷି କର୍ମଚାରୀଙ୍କ ନିଆରା ଉଦ୍ଭାବନ:ଚକଡ଼ା ନିୟନ୍ତ୍ରଣ କରିବ ପାହି ଯନ୍ତ୍ର

ସମ୍ବଲପୁର: ବାମରାସ୍ଥିତ କୃଷି କାର୍ଯ୍ୟାଳୟରେ ବ୍ଲକ୍‌ ଟେକ୍‌ନୋଲଜି ମ୍ୟାନେଜରଭାବେ କାର୍ଯ୍ୟରତ ସମ୍ବଲପୁରର କୃଷ୍ଣଚନ୍ଦ୍ର ନାୟକ ମାତ୍ର ୬୫୦ ଟଙ୍କା ବ୍ୟୟରେ ଏକ କୃଷି ଯନ୍ତ୍ର ତିଆରି କରିଛନ୍ତି। ସେ ଏହାର ନାଁ ଦେଇଛନ୍ତି ପାହି ଯନ୍ତ୍ର। ହୀରାକୁଦ ସେଚାଞ୍ଚଳରେ ଚାଷୀଙ୍କ ମୁଖ୍ୟ ଚିନ୍ତା ପାଲଟିଥିବା ଚକଡ଼ା ପୋକ ନିରାକରଣରେ ଏହି ଯନ୍ତ୍ର ବେଶ ଉପଯୋଗୀ ହୋଇପାରିବ ବୋଲି ଶ୍ରୀ ନାୟକ କହିଛନ୍ତି। ଏହି ଯନ୍ତ୍ର ବିଲରେ ପାହି ବା ଗଳି ତିଆରି କରିବାରେ ସହାୟକ ହେବ। ସାଧାରଣତଃ ଜଳସେଚିତ ଅଞ୍ଚଳର ଘଞ୍ଚ ଧାନ କିଆରିର ସବୁ ଆଡେ଼ ପ୍ରବେଶ କରି ଔଷଧ ସିଞ୍ଚନ ସମ୍ଭବ ହୋଇ ନଥାଏ। ଚକଡ଼ା ପୋକ ଧାନ ଗଛର ମୂଳରେ ରହି ସବୁ ରସ ଶୋଷଣ କରି ନିଏ। ପାହି ଯନ୍ତ୍ର ସାହାଯ୍ୟରେ କ୍ଷେତରେ ଗଳି ବା ନାଳି ତିଆରି ପରେ ଚାଷୀମାନେ ତା’ ଭିତରେ ପ୍ରବେଶ କରି ପ୍ରତିଟି ଗଛର ମୂଳରେ ସହଜରେ ଔଷଧ ସିଞ୍ଚନ କରିପାରିବେ। ଏଥି ପାଇଁ ସେମାନଙ୍କୁ ଅଧିକ ପରିଶ୍ରମ କରିବାକୁ ପଡ଼ିବ ନାହିଁ। ଏହାଦ୍ବାରା ଚକଡ଼ା ବ˚ଶକୁ ସହଜରେ ନାଶ କରିହେବ ବୋଲି ଶ୍ରୀ ନାଏକ ଦାବି କରିଛନ୍ତି। ଲୁହାରେ ତିଆରି ଏହି ଯନ୍ତ୍ର ପାଇଁ ମାତ୍ର ୬୫୦ ଟଙ୍କା ଖର୍ଚ୍ଚ ହୋଇଥିବାବେଳେ ସରକାର ଚାହିଁଲେ ଏହାକୁ ବହୁ ସ˚ଖ୍ୟାରେ ତିଆରି କରି ଚାଷୀଙ୍କୁ ରିହାତି ଦରରେ ଅର୍ଥାତ ମାତ୍ର ୩୦୦ ଟଙ୍କାରେ ଯୋଗାଇ ଦେଇପାରିବେ। ଫଳରେ ପ୍ରତ୍ୟେକ ଚାଷୀ ଏହାକୁ ନିଜ ପାଖରେ ରଖି ଚାଷ କାର୍ଯ୍ୟରେ ବ୍ୟବହାର କରିପାରିବେ ବୋଲି ଆଶା ପୋଷଣ କରିଛନ୍ତି।

ସମ୍ବନ୍ଧିତ ଖବର