ବନ୍ୟପ୍ରାଣୀ ଡିଏଫ୍‌ଓଙ୍କ ଆକ୍ରୋଶ:ନିର୍ଯାତିତା ନିଲମ୍ବିତ

ସମ୍ବଲପୁର: ବହୁ ଦିନ ଧରି ଜଣେ ବରିଷ୍ଠ ସହକର୍ମୀଙ୍କ ଦ୍ୱାରା ମାନସିକଭାବେ ନିର୍ଯାତିତ ହେବା ପରେ ଏହା ବିରୋଧରେ ଅଭିଯୋଗ କରିବା ମହଙ୍ଗା ପଡ଼ିଛି ସମ୍ବଲପୁର ବନ୍ୟ ପ୍ରାଣୀ ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ କନିଷ୍ଠ କିରାଣୀ ମାଧବୀ ବରାଇଙ୍କୁ। ତାଙ୍କୁ ବନ୍ୟ ପ୍ରାଣୀ ଡିଏଫ୍‌ଓ ନିଲମ୍ବନ କରିଛନ୍ତି। କେବଳ ସେତିକି ନୁହେଁ ନିଲମ୍ବନ ସମୟରେ ତାଙ୍କୁ ସୁଦୂର ଲଖନପୁର ରେଂଜ କାର୍ଯ୍ୟାଳୟରେ ରିପୋର୍ଟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ନିଲମ୍ବନ ସମ୍ପର୍କରେ ବନ୍ୟପ୍ରାଣୀ ଡିଏଫ୍‌ଓ ସୁଦୀପ୍ତ ନାଏକଙ୍କୁ ପଚାରିବାରୁ ସେ ଭେଟିଲେ କଥା ହେବା କହି ଫୋନ କାଟି ଦେଇଥିଲେ।

ସୂଚନାଯୋଗ୍ୟ, ଡିଏଫ୍‌ଓଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ବରିଷ୍ଠ କିରାଣୀ ପ୍ରମୋଦ ବେହେରା ତାଙ୍କୁ ବହୁ ଦିନ ହେଲା ମାନସିକ ନିର୍ଯାତନା ଦେଇ ଆସୁଥିଲେ ବୋଲି ମାଧବୀ ଅଭିଯୋଗ କରିଥିଲେ। ସେ ଏନେଇ ବାରମ୍ବାର ଡିଏଫ୍‌ଓଙ୍କୁ ଅଭିଯୋଗ କରିବା ପରେ ବି ସେ ଶୁଣି ନଥିଲେ। ଗାଳିଗୁଲଜ ଓ ଧମକରେ ଅତିଷ୍ଠ ହୋଇ ଶେଷରେ ସେ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ (ଆର୍‌ସିସିଏଫ୍‌)ଙ୍କୁ ସମସ୍ତ ବିଷୟ ଜଣାଇବା ସହ ଥାନାରେ ଏତଲା ଦେଇଥିଲେ। ଆର୍‌ସିସିଏଫ୍‌ ଶ୍ରୀ ବେହେରାଙ୍କ ବଦଳି ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏ ସଂପର୍କରେ ଶୁକ୍ରବାର ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଥିଲା। ଏହାପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବାରେ କୁଣ୍ଠିତ ବନ୍ୟ ପ୍ରାଣୀ ବନଖଣ୍ଡ ଅଧିକାରୀ ମାଧବୀଙ୍କ ଉପରେ ଆକ୍ରୋଶମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।

ସମ୍ବନ୍ଧିତ ଖବର