ସମ୍ବଲପୁର ବଜାରରେ ନକଲି ସାନିଟାଇଜର, ୧୮୬ ବୋତଲ ଜବତ, ଦୋକାନୀଙ୍କୁ ନୋଟିସ୍‌

ସମ୍ବଲପୁର : କରୋନା ସଂକ୍ରମଣ ପାଇଁ ସାନିଟାଇଜରରେ ବାରମ୍ବାର ହାତ ଧୋଇବାକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଉଥିବା ସମୟରେ ଏହାର ସୁଯୋଗ ନେଇ କିଛି ବେପାରୀ ନକଲି ସାନିଟାଇଜର ‌ ବଜାରକୁ ଛାଡ଼ିଛନ୍ତି। ସମ୍ବଲପୁର ବଜାରରେ ଏଭଳି ନକଲି ସାନିଟାଇଜର ବିକ୍ରି କରି ଲୋକଙ୍କୁ ଭୁଆଁ ବୁଲାଯାଉଥିବା ସୂଚନା ପାଇଁ ଶୁକ୍ରବାର ରାତିରେ ଜିଲ୍ଲା ପ୍ରଶାସନ ଓ ଡ୍ରଗ୍ସ ଇନ୍ସପେକ୍ଟରଙ୍କ ପକ୍ଷରୁ କ୍ଷେତରାଜପୁରସ୍ଥିତ ଗୋପାଳ ସର୍ଜିକାଲ ନାମକ ଦୋକାନ‌ରେ ଚଢ଼ଉ କରାଯାଇଥିଲା। ତେବେ ଚଢ଼ଉ ସମୟରେ କୋକ୍‌ଲିନ୍‌-୧୯ ନାମକ ନକଲି ସାନିଟାଇଜର ମିଳିଥିଲା। ହାଇଦ୍ରାବାଦର କୌସ୍ତୁଭ ହର୍ବାଲ ଓ ନାଚୁରାଲ୍‌ କେୟାର ନାମକ ସଂସ୍ଥା ଉକ୍ତ ଆୟୁର୍ବେଦିକ ସାନିଟାଇଜର ପ୍ରସ୍ତୁତ କରୁ୍ଥିବା ଏହି ସାନିଟାଇଜର୍‌ର ବଜାର ମୂଲ୍ୟ ୧୪୪ ଟଙ୍କା ରହିଛି। ତେବେ ଚଢ଼ଉ ସମୟରେ ଦୋକାନରୁ ୧୦୦ ମିଲି ବିଶିଷ୍ଟ ୧୮୬ ବୋତଲ ନକଲି ସାନିଟାଇଜରକୁ ଜବତ କରାଯାଇଥିବା ସମୟରେ ଦୋକାନୀ ଗୋପାଳ ଅଗ୍ରୱାଲଙ୍କୁ ନୋଟିସ୍‌ ଜାରି କରାଯାଇଛି। କରୋନା ସଂକ୍ରମଣ ଆରମ୍ଭ ହେବା ପରଠାରୁ ରାଜ୍ୟରେ ନକଲି ସାନିଟାଇଜର ବିକ୍ରିର ଏହା ପ୍ରଥମ ପ୍ରମାଣ ମିଳିଛି। ତେବେ ଦୋକାନୀ ଗୋପାଳ ଅଗ୍ରୱାଲ କେଉଁଠାରୁ ଏହି ସାନିଟାଇଜର କିଣିଛନ୍ତି ଓ ଅନ୍ୟ କାହା କାହା ନିକଟରେ ଏହା ମହଜୁଦ୍‌ ରହିଛି ସେନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଯାଞ୍ଚ କରାଯାଉଥିବା ଜଣାପଡ଼ିଛି। ୨ ଦିନ ତଳେ ହାଇଦ୍ରାବାଦରେ ପୁଲିସ ପକ୍ଷରୁ ଚଢ଼ଉ କରାଯାଇ ଏହି କମ୍ପାନିର ନକଲି ସାନିଟାଇଜର ପ୍ରସ୍ତୁତ କରୁଥିବା ଏକ ଗୋଦାମ ସିଲ୍‌ କରିଥିଲା।

ସମ୍ବନ୍ଧିତ ଖବର