ହ୍ବାଟ୍‌ସ ଆପ୍‌ରେ କରୋନା ସମ୍ପର୍କରେ ଗୁଜବ, ବନ୍ଧାହେଲେ ଆଉ ଜଣେ ଯୁବକ

ସମ୍ବଲପୁର: ହ୍ବାଟ୍‌ସ ଆପ୍‌ରେ କରୋନା ସମ୍ପର୍କରେ ଗୁଜବ ସୃଷ୍ଟି ନକରିବା ପାଇଁ ବାରମ୍ବାର ସରକାର ଓ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଉଥିଲେ ମଧ୍ୟ ଲୋକେ ଏହାକୁ ଗ୍ରହଣ ନକରି ଅବାଞ୍ଛିତ ମେସେଜ୍‌କୁ ଫରୱାର୍ଡ କରିଚାଲିଛନ୍ତି। ଏଭଳି ଅପପ୍ରଚାର ପାଇଁ ୨ ଦିନ ତଳେ ସମ୍ବଲପୁର ଟାଉନ୍‌ ଥାନା ପୁଲିସ୍‌ ଜଣେ ଯୁବକଙ୍କୁ ଗିରଫ କରିଥିଲା। ବୁଧବାର ମଧ୍ୟ ଧନୁପାଲି ପୁଲିସ୍‌ ସୁନାପାଲି ଅଞ୍ଚଳର ଜଣେ ଯୁବକ(୪୫)ଙ୍କୁ ଏଭଳି ଘଟଣାରେ ଗିରଫ କରିଛି। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ବୁଧବାର ଉକ୍ତ ବ୍ୟକ୍ତିଜଣଙ୍କ ଆଲ୍ଲା ହଜରତ୍‌ କମିଟି ନାମକ ହ୍ବାଟ୍‌ସ ଆପ୍‌ ଗ୍ରୁପ୍‌ରେ ଏ ସମ୍ପର୍କରେ ଗୁଜବ ପୋଷ୍ଟିଂ କରିଥିଲେ। ଏହି ଘଟଣା ସମ୍ପର୍କରେ ଜଣାପଡ଼ିବା ପରେ ପୁଲିସ୍‌ ପକ୍ଷରୁ ଭାରତୀୟ ଦଣ୍ଡବିଧି ଧାରା ୧୦୮/ ୫୦୫ ଓ ବିପର୍ଯ୍ୟୟ ପ୍ରଶମନ ଆଇନ୍‌ ୨୦୦୫ ଧାରା ୫୪ ଅନୁଯାୟୀ ଏକ ମାମଲା ରୁଜୁ କରି ଉକ୍ତ ବ୍ୟକ୍ତିଙ୍କୁ ଗିରଫ କରିଛି। ତେବେ କୌଣସି ଘଟଣା ସମ୍ପର୍କରେ ନଜାଣି ନବୁଝି ହ୍ବାଟ୍‌ସ ଆପ୍‌ରେ ଏଭଳି ଗୁଜବ ମେସେଜ୍‌ ନପଠାଇବା ପାଇଁ ସମ୍ବଲପୁର ପୁଲିସ୍‌ ପକ୍ଷରୁ ଏକ ପ୍ରେସ୍‌ ବିବୃତିରେ ସୂଚନା ପ୍ରଦାନ କରାଯାଇଛି। ସେପଟେ, ସାଇବର ସେଲ୍‌ ପକ୍ଷରୁ ମଧ୍ୟ ଏଭଳି ଗୁଜବ ଉପରେ ତୀକ୍ଷଣ ନଜର ରଖାଯାଉଥିବା ସମୟରେ ଫେସ୍‌ବୁକ ଗ୍ରୁପ୍‌ ଗୁଡ଼ିକରେ ଏଭଳି ଗୁଜବ ପୋଷ୍ଟିଂ କିମ୍ବା ସେୟାର ନକରିବାକୁ ସଚେତନ କରାଯାଉଛି।

ସମ୍ବନ୍ଧିତ ଖବର